କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ଅଞ୍ଚଳ ଦେଇ ପ୍ରବାହିତ ଟିକିରା ନଦୀ ଅନେକଦିନ ହେଲା ଶୁଖିଗଲାଣି। ନଦୀର ଉପର ମୁଣ୍ଡରୁ ତଳକୁ ପାଣି ଆସୁନାହିଁ। ଯେତିକି ପାଣି ଆସୁଛି, ତାହା ଖୁବ୍‌ କମ୍‌। ନଦୀଟି ପ୍ରାୟତଃ ଶୁଖିଲା ହୋଇପଡ଼ିଛି। ଏହି ନଦୀଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରୁ ବାହାରି କଣିହାଁ ବ୍ଲକ ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି। ଟିକିରା ନଦୀ ଉପରେ କଣିହାଁ ବ୍ଲକର ଡେରଙ୍ଗ, ହନୁମାନପୁର, କଣିହାଁ, ଗଦାଶିଳା ଓ ବିଜିଗୋଳ ପଞ୍ଚାୟତର ଲୋକମାନେ ନିର୍ଭର କରିଥାଆନ୍ତି। ଆବହମାନକାଳରୁ ନଦୀର ଉଭୟ ପାର୍ଶ୍ବରେ ଥିବା କଣିହାଁ ବ୍ଲକର ଅଧିବାସୀମାନେ ପାନୀୟଜଳ, ସ୍ନାନଶୌଚ, ଚାଷବାସ ପାଇଁ ଟିକିରା ଉପରେ ନିର୍ଭରକରି ଆସୁଥିଲେ।

Advertisment

ଏହାର କୂଳରେ ଉଠା ସେଚପ୍ରକଳ୍ପ ଦ୍ବାରା ଜଳସେଚନ ହୋଇପାରୁଥିଲା। ଲୋକମାନେ ବିଭିନ୍ନ ଫସଲ ଚାଷକରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ମାସ ମାସ ଧରି ନଦୀ‌ରେ ପାଣି ଆସୁନାହିଁ। ଅନେକ ଉଠା ସେଚପ୍ରକଳ୍ପ ଅଚଳ ହୋଇପଡ଼ିଛି। ନଦୀକୂଳ ଜଙ୍ଗଲରେ ଥିବା ବନ୍ୟପ୍ରାଣୀମାନେ ପିଇବାକୁ ପାଣି ପାଉନାହାନ୍ତି। ନଦୀ ଉପରେ ନିର୍ଭର କରୁଥିବା କଣିହାଁ ଓ ଛେଣ୍ଡିପଦା ବ୍ଲକର ହଜାର ହଜାର ଲୋକ ପାଣି ପ‌ା‌ଇନପ‌ାରି ହନ୍ତସନ୍ତ ହେଉଛନ୍ତି। ନଦୀର ଏପରି ଅବସ୍ଥା ନେଇ ଚିନ୍ତା ପ୍ରକାଟ କରିଛନ୍ତି ପରିବେଶପ୍ରେମୀ। ଏହି ନଦୀର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ସହିତ ଏଥିରେ ଜଳପ୍ରବାହ ଲାଗି ଚିନ୍ତା କରିବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।