ନୟାଗଡ଼: ଗତ ୨ ତାରିଖ ଦିନ ନୟାଗଡ଼ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଜଣେ ଯୁବକଙ୍କୁ ମାଡ଼ ମାରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଉକ୍ତ କାର୍ଯ୍ୟାଳୟର ପିଅନ ଚନ୍ଦ୍ରମଣି ଭଟ୍ଟକୁ ମହଙ୍ଗା ପଡ଼ିଛି। ଏ ନେଇ ଗତ ୩ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଆଜି ଚନ୍ଦ୍ରମଣିକୁ ନିଲମ୍ବନ( ଚିଠି ନମ୍ବର:୨୧୦୦, ତା- ୦୪/୧୧/୨୦୨୨) କରିଛନ୍ତି। ଚନ୍ଦ୍ରମଣି ଅଭ୍ୟାସଗତ ଭାବେ ଲୋକଙ୍କର ବିଭିନ୍ନ କାମ କରାଇ ଦେବ କହି ଟଙ୍କା ନେଉଥିବା, ଏପରିକି ଏନେଇ ତା’ ନାମରେ ପୂର୍ବରୁ ଗଦାଗଦା ଅଭିଯୋଗ ଥିବା ମଧ୍ୟ ଜଣାପଡ଼ିଛି।
ଘଟଣାଦିନ ଲକ୍ଷ୍ମୀପସାଦ ପଞ୍ଚାୟତ ଅଧୀନ ବରପଲ୍ଲୀ ଗ୍ରାମର ଉପେନ୍ଦ୍ର ସାହୁଙ୍କୁ ଚନ୍ଦ୍ରମଣି ଆକ୍ରମଣ କରିଥିଲା। ଉପେନ୍ଦ୍ର ଜଣେ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ, ପରିବାର ପାଇଁ ରାସନ୍ କାର୍ଡ ଆବଶ୍ୟକ ଥିଲା। ଏଭଳି ସ୍ଥିତିରେ ଉପେନ୍ଦ୍ର , ଚନ୍ଦ୍ରମଣି ହାବୁଡ଼ରେ ପଡ଼ିବାରୁ ଚନ୍ଦ୍ରମଣି ଫାଇଦା ଉଠାଇଥିଲା। ରାସନ୍ କାର୍ଡ କରାଇ ଦେବାକୁ କହି, ୩ ବର୍ଷ ହେବ ୨୨୦୦ ଟଙ୍କା ନେଇଥିବା ବେଳେ ଆଉ ଧରାଛୁଆଁ ଦେଉନଥିଲା। ରାସନ୍ କାର୍ଡ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେଉନଥିବାରୁ ଉପେନ୍ଦ୍ର ହତାଶ ହୋଇଥିଲା। ଏଭଳି ସ୍ଥିତିରେ ଗତ ୨ ତାରିଖରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଉପେନ୍ଦ୍ର ଯାଇ ଚନ୍ଦ୍ରମଣିଙ୍କୁ କାର୍ଡ କର ନଚେତ୍ ଟଙ୍କା ଫେରାଅ ବୋଲି ଦାବି କରିବାରୁ ଚନ୍ଦ୍ରମଣି ଉତ୍ତେଜିତ ହୋଇପଡ଼ିଥିଲା। କାର୍ଯ୍ୟାଳୟ ପରିସରରେ ଉପେନ୍ଦ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ଧକ୍କା ମାରିଥିଲା, ଯେଉଁଥିରେ ଉପେନ୍ଦ୍ରଙ୍କ ହାତ ଆଙ୍ଗୁଠି ଫାଟି ଯାଇଥିବା ଦେଖା ଯାଇଥିଲା। ଉପେନ୍ଦ୍ର କାନ୍ଦି କାନ୍ଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଘଟଣା ସମ୍ପର୍କରେ କହୁଥିବା ବେଳେ, ଚନ୍ଦ୍ରମଣି ସେଠାରେ ଉପେନ୍ଦ୍ରଙ୍କୁ ଧମକାଇ ଥିଲା, ସାମ୍ବାଦିକଙ୍କୁ କହିଲେ କି ଥାନାରେ ଅଭିଯୋଗ କଲେ ଟଙ୍କା ଦେବି ନାହିଁ ବୋଲି ନାଲି ଆଖି ଦେଖାଇଥିଲା। ଅଭିଯୋଗ କରିବାକୁ ଉପେନ୍ଦ୍ର ଦରଖାସ୍ତ ଲେଖିଥିଲେ ମଧ୍ୟ ଚନ୍ଦ୍ରମଣିର ଭୟରେ ଅଭିଯୋଗ ନକରି ଫେରିଯାଇଥିଲା।
ତେବେ ଚତୁର ଚନ୍ଦ୍ରମଣି ପରବର୍ତ୍ତୀ ଅବସ୍ଥାରେ ଉପେନ୍ଦ୍ରଙ୍କୁ ଭୁଲ୍ ମାଗି ଘଟଣାର ସମାଧାନ କରିଦେଇଥିଲା। ଆଜି ନିଜର ନିଲମ୍ବନ ଆଦେଶକୁ ଟାଳିବାକୁ ଯଥେଷ୍ଟ ଉଦ୍ୟମ କରିଥିବା, ନିଲମ୍ବନ ନିର୍ଦ୍ଦେଶ ବାହାରିବା ପୂର୍ବରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ଡେରା ପକାଇଥିଲା ବୋଲି ଜଣାପଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଥବା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ଚନ୍ଦ୍ରମଣିକୁ ଆଗୁଆ ସୂଚନା ଦେଇ ଦେଇଥିଲେ। ଫଳରେ ଚନ୍ଦ୍ରମଣି ନିଜ ପରିବାର ଓ ମାଡ଼ ମାରିଥିବା ଯୁବକକୁ ନେଇ ନିଜ ସପକ୍ଷରେ ଓକିଲାତି କରିବାକୁ ଚାହୁଁଥିବା ବେଳେ, ସରକାରୀ କାର୍ଯ୍ୟାଳୟ ପରିସରରେ ଏଭଳି ଅଶୋଭନୀୟ ଆଚରଣ ପାଇଁ ଜିଲ୍ଲାପାଳ କୌଣସି କଥା ଶୁଣିନଥିବା ଜଣାପଡ଼ିଛି। ତେବେ ଚନ୍ଦ୍ରମଣି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ଏକ ଚତୁର୍ଥ ଶ୍ରେଣୀର କର୍ମଚାରୀ ହୋଇଥିବା ବେଳେ, ଏଠାରେ ବହୁ ହସ୍ତି ଦୁର୍ନୀତିରେ ଲିପ୍ତ ରହିଛନ୍ତି। ନାନା ଅନିୟମିତତା କାମ କରୁଥିବା ଜଣାପଡ଼ିଛି। ଏଥିପ୍ରତି ମଧ୍ୟ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/22a23dfe-38bc-4faf-b06b-3d21b8bb8002.jpg)