ଭାତ ବଦଳରେ କାଙ୍ଗୁ, ଏବେ ମଧ୍ୟ ବହୁ ଗର୍ଭବତୀ ମହିଳା ଅସୁରକ୍ଷିତ

ମାଲକାନଗିରି: ବିକାଶ ପଥରୁ ବିଚ୍ୟୁତ ହୋଇଛି ବଣ୍ଡାଘାଟି। ସରକାର କୋଟି କୋଟି ଟଂକା ଖର୍ଚ୍ଚ କରିବା ସତ୍ତେ ପେଟ ଭର୍ତ୍ତି ଭାତ ମଧ୍ୟ ଆଦିମ ଜନଜାତି ବଣ୍ଡାଙ୍କ ଭାଗ୍ୟରେ ଜୁଟୁ ନାହିଁ। ପୁଷ୍ଟିକର ଖାଦ୍ୟ କ’ଣ ଏମାନେ ଜାଣନ୍ତି ନାହିଁ। ତେଣୁ ଅନାହାର ଏବଂ ଅପପୁଷ୍ଟିରେ ରହିଛନ୍ତି ଶହ ଶହ ବଣ୍ଟା। ଅଭାବ ଅନାଟନ ମଧ୍ୟରେ ରହିଥିବା ଏହି ଜନଜାତି ପରିସ୍ଥିତିରେ ପଡି ଦାଦନ ସାଜୁଛି, ନଚେତ ଶିଶୁ ବିକ୍ରି କରିବାକୁ ପଛାଉ ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ଗତବର୍ଷ ଘଟିଥିଲା। ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଥିଲା।

ଜଣେ ଅସହାୟ ବାପା ତାର ୧୮ ଦିନର ଶିଶୁ କନ୍ୟାକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲା। ଗଣମାଧ୍ୟମରେ ଏହା ପ୍ରଚାର ପ୍ରସାର ହେବା ପରେ ପ୍ରଶାସନ ପହଞ୍ଚି ସହଯୋଗର ହାତ ବଢାଇଥିଲା। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହୁଥିବା ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସିଛି। ଲୋକେ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ବଣ୍ଡାଘାଟିର ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତରର ଗୋଟିଏ କିମ୍ବା ଦୁଇଟି ଗ୍ରାମର କଥା ନୁହେଁ ଏଭଳି ବହୁ ଗ୍ରାମରେ ଲୋକେ ଅତି ଦୟନୀୟ ପରିସ୍ଥିତିରେ ରହିଛନ୍ତି। ଏପରକି ବହୁ ମହିଳା ୫ରୁ ୬ଟି ଛୁଆ ପରେ ମଧ୍ୟ ଗର୍ଭବତୀ ରହିଛନ୍ତି। ସରକାରଙ୍କର ସଚେତନତା ଅଭାବରୁ ଏଭଳି ଘଟୁଥିବା କୁହାଯାଇଛି। ଏଠାରେ ଅଂଗନବାଡି କର୍ମୀଙ୍କର ଦେଖା ମିଳୁନଥିବାରୁ ଗର୍ଭବତୀ ମହିଳାମାନଙ୍କୁ ଗର୍ଭବତୀ ସମୟରେ ଯେଭଳି ନିୟମ ମାନିବା କଥା ଏବଂ ଔଷଧ ସେବନ କରିବା କଥା ତାହା ଦେଖିବାକୁ ମିଳୁନାହିଁ।

Sambad

ଗର୍ଭବତୀ ମହିଳା ଏଠାରେ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି। ଗୋଟିଏ ଗୋଟିଏ ପରିବାରର ୬ରୁ ଉର୍ଦ୍ଧ୍ବ ପିଲା ରହିଛନ୍ତି। ଏପଟେ ଅର୍ଥାଭାବ ସାଂଗକୁ ପରିବାର ସଦସ୍ୟଙ୍କ ବୃଦ୍ଧି ସେମାନଙ୍କୁ ବେଳେ ବେଳେ ଭୋକ ଉପାସରେ ରହିବାକୁ ବାଧ୍ୟ କରୁଛି। ବଣ୍ଡାଘାଟିରେ ଲୋକେ ଭାତ ବଦଳରେ ଖାଉଛନ୍ତି ସୁଆଁ, କାଙ୍ଗୁ ଭଳି ଖାଦ୍ୟ। ସରକାରଙ୍କର ଚାଉଳ ମିଳୁନଥିବା କହିବା ସହ ଭାତ ପାଇଁ ଏମାନେ ବହୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।

ପରିବାର ଲୋକେ ଜଂଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାହାକୁ ବଜାରରେ ବିକ୍ରି କରିବା ସହ ନିଜ ପାଇଁ ମଧ୍ୟ ସାଇତି ରଖୁଥିବା ଦେଖିବାକୁ ମିଳିଛି। ନିଜର ପାରମ୍ପାରିକ ଢଙ୍ଗରେ ବଂଚିବାର ଶିଖି ଯାଇଛନ୍ତି ଏମାନେ। ତେଣୁ ସରକାରଙ୍କର ସହଯୋଗକୁ ଏମାନେ ଅନେଇ ବସି ନାହାଁନ୍ତି। ବଣ୍ଡାଘାଟିର ଲୋକଙ୍କ ପାଇଁ ସରକାର କେତେ ଯୋଜନ କରିଛନ୍ତି। କିନ୍ତୁ ଏଠାରେ ସେସବୁ ଯୋଜନା ଅପହଞ୍ଚ। କାଗଜ କଲମରେ ବଣ୍ଡା ଜନଜାତିଙ୍କର ଉନ୍ନତି କରାଯାଉଥିବା ଦର୍ଶାଯାଉଥିବା ବେଳେ କିନ୍ତୁ ବାସ୍ତବରେ ସ୍ଥିତି ଅତି ଭୟଙ୍କର। କେବେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏମାନଙ୍କର ଦୁଃଖ ବୁଝି ନାହାନ୍ତି।ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତରେ ୩୨ଟି ଗ୍ରାମରେ ମୋଟ ୭ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।କାମଧନ୍ଦା ନପାଇ ବହୁ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି।

Sambad

ଏପରିକି ମାଲକାନଗିରି ଜିଲ୍ଲାର ବିଭିନ୍ନ ହୋଟେଲ ଏବଂ ଗ୍ୟାରେଜରେ ବଣ୍ଡା ପିଲାମାନେ କାମ କରୁଥିବାର ଦେଖିବାକୁ ମିଳେ।ପିଲାମାନେ ଘର ଛାଡି କେଉଁ ଆଡେ ଗଲେ ମଧ୍ୟ ପରିବାର ଲୋକେ ଖୋଜନ୍ତି ନାହିଁ।କାରଣ ଘରେ ପୂର୍ବରୁ ହିଁ ୫ରୁ ଉର୍ଦ୍ଧ୍ବ ପିଲା ରହିଥାନ୍ତି।ପ୍ରତିଦିନ ଦୁଇ ବେଳା ଖାଇବାକୁ ଦେଇପାରୁନଥିବାରୁ ପରିବାର ଲୋକେ ମଧ୍ୟ ସେମାନଙ୍କୁ ବାହାରକୁ ଯିବାକୁ ପରାମର୍ଶ ଦେଇଥାନ୍ତି।ରାଜ୍ୟ ସରକାର ବଣ୍ଡା ଜନଜାତିଙ୍କ ପାଇଁ କାହିଁ କେତେ ଯୋଜନା କରିଥିଲେ ମଧ୍ୟ ସେସବୁ ଯୋଜନା ଘାଟି ଚଢିପାରୁ ନାହିଁ।ବଣ୍ଡା ଜନଜାତି ବାସ୍ତବରେ ଅଭିଶପ୍ତ ବୋଲି କୁହାଯାଉଛି।ସେମାନଙ୍କର ଅବସ୍ଥା ସଂପର୍କରେ କେହି ମଧ୍ୟ ଜାଣିବାକୁ ଚାହୁଁ ନାହାନ୍ତି।କେବଳ ଲୋକ ଦେଖାଣିଆ ଭାବେ କାର୍ୟ୍ୟ କରୁଛି ପ୍ରଶାସନ।ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ବଣ୍ଡା ଜନଜାତିର ଉନ୍ନତି କେବେ ହେବ ଏବଂ ଏହି ଜନଜାତି ଦୁଇ ବେଳେ ଭାତ ମୁଠାଏ ପାଇବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର