ଧାନର ଅଭାବୀ ବିକ୍ରିକୁ ନେଇ ତାତିଲେ ଚାଷୀ : ସମିତି ସଭାପତିଙ୍କୁ ଗଛରେ ବାନ୍ଧି ପିଟିଲେ

ବାହାନଗା : ମଣ୍ଡିକୁ ଟାର୍ଗେଟ ଆସୁନି। ସମିତି ଧାନ କିଣିବାକୁ ନା କହୁଛି। ଫଳରେ ଚାଷୀ ହତାଶ ହୋଇ ଧାନ ଘରେ ପକାଇ ରଖୁଛି, ନଚେତ୍ ଲାଭଖୋର ଦଲାଲଙ୍କୁ ସ୍ୱଳ୍ପ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛି। ହେଲେ ଏ କଥାଟା ସହଜରେ ଗ୍ରହଣ କରିପାରିନାହାନ୍ତି ଚାଷୀ। ପରିସ୍ଥିତି ବରଦାସ୍ତ ବାହାରକୁ ଚାଲିଯାଇଛି। ଫଳରେ ସେମାନେ ସମିତିର କର୍ମଚାରୀଙ୍କୁ ଅଟକ ରଖିବା ସହ ସଭାପତିଙ୍କୁ ଗଛରେ ବାନ୍ଧି ପକାଇ ମାଡ଼ ମାରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ପଞ୍ଚାୟତ ଆଳଦା ସେବା ସମବାୟ ସମିତିରେ।

ସୂଚନା ଅନୁସାରେ; ଆଳଦା ସେବା ସମବାୟ ସମିତିରେ ଚଳିତ ବର୍ଷ ୩୮୫ ଜଣ ଚାଷୀ ଅନ୍‌ଲାଇନରେ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଥିଲେ। ସମିତିକୁ ୧୮ ହଜାର କ୍ୟୁଣ୍ଟାଲ୍‌ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦିଆଯାଇଥିଲା। ଡିସେମ୍ବର ମାସ ୨୫ ତାରିଖ ଦିନ ଧାନମଣ୍ଡି ଉଦ୍‌ଘାଟନ ହେଲା। ପ୍ରଥମ ପର୍ଯ୍ୟାୟରେ ୧୫ ଶହ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର କ୍ୟୁଣ୍ଟାଲ୍‌ ଧାନ କ୍ରୟ ଟାର୍ଗେଟ ରହିଥିଲା। ହେଲେ କିଛିଦିନ ପରେ କୁହାଗଲା, ଧାନ କିଣିବା ପାଇଁ ସମିତିରେ ଟାର୍ଗେଟ୍‌ ପୂରା ହୋଇଯାଇଛି। ସମିତି ଆଉ ଧାନ କିଣିବ ନାହିଁ। ଫଳରେ ଗତ ୧୫ ଦିନ ହେବ ଅନେକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଏପରି ସମୟରେ ଆଜି ସକାଳେ ଧାନ ବିକ୍ରି କରିପାରିନଥିବା ରମଧା ଗ୍ରାମର ଚାଷୀ ସମିତିରେ ପହଂଚିଥିଲେ। କର୍ମଚାରୀ କମଳାକାନ୍ତ ଦାସ ଓ ସତ୍ୟରଞ୍ଜନ ଜେନାଙ୍କୁ ନୂଆ ଟାର୍ଗେଟ୍‌ ଆସିଲା କି ନାହିଁ ବୋଲି ପଚାରିଥିଲେ। ସନ୍ତୋଷଜନକ ଉତ୍ତର ନ ପାଇବାରୁ ଚାଷୀମାନେ ଉଭୟଙ୍କୁ ସମିତି ଗୃହ ଭିତରେ ଅଟକ ରଖିବା ସହ ତାଲା ପକାଇ ଧାରଣା ଦେଇଥିଲେ। ଏହି ସମୟରେ ଘଟଣା ବାବଦରେ ବୁଝିବାକୁ ଆସିଥିବା ସମିତି ସଭାପତି ଲଷ୍ମୀକାନ୍ତ ଜେନାଙ୍କ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଉତ୍ତ୍ୟକ୍ତ ଚାଷୀ ତାଙ୍କୁ ଏକ ଗଛରେ ଦୁଇଘଣ୍ଟା କାଳ ବାନ୍ଧି ରଖି ମାଡ଼ ମାରିଥିଲେ। ପରେ ଗ୍ରାମବାସୀ ସମିତିରେ ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହ ବନ୍ଧା ଥିବା ସଭାପତି ଶ୍ରୀ ଜେନା ଏବଂ ଅଟକ ଥିବା କର୍ମଚାରୀ ଶ୍ରୀ ଦାସ ଓ ଶ୍ରୀ ଜେନାଙ୍କୁ ମୁକୁଳାଇଥିଲେ।

ସମ୍ବନ୍ଧିତ ଖବର