ଭାଷା ଶିଖିବାକୁ ଆଗ୍ରହ ନାହିଁ , ଅଲୋଡ଼ା ହେବାକୁ ବସିଲାଣି ପୂର୍ବାଞ୍ଚଳ ଭାଷା କେନ୍ଦ୍ର

ଭୁବନେଶ୍ବର: ଲକ୍ଷ୍ମୀସାଗରରେ ଥିବା ପୂର୍ବାଞ୍ଚଳ ଭାଷା କେନ୍ଦ୍ର ଧୀରେ ଧୀରେ ଅଲୋଡ଼ା ହେବାକୁ ବସିଲାଣି। ଗତ କିଛିବର୍ଷ ଧରି ‌ଭାଷା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ଭାଷା ଶିଖିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଭାଷା କେନ୍ଦ୍ରକୁ ଏବେ ଅଣ ଶିକ୍ଷକମାନେ ଭାଷା ଶିଖିବାକୁ ଯାଉଛନ୍ତି। ତାହା ପୁଣି ଧାର୍ଯ୍ୟ ସିଟ୍ ତୁଳନାରେ ଯଥେଷ୍ଟ କମ୍। ପୂର୍ବ ଭାରତରେ ଏହା ଏକମାତ୍ର ଭାଷା କେନ୍ଦ୍ର ରହିଥିବା ବେଳେ ଧୀରେ ଧୀରେ ଏହା ଲୋକ ଲୋଚନରୁ ହଜି ଯିବାକୁ ବସିଛି।

କେନ୍ଦ୍ର ମାନବ ସମ୍ବଳ ବିଭାଗ ଅଧୀନରେ ମହୀଶୂରରେ ଥିବା କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅଧୀନରେ ରହିଛି ପୂର୍ବାଞ୍ଚଳ ଭାଷା କେନ୍ଦ୍ର। ସାରା ଦେଶରେ ବିଭିନ୍ନ ଭାଷାକୁ ନେଇ ଏହାର ୭ଟି କେନ୍ଦ୍ର ରହିଛି। ୧୯୭୦ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିଲା ପୂର୍ବାଞ୍ଚଳ ଭାଷା କେନ୍ଦ୍ର। ଏହାର ଦୁଇବର୍ଷ ପରେ ତାଲିମ୍ ଆରମ୍ଭ ହୋଇଥିଲା। ଏହି କେନ୍ଦ୍ରରେ ଓଡ଼ିଆ ସମେତ ବେଙ୍ଗଲି, ମୈଥଲି ଓ ସାନ୍ତାଳି ଭାଷା ଶିକ୍ଷା ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ ସମୁଦାୟ ୮୮ଟି ସିଟ୍ ରହିଛି। ବିଶେଷକରି ଯେଉଁ ସରକାରୀ ଶିକ୍ଷକମାନେ ଅନ୍ୟ ଭାଷା ଶିକ୍ଷା କରିବାକୁ ଚାହିଁବେ ସେମାନଙ୍କୁ ଏଠାରେ ଅଗ୍ରାଧିକାର ଦିଆଯାଇଥାଏ। ଏଥିପାଇଁ ସଂପୃକ୍ତ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କଠାରୁ ଆପତ୍ତିବିହୀନ ପ୍ରମାଣପତ୍ର ବା ଏନ୍‌ଓସି ସହିତ ନିଜର ଦରମା ସ୍ଲିପ୍ ଦେବାକୁ ପଡ଼ିଥାଏ। ସମୁଦାୟ ୧୦ମାସର ଏହି ତାଲିମ୍‌ ସମୟରେ ସଂପୃକ୍ତ ଶିକ୍ଷକଙ୍କୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତିକି ଦରମା ଦିଆଯାଉଥିବା ତାହା ଦିଆଯିବା ସହିତ ଇନ୍‌ସେଣ୍ଟିଭ୍ ମଧ୍ୟ ପ୍ରଦାନ କରାଯାଇଥାଏ। କେନ୍ଦ୍ରରେ ମାଗଣାରେ ରହିଥିବାର ବ୍ୟବସ୍ଥା ରହିଥିଲେ ହେଁ, ଖାଇବା ଖର୍ଚ ନିଜକୁ ଉଠାଇବାକୁ ପଡ଼ିଥାଏ। ତେବେ ଗତ ୧୦ବର୍ଷ ହେବ ଏହି କେନ୍ଦ୍ରକୁ ଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥେଷ୍ଟ କମିଛି। କହିବାକୁ ଗଲେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ଏଠାକୁ ଆସୁ ନାହାନ୍ତି।

ଏଭଳି ପରିସ୍ଥିତିରେ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଦେବା ପରିବେର୍ତ କେନ୍ଦ୍ର ପକ୍ଷରୁ ଏବେ ବିଏଡ୍‌, ଏମ୍‌ଏଡ୍‌, ନେଟ୍‌ ଓ ପିଏଚ୍‌ଡି କରୁଥିବା ଛାତ୍ରଛାତ୍ରୀ/ବ୍ୟକ୍ତିଙ୍କୁ ଭାଷା ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସେମାନଙ୍କୁ ୫ହଜାର ଟଙ୍କାର ଷ୍ଟାଇପେଣ୍ଡ ଆକାରରେ ଦିଆଯାଉଛି। ତେବେ ପିଏଚ୍‌ଡି/ଏମ୍‌.ଫିଲ୍ କରିଥିବା ଛାତ୍ରଛାତ୍ରୀମାନେ ଅନ୍ୟତ୍ର ନିଯୁକ୍ତି ପାଇବା ପରେ ଏହାକୁ ଅଧାରୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଅଧା ଶିକ୍ଷାରୁ ସିଟ୍ ଖାଲି ପଡ଼ୁଛି। ଅପରପକ୍ଷରେ ଅନେକ ଶିକ୍ଷକ ଅନ୍ୟ ଭାଷା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ହେଁ ସେମାନଙ୍କୁ ଠିକ୍ ସମୟରେ ଏନ୍‌ଓସି ମିଳୁ ନ ଥିବା ଅଭିଯୋଗ ହେଉଛି। ଯାହାଫଳରେ ‌ସେମାନେ ଭାଷା ଶିକ୍ଷା ପାଇଁ ଆସିପାରୁ ନାହାନ୍ତି। ଯଦିଓ ଅନ୍ୟ ରାଜ୍ୟରୁ ଶିକ୍ଷକମାନେ ଏହି କେନ୍ଦ୍ରକୁ ଭାଷା ଶିକ୍ଷା ପାଇଁ ଆସୁଛନ୍ତି, ମାତ୍ର ସେମାନଙ୍କ ସଂଖ୍ୟା ଯଥେଷ୍ଟ କମ୍। ଗତବର୍ଷ ଏହି କେନ୍ଦ୍ରରେ ୮୮ଟି ସିଟ୍‌ରେ ମାତ୍ର ୨୧ଜଣ ଆଡମିସନ୍ ଶିକ୍ଷା କରିଥିବା ଜଣାପଡ଼ିଛି। ପୂର୍ବାଞ୍ଚଳ ଭାଷା‌ କେନ୍ଦ୍ରର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୯ କୋଟି ଟଙ୍କା ବ୍ୟୟମଞ୍ଜୁର କରାଯାଇଛି। ଏଥିରେ ନୂତନ ପ୍ରଶାସନିକ ବିଲ୍ଡିଂ ସହିତ ତାଲିମ୍ କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ନିର୍ମାଣ କରାଯିବ। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି।

ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି
ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ‘ଫନି’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନରେ ଭାଷା କେନ୍ଦ୍ର ପରିସରରେ ଅଧାରୁ ଅଧିକ ଗଛ ଭାଙ୍ଗି ଯାଇଛି। ଏହାସହ ଏକାଧିକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍‌ ତାର ଛିଣ୍ଡିଯିବା କାରଣରୁ କେନ୍ଦ୍ର ଦୀର୍ଘଦିନ ହେବ ବିଜୁଳି ସେବାରୁ ବଞ୍ଚିତ ହୋଇଥିଲା। ତେବେ କେନ୍ଦ୍ରରେ କେତେ ଟଙ୍କା କ୍ଷୟକ୍ଷତି ହୋଇଛି ତାହା କର୍ତୃପକ୍ଷ ଆକଳନ କରିବା ପରେ କେନ୍ଦ୍ର ପୂର୍ତ ବିଭାଗକୁ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର