ଭୁବନେଶ୍ବର: ଅଧରାତିରେ ଅଶାନ୍ତ ହୋଇଉଠିଲା ଭରତପୁର ଥାନା ରମଣୀସାହି ବସ୍ତି। ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପିସିଆର୍‌ ଭ୍ୟାନ୍‌କୁ ପଥର ଫିଙ୍ଗି ଭାଙ୍ଗିଲେ। ଆକ୍ରମଣରେ ଜଣେ ଏସ୍‌ଆଇଙ୍କ ସମେତ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୁରକ୍ଷାକୁ ‌ଦୃଷ୍ଟିରେ ରଖି ସେଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଆକ୍ରମଣ କରିଥିବା ୫ ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି ସୂଚନା ମୁତାବକ, କିଛିଦିନ ତଳେ ରମଣୀ ସାହିରେ ଭଡ଼ାଟିଆ ଓ ଘର ମାଲିକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା।  ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଭଡ଼ା ବାବଦକୁ ଟଙ୍କା ଦେଉନଥିଲେ।

Advertisment

ଯେଉଁଥିପାଇଁ ଗତ ୧ ତାରିଖ ସୁଦ୍ଧା ଘର ଛାଡ଼ିବାକୁ ମାଲିକ ଭଡ଼ାଟିଆକୁ କହିଥିଲେ। ଇତିମଧ୍ୟରେ ୨ସପ୍ତାହ ବିତିଯାଇଥିଲେ ବି ସେ ଘର ଛାଡ଼ି ନଥିଲେ କି ଟଙ୍କା ଦେଇ ନଥିଲେ। ଏହାକୁ ନେଇ ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ କଥା କଟାକଟି  ହୋଇଥିବାବେଳେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ବେ ଭଡ଼ାରେ ରହୁଥିବା ବ୍ୟକ୍ତି ଘର ଛାଡ଼ି ନଥିଲେ। ତେଣୁ ଘର ମାଲିକ ଆଜି ସନ୍ଧ୍ୟାରେ ତାଙ୍କର କିଛି ସମର୍ଥକଙ୍କୁ ଧରି ଭଡ଼ାଟିଆଙ୍କୁ ବାହାରିବାକୁ କହିବାରୁ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ ଭୀଷଣ ରୂପ ନେଇଥିଲା। ସ୍ଥିତି ବିଗିଡ଼ିବାରୁ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଗୋଟିଏ ପକ୍ଷର କିଛି ଯୁବକ ଅତର୍କିତ ଭାବେ ପୁଲିସକୁ ଆକ୍ରମଣ କରିଥିଲେ। ବହ୍ଲାରେ ଗୋଡ଼ାଇ ଗୋଡ଼ାଇ ପୁଲିସକୁ ପିଟିଥିଲେ। ଖାଲି ପୁଲିସକୁ ପିଟି ନଥିଲେ, ରାଗରେ ପିସିଆର୍‌ ଭ୍ୟାନ୍‌କୁ ଟେକାପଥର ମାଡ଼ କରି ଭାଙ୍ଗିଥିଲେ। ଏଥିରେ ପିସିଆର୍‌ର ଏସ୍‌ଆଇଙ୍କ ମୁହଁ ଫାଟିଯିବା ସହ ଅନ୍ୟ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସର ଆଉ ୩ଟି ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସ ଫୋର୍ସ ଦେଖି ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସେଠାରୁ ୫ ଜଣଙ୍କୁ କାବୁ କରି ଥାନାକୁ ଆଣିଛି।