୪ ଶହ ଟଙ୍କା ପାଇଁ ଗଛରେ ବାନ୍ଧି ପିଟିଲେ

କୋରେଇ : ମଣିଷ ପଣିଆ ଯେପରି ହଜିଗଲାଣି । ମାତ୍ର ୪ ଶହ ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟିଛନ୍ତି ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ ପଂଚାୟତ ତାରାକୋଟ ଅଂଚଳରେ।

ଆଜି ସକାଳେ ତାରାକୋଟ ସ୍ଥିତ ନୂଆପୋଖରୀରେ ଗାଁ ଇଲିଆସ୍‌ ଖାଁ ଗାଧୋଇବା ପୂର୍ବରୁ ନିଜ ପାଖରେ ଥିବା ୪୦୪ ଟଙ୍କାକୁ ତୁଠରେ ରଖି ପୋଖରୀ ଭିତରକୁ ଯାଇଥିଲେ। ପରେ ପୂର୍ବକୋଟ ଗ୍ରାମର ବିଶ୍ୱନାଥ ଦାସ(୪୦) ନାମକ ଯୁବକ ପୋଖରୀ ତୁଠରେ ଥିବା ଟଙ୍କାକୁ ଦେଖି ଲୋଭର ବଶବର୍ତ୍ତୀ ହୋଇ ନେଇଯାଉଥିବା ସମୟରେ ଇଲିଆସ୍‌ ଦେଖିନେଇଥିଲେ। ଟଙ୍କା ଚୋରି ହେବାର ଦେଖି ଇଲିଆସ୍‌ ଚିତ୍କାର କରିବା ପରେ ହଠାତ୍‌ କିଛି ଲୋକ ସମାଗମ ହୋଇ ବିଶ୍ୱନାଥଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ଯୁବକ ଜଣକ ବେକାର। ସେ କିଛିଦିନ ହେଲା ଭୋକ ଓପାସରେ ଥିଲେ। ତେଣୁ ପେଟ ବିକଳରେ ଟଙ୍କା ଚୋରି କରିଥିବା କହି ଛାଡ଼ି ଦେବାକୁ କାକୁତିମିନତି ହୋଇଥିଲେ। ହେଲେ ତାହା କଥାକୁ କେହି ଗୁରୁତ୍ୱ ନଦେଇ ଲୋକେ ଗଛରେ ବାନ୍ଧି ନିସ୍ତୁକ ଛେଚି ଚାଲିଥିଲେ। ପରେ ଗ୍ରାମବାସୀ ଏନେଇ କୋରେଇ ଥାନାକୁ ଜଣାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିି ବିଶ୍ୱନାଥଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର