ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୁଲିସ ଉପରେ ଲୋକଙ୍କର ଭରସା କୁଳଉନି। ନିରୀହ ନାଗରିକ ମାଡ଼ଖାଇ ଥାନାକୁ ଗଲେ ଥାନାରୁ ଅଭିଯୁକ୍ତଙ୍କୁ କାଉଣ୍ଟର କେସ୍ କରିବାକୁ ପରାମର୍ଶ ଦେଇ ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଉଛି। ଯାହାଫଳରେ ଲୋକମାନେ ଥାନାକୁ ଯିବାକୁ ପସନ୍ଦ କରୁନାହାନ୍ତି। ପୁଲିସ ସହରରେ ଘଟୁଥିବା ଚୋରିଡକାୟତି ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଅଗଷ୍ଟ ମାସରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଘରୁ ୭/୮ଜଣ ଡକାୟତ ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଥିଲେ। ଉକ୍ତ ଘଟଣାରେ ପୁଲିସ ଅଦ୍ୟାବଧି ଡକାୟତଙ୍କୁ ଧରିବାରେ ବିଫଳ ହୋଇଛି।
ସେହିପରି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଧରିବାରେ ପୁଲିସର ବିଫଳତା ଜାରିରହିଛି। ସେହିପରି ଭାଟାପଡ଼ାର ସୁରେଶ ଶର୍ମାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ଘଟଣାରେ ପୁଲିସ ଆଜି ଯାଏଁ ଚୋରଙ୍କୁ ଧରିବାରେ ସଫଳ ହୋଇନାହିଁ। ଜାମପାଲିରେ ଥିବା ସ୍ପଞ୍ଜ କାରଖାନାରୁ କୋଟିକୋଟି ଟଙ୍କାର ସଂପତ୍ତି ଚୋରମାନେ ବୋହିନୋଲେ ବି ପୁଲିସ ଜାଣିପାରିଲା ନାହିଁ। ଟ୍ରାଫିକ୍ ସମସ୍ୟାକୁ ମଧ୍ୟ ଠିକ୍ ଭାବେ ପୁଲିସ ପରିଚାଳନା କରୁନାହିଁ। ରାଣୀବଂଧଠାରୁ ମାଟିଗେଟ୍ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବରେ ସିମେଣ୍ଟ ପାଇଁ ଆସୁଥିବା ଟ୍ରକ୍ଗୁଡ଼ିକ ଛିଡ଼ାହେବାରୁ ସହରର ପ୍ରବେଶପଥ ଏକ ପ୍ରକାର ବନ୍ଦ ହୋଇପଡ଼ୁଛି। ସ୍ଥାନୀୟ ସୁଭାଷ ବୋଷ ଛକଠାରୁ ଇନ୍ଦିରାଛକ ଏବଂ ସହିଦ ଛକରେ ଟ୍ରାଫିକ୍ ସମସ୍ୟା ଅତି ଗୁରୁତର ହୋଇଛି। ରେଳଫାଟକ ଅଧିକାଂଶ ସମୟ ବନ୍ଦ ହେଉଥିବାରୁ ଗାଡ଼ିଗୁଡ଼ିକ ମୁଖ୍ୟରାସ୍ତାରେ ଛିଡ଼ା ହେଉଛନ୍ତି। ସହରରେ ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ବଦେବା ପାଇଁ ସାଧାରଣରେ ଦାବିହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/rajgangapur-ps.jpg)