ଏ ଚାଉଳକୁ କ’ଣ ମଣିଷ ଖାଇବ? ଲୋକଙ୍କୁ ପଶୁ ଖାଦ୍ୟ ଉପଯୋଗୀ ଚାଉଳ ଦିଆଯାଉଛି!

ଭୁବନେଶ୍ବର ଓ କଟକରୁ ଆସିଲା ସାଂଘାତିକ ଚିତ୍ର

ନିମ୍ନମାନର ଚାଉଳ ଓ ଦୁର୍ନୀତିର ଗୁମର ଖୋଲିଲା କେନ୍ଦ୍ର
ମିଲର୍ସ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଅନୁଦାନ ବନ୍ଦ ହେବ

କେସିଙ୍ଗା : ରାଜ୍ୟ ସରକାର ଲୋକଙ୍କୁ ଯୋଗାଇ ଦେଉଥିବା ଚାଉଳ ନିମ୍ନମାନର ଏବଂ ପୋକରା ବୋଲି ବିଭିନ୍ନ ସମୟରେ ଗଣମାଧ୍ୟମରେ ଅଭିଯୋଗ ହୋଇ ଆସୁଥିଲା। ଖାଦ୍ୟ ଯୋଗାଣ ବିଭାଗ ଏହା ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ହେଲେ କେନ୍ଦ୍ର ଖାଉଟି ମନ୍ତ୍ରାଳୟ କରିଥିବା ତଦନ୍ତରେ କିନ୍ତୁ ସାଂଘାତିକ ସତ ସାମ୍ନାକୁ ଆସିଛି।

କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରାଳୟର ଅଧିକାରୀମାନେ ଖୋର୍ଧା ଓ କଟକ ଜିଲ୍ଲାରେ ବିଭିନ୍ନ ଗୋଦାମ ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ମେ’ ୨୭ ତାରିଖରେ ଜଣାଇ ଦେଇଛନ୍ତି ଯେ ଗୋଦାମରୁ ସଂଗ୍ରହ କରାଯାଇଥିବା ଚାଉଳ ଲୋକମାନଙ୍କର ଖାଦ୍ୟ ଉପଯୋଗୀ ନୁହେଁ। ବରଂ ଛେଳି, ଘୋଡ଼ା ଓ ମେଣ୍ଢା ଆଦି ପଶୁ ଖାଇପାରିବେ।

ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଖାଉଟି ମନ୍ତ୍ରାଳୟର ଉପ ଆୟୁକ୍ତ ବିଶ୍ବଜିତ୍ ହାଲଦାର କହିଛନ୍ତି, ଧାନ ସଂଗ୍ରହ ଠାରୁ ଚାଉଳ ପ୍ରସ୍ତୁତି ଏବଂ ଯୋଗାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅବହେଳା ଜଳ ଜଳ। ଏଭଳି ପରିସ୍ଥିତି ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ପ୍ରୋସିଡିଂ କରାଯିବା ଦରକାର। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ (ସଂଶୋଧିତ), ୨୦୨୦ ଅନୁସାରେ, ଉତ୍ତରଦାୟିତ୍ବ ଧାର୍ଯ୍ୟ ହେବା ସହିତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ମଣିଷ ଖାଇବା ପାଇଁ ଅନୁପଯୁକ୍ତ ଏହି ଚାଉଳ ଯୋଗାଇଥିବା ରାଇସ୍‌ ମିଲରଙ୍କୁ ତୁରନ୍ତ କଳା ତାଲିକାଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ବି ଏହି ଆଇନରେ ଦଣ୍ଡବିଧାନ କରାଯାଉ। ସବୁ ଡିପୋରେ ମିଲ୍‌ ଵାରି ସାମଗ୍ରୀ ରଖିବା ଲାଗି ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାର ଜଣାଇଛନ୍ତି ଯେ ରାଜ୍ୟରେ ବିଭିନ୍ନ ଗୋଦାମରେ ଥିବା ଅନ୍ୟ ଚାଉଳ ସ୍ଥିତି ବି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଏଣୁ ମନ୍ତ୍ରାଳୟ ଅନୁଧ୍ୟାନ ନ କରିବା ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ କଟକ ଗୋଦାମମାନଙ୍କରୁ କୌଣସି ଚାଉଳ ଲୋକଙ୍କୁ ନ ଦିଆଯାଉ। ବରଂ ଅନ୍ୟ ଜିଲ୍ଲାରୁ ଚାଉଳ ଆଣି ଭୁବନେଶ୍ବର ଓ କଟକରେ ବାଣ୍ଟିବା ଲାଗି କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ଏ ଦିଗରେ ପଦକ୍ଷେପ ନେଇ ତୁରନ୍ତ ନ ଜଣାଇଲେ ଓଡ଼ିଶାକୁ ଏ ବାବଦ ଟଙ୍କା ଦେବା କ୍ଷେତ୍ରରେ କେନ୍ଦ୍ର ସରକାର ପୁନଃବିଚାର କରିବେ ବୋଲି ସତର୍କ କରାଇ ଦିଆଯାଇଛି। ଏଣୁ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଉପ ଆୟୁକ୍ତ ଜଣାଇଛନ୍ତି।

ରାଜ୍ୟ ସରକାର ସମୁଦାୟ ବ୍ୟବସ୍ଥାର ପୁନଃ ଅନୁଧ୍ୟାନ କରିବା ଲାଗି ମଧ୍ୟ କେନ୍ଦ୍ର ସରକାର ଜଣାଇଛନ୍ତି।

The Indian Express

କେନ୍ଦ୍ରର ଏଭଳି ଆଭିମୁଖ୍ୟ ଏବେ ସରକାରଙ୍କ ଚାଉଳ ଯୋଜନା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି। ପ୍ରଶ୍ନ ଉଠୁଛି, ଯଦି ଭୁବନେଶ୍ବର ଓ କଟକରେ ସ୍ଥିତି ଏମିତି; ତେବେ ରାଜ୍ୟର ଅନ୍ୟ ଜିଲ୍ଲାର ସ୍ଥିତି କଣ ହୋଇଥିବ? ଯଦି ଯୋଗାଣ ବିଭାଗ ଅଧିକାରୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି, ତେବେ ସମୁଦାୟ ପ୍ରକ୍ରିୟା ଏବେ ତଦନ୍ତ ଅପେକ୍ଷା କରୁଛି।

ଉଲ୍ଲେଖଯୋଗ୍ୟ, କିଛି ଅଭିଯୋଗକୁ ଆଧାର କରି କେନ୍ଦ୍ର ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟର ଅତିରିକ୍ତ ନିର୍ଦେଶକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଓ କଟକରେ ରାଜ୍ୟ ସରକାରଙ୍କ ଚାଉଳ ଗୋଦାମ, ରାଇସ୍ ମିଲ୍, ସୁଲଭ ଦୋକାନ ଏବଂ ଏଫ୍‌ସିଆଇ ଗୋଦାମରେ ଚାଉଳ ଓ ଗହମ ଆଦିର ମାନ ଯାଞ୍ଚ କରିଥିଲେ। ଏହି ତନଖି ଏପ୍ରିଲ୍‌ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ହୋଇଥିଲା। ସେହି ଚାଉଳକୁ ଦିଲ୍ଲୀ କୃଷି ଭବନସ୍ଥିତ ଗବେଷଣାଗାରରେ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୧୫ଟି ସଂଗୃହୀତ ନମୁନାରୁ ୧୪ଟି କ୍ଷେତ୍ରରେ ଜଣାପଡ଼ିଥିଲା ଯେ ସେସବୁ ନିମ୍ନମାନର ଥିଲା। ଅର୍ଥାତ୍ ଏହା ଖାଇବା ପାଇଁ ଉପଯୋଗୀ ନୁହେଁ ବରଂ ପଶୁ ଖାଦ୍ୟ ପାଇଁ ଉଦ୍ଦିଷ୍ଟ। ରାଜଧାନୀର ୧୦୦ କିମି ପରିଧିରେ ଯଦି ଏପରି ଅବସ୍ଥା, ତାହାହେଲେ ରାଜ୍ୟର ଅନ୍ୟ ଅଞ୍ଚଳ ସ୍ଥିତି କିପରି ଥିବ ତାହା ସହଜରେ ଅନୁମେୟ।

ଏହି ଘଟଣା ଚାଉଳ ରିସାଇକ୍ଲିଂ ଅଭିଯୋଗକୁ ପୁଣି ତାଜା କରିଦେଇଛି। ଏହି ଘଟଣାରେ ଯୋଗାଣ ବିଭାଗର ଅଧିକାରୀମାନଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସୁଛନ୍ତି। ଏଫ୍‌ସିଆଇର ଅଧିକାରୀମାନେ ଆର୍‌ଆରସିର ଚାଉଳର ମାନକୁ ନିର୍ଦ୍ଧାରଣ କରି ସାର୍ଟିଫିକେଟ୍‌ ପ୍ରଦାନ କରିଥାନ୍ତି। ଯଦି ଚାଉଳ ନିମ୍ନମାନର ତାହାହେଲେ ଦାୟିତ୍ୱରେ ଥିବା ସେହି ଅଧିକାରୀମାନେ କ’ଣ କରୁଥିଲେ?

ସମ୍ବନ୍ଧିତ ଖବର