ଭୁବନେଶ୍ବର: ବଜାରରେ ବିକ୍ରି ହେଉଛି ନକଲି ଡାଳଚିନି। ସେ ଗୋଟା ହେଉ ବା ପାଉଡର। ବ୍ରାଣ୍ଡେଡ୍‌ କମ୍ପାନିର ହେଉ କିମ୍ବା ଖୁଚୁରା। ଏହା ଡାଳଚିନି ନୁହେଁ ବରଂ କାସିଆ। ମୁନାଫାଖୋର ବ୍ୟବସାୟୀ ଡାଳଚିନି ବଦଳରେ କାସିଆକୁ ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ଆସିଛି। ଡାଳଚିନି ତୁଳନାରେ କାସିଆ ଶସ୍ତା। ତରକାରୀରେ ଡାଳଚିନିର ବହୁଳ ବ୍ୟବହାର ରହିଥିବାରୁ ଲୋକମାନେ ମଧ୍ୟ ବର୍ଷ ବର୍ଷ ଧରି କାସିଆକୁ ଡାଳଚିନି କହି ଲୋକଙ୍କ ଅଜାଣତରେ ବେପାରୀମାନେ ବେଶ୍‌ ଲାଭ ଉଠାଉଛନ୍ତି।

Advertisment

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)ଙ୍କ ନିକଟରେ ବଜାରରେ ନକଲି ଡାଳଚିନି ନେଇ ବହୁ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ବଜାରରେ ଉପଲବ୍ଧ ଡାଳଚିନିର ଯାଞ୍ଚ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭିତ୍ତିରେ ରାଜ୍ୟବ୍ୟାପୀ ବଜାରରେ ବିକ୍ରି ହେଉଥିବା ଡାଳଚିନିର ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଉଭୟ ଖୁଚୁରା ଓ ଷ୍ଟକିଷ୍ଟ୍‌ଙ୍କଠାରୁ ନମୁନା ସଂଗ୍ରହ କରାଯାଉଛି। ଆସନ୍ତା କିଛିଦିନ ଭିତରେ ସଂଗୃହୀତ ନମୁନାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

କାସିଆ ପ୍ରାୟତଃ ଦେଖିବାକୁ ଡାଳଚିନି ଭଳି। ଏଥିରେ କୌମେରିନ ସ୍ତର ଅଧିକ ରହିଥାଏ। ଯାହାକି ଦେହ ପାଇଁ ଖରାପ। ମାତ୍ର ଅନେକ ଡାଳଚିନିର ଭ୍ରମ ଦେଖାଇ ବିକ୍ରି କରୁଛନ୍ତି। ଡାଳଚିନି(ସିନାମନ) ମୁଖ୍ୟତଃ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ଉତ୍ପାଦିତ ହୋଇଥାଏ। ଅପରପକ୍ଷରେ କାସିଆ ଚୀନ୍, ଭିଏତନାମ ଓ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ। ଡାଳଚିନି ଓ କାସିଆ ଭିତରେ ଫରକ୍ ଜାଣିବା ସାଧାରଣ ଲୋକଙ୍କ ପକ୍ଷରେ ମୁସ୍କିଲ୍‌। ଉଭୟ ଉତ୍ପାଦରେ ରସାୟନିକ। ତେଣୁ ବ୍ୟବସାୟୀମାନେ କାସିଆକୁ ଡାଳଚିନି କହି ବିକ୍ରି କରିଥାନ୍ତି। ୨୦୧୬ ମସିହା ନଭେମ୍ବର ୨୪ ତାରିଖରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଡାଳଚିନିକୁ ନେଇ ଯେଉଁ ସଂଶୋଧିତ ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା, ତହିଁରେ କୌମେରିନ ସ୍ତର ୦.୩%ରୁ ଅଧିକ ନ ହେବା ସଂପର୍କରେ ଉଲ୍ଲେଖ ରହିଛି। ଏପରିକି ଡାଳଚିନିର ବିଭିନ୍ନ ଭେରାଇଟିରେ ମଧ୍ୟ କୌମେରିନ ୦.୨% ଦେଖିବାକୁ ମିଳିଥାଏ। ମାତ୍ର କାସିଆରେ କୌମେରିନ ସ୍ତର ୦.୮%ରୁ ୧୦.୬୩% ରହିଛି। ଭାରତୀୟ ସ୍ପାଇସ୍ ବୋର୍ଡ ପକ୍ଷରୁ କୌମେରିନ ସ୍ତର ଚିହ୍ନଟ ପାଇଁ ଏଚ୍‌ପିଏଲ୍‌ସି ମେଥଡ୍‌ ବ୍ୟବହାର କରିବା କହିଛନ୍ତି।

ରାଜ୍ୟ ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ମତରେ ଏଫ୍‌ଏସ୍‌ଏସ୍‌ଏଆଇର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ନମୁନା ସଂଗ୍ରହ ଆରମ୍ଭ କରାଯାଇଛି। ରାଜ୍ୟରେ ଉପଲବ୍ଧ ହେଉଥିବା ସ୍ଥାନୀୟ ବ୍ରାଣ୍ଡ, ଅନ୍ୟ ବ୍ରାଣ୍ଡ ସମେତ ଖୋଲାରେ ମିଳୁଥିବା ଡାଳଚିନିର ନମୁନା ସଂଗ୍ରହ ଚାଲିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ଡାଳଚିନି ଓ କାସିଆକୁ କିଭଳି ଲୋକମାନେ ଚିହ୍ନିବେ ତାହା ସଂପର୍କରେ ସଚେତନ କରାଯିବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।