ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍‌ ସମୀକ୍ଷା, ଲୋକେ ବେପରୁଆ ହେଉଛନ୍ତି: ପ୍ରଧାନମନ୍ତ୍ରୀ

ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ କରାଇବାକୁ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‌ ଆଜି ‌ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍‌ କୋଭିଡ୍‌ ସମୀକ୍ଷା ବୈଠକ କରିଛନ୍ତି। ଆଲୋଚନା ବେଳେ ହରିୟାଣା, ଦିଲ୍ଲୀ, ଛତିଶଗଡ଼, କେରଳ , ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଥିଲା। କରୋନା ମୁକାବିଲା ପାଇଁ ମୋଦୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିବା ବେଳେ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ନିଜ ରାଜ୍ୟର କୋଭିଡ୍‌ ସ୍ଥିତି ନେଇ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆରୋଗ୍ୟ ହାର ଭଲ ରହିଥିବାରୁ ଲୋକମାନେ ଅଧିକ ବେପରୁଆ ହୋଇଯାଉଛନ୍ତି। ଅନେକ ଭାବୁଛନ୍ତି କରୋନା ଦୁର୍ବଳ ହୋଇଗଲାଣି ଏବଂ ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ। ତେବେ ରାଜ୍ୟମାନେ କୌଣସି ପ୍ରକାର ତ୍ରୁଟି ନକରିବାପାଇଁ ମୋଦୀ ଚେତାଇ ଦେଇଛନ୍ତି। ‌ସେହିପରି ପଜିଟିଭ୍‌ ହାର ୫ ପ୍ରତିଶତରୁ କମ୍‌ କରିବାପାଇଁ ଏବଂ ମୃତ୍ୟୁହାର ୧ ପ୍ରତିଶତରୁ କମ୍‌ ରଖିବା ଦିଗରେ ରାଜ୍ୟମାନେ କାର୍ଯ୍ୟ କରିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି। ଟିକା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖି ମୋଦୀ କହିଛନ୍ତି, ତ୍ବରିତ ସମୟ ସହ ସୁରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତ ଏହାର ନାଗରିକଙ୍କୁ ଯେଉଁ ଟିକା ଦେବ ତାହା ସମସ୍ତ ବୈଜ୍ଞାନିକ ଆଧାରରେ ସୁରକ୍ଷିତ ରହିବ ବୋଲି ମୋଦୀ କହିଛନ୍ତି। ସେହିପରି ଟିକା ରଖିବାପାଇଁ ରାଜ୍ୟମାନେ ଶୀତଳ ଭଣ୍ଡାର ସୁବିଧା ଦିଗରେ କାର୍ଯ ଆରମ୍ଭ କରିବାପାଇଁ ମୋଦୀ କହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ମିଳିବ ବୋଲି ମୋଦୀ ସ୍ପଷ୍ଟ କରିଛନ୍ତି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର