ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟିକା ମିଳିବାର ଆଶା ଉଜ୍ଜଳ ହୋଇଛି। ଟିକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ। ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ଆମର ନୂଆଦିଲ୍ଲୀରେ ଯେଭଳି କୋଭିଡର ଦ୍ଵିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତାକୁ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚୀତ କରୁଛି। ତେଣୁ ଆମକୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍ପିଟାଲର ଆଇସିୟୁ ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି କହିଥିଲେ। ଆମର ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଓଡିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବରେ ବିବେଚିତ ହୋଇଥିବା ଏବଂ କଳାହାଣ୍ଡି ଜିଲ୍ଲା ବେଷ୍ଟ ଆଇସଲ୍ୟାଣ୍ଡ ଜିଲ୍ଲା ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ ଓ କଳାହାଣ୍ଡି ଜିଲ୍ଲା ବାସୀ କୁ ଅଭିନନ୍ଦନ ଜଣାଇଥିଲେ।
କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୂଜା ଋତୁରେ ଜନସାଧାରଣ ଶୃଙ୍ଖଳିତ ଭାବରେ ନିୟମ ପାଳନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଯୋଗୁ ଆଜି ଓଡିଶାରେ ଆରୋଗ୍ୟ ହାର ୯୭ ପ୍ରତିଶତ ବୃଦ୍ଧି ପାଇ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିସ୍ତୃତ ଭାବରେ ଅବଗତ କରାଇଥିଲେ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟିକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ଉଲ୍କେଖନୀୟ ହ୍ରାସ ଘଟୁଛି ବୋଲି ସୂଚନା ଦେଇଥିଲେ।
କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ ଯ ମାଛ ତଥା ଅନ୍ୟାନ୍ୟ ଆନୁଷଂଗିକ ଚାଷ କ୍ଷେତ୍ରରେ ସବସିଡି ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମବାୟ ସଚିବ ସତ୍ୟବ୍ରତ ସାହୁ ଖରିଫ ଧାନ ସଂଗ୍ରହ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯ ବର୍ତ୍ତମାନ ସୁଦ୍ଧା ୧୪,୯୭,୦୦୦ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି ଏବଂ ଡିସେମ୍ବର ମାସ ସୁଦ୍ଧା ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।
ଏ ବର୍ଷ ରାଜ୍ୟରେ ପ୍ରଚୁର ଫସଲ ହୋଇଥିବାରୁ ଅନ୍ୟ ରାଜ୍ୟର ଅସାଧୁ ବ୍ୟାବସାୟୀମାନେ ଯେପରି ସଂଗ୍ରହ କାର୍ଯ୍ୟରେ ଫାଇଦା ନ ନିଅନ୍ତି, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/for-vaccine-priority-18_Thumb.jpg)