ବିଶ୍ବଜିତ ଦାଶ
ଭୁବନେଶ୍ବର: ସମସ୍ତ ସହରାଞ୍ଚଳରେ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ଯଥା ସପିଂ ମଲ୍, ମାର୍କେଟ୍ କମ୍ପ୍ଲେକ୍ସ, ଦୋକାନ ଘର, ରେସ୍ତୋରାଁ, କ୍ଲିନିକ୍, ବଙ୍କେଟ୍ ହଲ୍, ସଭା ଗୃହ, ଗୋଦାମ ଘର ଆଦି ନିର୍ମାଣ କଲେ ମୋଟ୍ ନିର୍ମାଣର ୨୦ରୁ ୫୦% ପର୍ଯ୍ୟନ୍ତ ପାର୍କିଂ ଅଞ୍ଚଳ ଛାଡ଼ିବାକୁ ନିୟମ ଅଛି। ହେଲେ ଏହି ନିୟମକୁ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ମାନୁନାହାନ୍ତି। ବ୍ୟବସାୟୀ ବେଆଇନ ଭାବେ ଘର ନିର୍ମାଣ କରି ମାଲେମାଲ୍ ହେଉଛନ୍ତି, କିନ୍ତୁ ଏଠାକୁ ଜିନିଷ କିଣିବାକୁ ଆସୁଥିବା ଲୋକ ପୌର ସଂସ୍ଥାକୁ ପାର୍କିଂ ଫି’ ଗଣୁଛନ୍ତି। ବେଆଇନ ନିର୍ମାଣ କରିଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ନଗର ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିଜର ଦୋଷ ଲୁଚାଇବାକୁ ଲୋକଙ୍କ ଉପରେ ପାର୍କିଂ ଫି’ ଜୁଲମ୍ ବଢ଼ାଇବାକୁ ଯାଉଛି। ଏଥିପାଇଁ ନୂଆ ପାର୍କିଂ ନୀତି ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଭୁବନେଶ୍ବରରେ ବିଏମ୍ସି, ବିଡିଏ ଭଳି ପୌର ସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷ କୋଠା ନିର୍ମାଣ ପାଇଁ ପ୍ଲାନ୍ ଅନୁମୋଦନ କରନ୍ତି। ପ୍ଲାନ୍ ଅନୁମୋଦନ ହେବା ବେଳେ ନିୟମରେ ଯେତିକି ପାର୍କିଂ ଅଞ୍ଚଳ ଛଡ଼ାଯିବ ବୋଲି ଦର୍ଶାଯାଇଛି ତାହା କୋଠା ନିର୍ମାଣ ହେବା ବେଳକୁ ରହୁନି। ଏହାର ଜ୍ବଳନ୍ତ ଉଦାହରଣ ଜନପଥ, କଟକ ରୋଡ୍, ରାଜଭବନରୁ ନନ୍ଦନକାନନ ରୋଡ୍, ଏଜିରୁ ନାଲ୍କୋ ଛକ ପର୍ଯ୍ୟନ୍ତ ଯେଉଁଠି ଦେଖିବ ସେଠାରେ ମାଳମାଳ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ ମିଳିବ। କେବଳ ଏତିକି ଅଞ୍ଚଳ ନୁହେଁ, ରାଜଧାନୀର ଗଳିକନ୍ଦିରେ ଏବେ ମୁଖ୍ୟ ରାସ୍ତା କଡ଼ରେ ମାଳମାଳ ଦୋକାନ, ମାର୍କେଟ୍ କମ୍ପ୍ଲେକ୍ସ ଖୋଲିଗଲାଣି। କିନ୍ତୁ କେହି ନିୟମ ଅନୁଯାୟୀ, ୩୦ରୁ ୫୦% ପର୍ଯ୍ୟନ୍ତ ପାର୍କିଂ ଅଞ୍ଚଳ ଛାଡ଼ିନାହାନ୍ତି। କେଉଁ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ କେତେ ପାର୍କିଂ ଅଞ୍ଚଳ ଛାଡ଼ିବେ (୨୦ରୁ ୫୦% ପର୍ଯ୍ୟନ୍ତ) ତାହା ରାଜ୍ୟର ୧୧୫ଟି ଯାକ ସହରାଞ୍ଚଳ ପାଇଁ ଓଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ୍) ନିୟମ, ୨୦୨୦ ଅନୁଯାୟୀ ଲାଗୁ ହୋଇଛି। ହେଲେ କେଉଁଠି ବି ପାର୍କିଂ ଅଞ୍ଚଳ ଛାଡ଼ିବା ନିୟମକୁ କେହି ମାନୁନଥିବାବେଳେ ନଗର ଉନ୍ନୟନ ବିଭାଗ ଏହାକୁ ନ ସଜାଡ଼ି ଏବେ ନୂଆ ପାର୍କିଂ ନୀତି ଆଣିବାକୁ ଅଣ୍ଟା ଭିଡ଼ିଛି। ତାହା ପୁଣି ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ଲୋକଙ୍କୁ ବଳି ପକାଇବା ଭଳି।
ପାର୍କିଂ ଅଞ୍ଚଳରେ ବ୍ୟବସାୟ କରିବେ, ଲୋକେ ପାର୍କିଂ ଫି’ ଗଣିବେ
ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଲୋକଙ୍କୁ ଲୁଟୁଛନ୍ତି
ମନଇଚ୍ଛା ଗାଡ଼ି ଉଠାଇ ନେଉଛନ୍ତି, ୧୨୦୦ ଟଙ୍କା ନେଲେ ଛାଡ଼ୁଛନ୍ତି
ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ବୁଝି ପାରୁନାହାନ୍ତି ଯେ ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ ପାର୍କିଂ ପାଇଁ ଜାଗା ରଖିନାହାନ୍ତି, ସେଠାକୁ କିଣାକିଣି କରିବାକୁ ଆସୁଥିବା ଲୋକ ବାହାରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ପାର୍କିଂ ପାଇଁ ଧାର୍ଯ୍ୟ ଅଞ୍ଚଳରେ ପାର୍କିଂ କଲେ ପୌରସଂସ୍ଥା ପାର୍କିଂ ଫି’ ନେଉଛି। ଯଦି ବାହାରେ ପାର୍କିଂ କରୁଛନ୍ତି ସେହି ପୌରସଂସ୍ଥା କିମ୍ବା ପୁଲିସ ଗାଡ଼ି ଉଠାଇ ନେଇ ଗାଡ଼ି ପିଛା ୧୨୦୦ ଟଙ୍କା ଜରିମାନା ଆଦାୟ କରୁଛି। ଗାଡ଼ି ଟାଣିକି ନେବାକୁ ୭୦୦ ଟଙ୍କା (୧୦ ମିଟର ହେଉ କି ୫୦ ମିଟର), ବେଆଇନ ପାର୍କିଂ ଜରିମାନା ବାବଦକୁ ୫୦୦ ଟଙ୍କା ନେଲେ ଯାଇ ଗାଡ଼ି ଛାଡ଼ୁଛନ୍ତି। ଏହା ସଂପୂର୍ଣ୍ଣ ବେଆଇନ।
ଅପରପକ୍ଷେ କୌଣସି ଆପାର୍ଟମେଣ୍ଟ, ଆବାସିକ ଘର, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ନିୟମ ଭିତରେ ବେଆଇନ ନିର୍ମାଣ କରିଥିଲେ ସେମାନଙ୍କଠାରୁ ସର୍ବକ୍ଷମା ଯୋଜନାରେ ଜରିମାନା ଆଦାୟ କରି ଏହାକୁ ନିୟମିତ କରାଯାଉଛି। ଯେଉଁମାନେ ବେଆଇନ ନିର୍ମାଣ କରିଥିବା ପୌରସଂସ୍ଥା/ଉନ୍ନୟନ କର୍ତ୍ତୃପକ୍ଷ ଜାଣୁଛନ୍ତି ସେମାନଙ୍କୁ ଉଚ୍ଛେଦ ନୋଟିସ୍ କରୁଛନ୍ତି। କିନ୍ତୁ ଜନପଥରୁ ଆରମ୍ଭ କରି କଟକ ରୋଡ୍ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବଂ ରାଜ୍ୟର ଅନ୍ୟ ସହରାଞ୍ଚଳରେ ପାର୍କିଂ ଅଞ୍ଚଳ ନ ଛାଡ଼ି ଯେଉଁମାନେ ବେଆଇନ ନିର୍ମାଣ କରି ବ୍ୟବସାୟ କରୁଛନ୍ତି, ସେମାନଙ୍କୁ କେବେ ଉଚ୍ଛେଦ ନୋଟିସ୍ ହେଉନି। ଯଦି ନଗର ଉନ୍ନୟନ ବିଭାଗ ଏହିଭଳି ପ୍ରତିଷ୍ଠାନକୁ ଉଚ୍ଛେଦ ଧମକ ଦିଅନ୍ତା ତେବେ ସମସ୍ତ ବେଆଇନ ନିର୍ମାଣ କରିଥିବା ସଂସ୍ଥା, ବ୍ୟକ୍ତି ପାର୍କିଂ ଅଞ୍ଚଳ ସୃଷ୍ଟି କରନ୍ତେ କିମ୍ବା ପୌର ସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜରିମାନା ଦେଇ ତାଙ୍କ ବେଆଇନ ନିର୍ମାଣକୁ ନିୟମିତ କରନ୍ତେ। ଏହି ଜରିମାନା ଅର୍ଥରେ ପୌରସଂସ୍ଥା/ଉନ୍ନୟନ କର୍ତ୍ତୃପକ୍ଷ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରି ଲୋକଙ୍କୁ ମାଗଣାେର ଗାଡ଼ି ପାର୍କିଂ ସୁବିଧା ଯୋଗାଇ ପାରନ୍ତେ। ନଚେତ୍ ବେଆଇନ ନିର୍ମାଣକାରୀଙ୍କ ଠାରୁ ପାର୍କିଂ ଫି’ ବାବଦକୁ ଅର୍ଥ ଆଦାୟ କରାଗଲେ ଲୋକମାନଙ୍କ ପାଇଁ ଅଧିକ ପାର୍କିଂ ଅଞ୍ଚଳ ସୃଷ୍ଟି କରିବାକୁ ଘରୋଇ ଜମି ଭଡ଼ା ନିଆଯାଇପାରନ୍ତା। ହେଲେ ଅଧିକାରୀମାନେ ବ୍ୟବସାୟୀଙ୍କ କ୍ଷମତାକୁ ଡରି ଏବେ ଲୋକଙ୍କୁ ପାର୍କିଂ ଫି’ ଦଣ୍ଡ ଦେବାରେ ଲାଗିଛନ୍ତି। ଯାହା ଏବେ ସହରାଞ୍ଚଳବାସୀଙ୍କର ବଡ଼ ଦୁଃଖ ପାଲଟିଛି।