ଠିକାଦାରଙ୍କୁ ଗୁଳିମାଡ଼ ପରେ ଧରାପଡ଼ି ନିର୍ଧୂମ୍‌ ଛେଚା ଖାଇଲେ ୨ ଅଭିଯୁକ୍ତ

ଗୋପ : ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଛକରେ ଏକ ଗୁଳିକାଣ୍ତ ଘଟିଛି। ଦାଦାବଟିକୁ କେନ୍ଦ୍ର କରି ଦୁଇ ଯୁବକ ଠିକାଦାର ଉମାକାନ୍ତ ସାହୁଙ୍କ ଉପରକୁ ତିନି ରାଉଣ୍ତ ଗୁଳି କରିଥିଲେ। ଗୁଳି ଚଳାଇବା ପରେ କିନ୍ତୁ ଦୁଇ ଅଭିଯୁକ୍ତ ଖସି ପାରି ନ ଥିଲେ। ସ୍କୁଟିରୁ ପଡ଼ିଯିବାରୁ ସ୍ଥାନୀୟ ଲୋ‌କେ ସେମାନଙ୍କୁ କାବୁ କରି ନେଇଥିଲେ। ପରେ ସ୍ଥାନୀୟ ଲୋକେ ଉଭୟ ଅଭିଯୁକ୍ତଙ୍କୁ ଟ୍ରାକ୍ଟରରେ ବାନ୍ଧି ନିର୍ଧୂମ୍‌ ଛେଚିଥିଲେ। ସେମାନଙ୍କ ସ୍କୁଟିକୁ ମଧ୍ୟ ଜାଳି ଦେଇଥିଲେ। ଖବର ପାଇ ଗୋପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ରାମଚଣ୍ତୀ ଥାନା ଅନ୍ତର୍ଗତ ରିସିପଡ଼ା ଗ୍ରାମର ପିଣ୍ଟୁ ସ୍ବାଇଁ (୨୩) ଓ ପେଣ୍ଠକଟା ମେରାଇନ୍ ଥାନା ସମଗରାର ମୁନା ପ୍ରଧାନ(୨୨)ଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ଗୁଳିମାଡ଼ରେ ଗୁରୁତର ଆହତ ଠିକାଦାର ଶ୍ରୀ ସାହୁଙ୍କ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ପୁଲିସ ଏକ ରିଭଲଭର ଓ ଗୁଳି ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁରୀ ଏସ୍‌ପି ଉମାଶଙ୍କର ଦାଶ ଗୋପ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ଦାଦାବଟିକୁ କେନ୍ଦ୍ର କରି ଏହି ଗୁଳିକାଣ୍ତ ଘଟିଥିବା ପୁଲିସ ସନ୍ଦେହ କରୁଛି।

ଆଜି ସକାଳ ପ୍ରାୟ ୬ଟା ୩୦ରେ ଦୁଇ ଅଭିଯୁକ୍ତ ଏକ ସ୍କୁଟି(ଓଡି-୦୨ଏଆର-୬୦୨୪)ରେ ଆସିଥିଲେ। ଏମାନେ ଇଟା କିଣିବା ବାହାନା କରି ଠିକାଦାର ଶ୍ରୀ ସାହୁଙ୍କୁ ଫୋନ୍‌ କରି ଇଟାଭାଟି ପାଖକୁ ଡକାଇଥିଲେ। ଶ୍ରୀ ସାହୁ ସେଠାରେ ପହଞ୍ଚିବା ପରେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଶ୍ରୀ ସାହୁ ଚିତ୍କାର କରିଥିଲେ। ସେତିକିବେଳେ ଇଟା ଲଦୁଥିବା ଟ୍ରାକ୍ଟର ଡ୍ରାଇଭର ଅଭିଯୁକ୍ତଙ୍କ ଉପରକୁ ଏକ ଇଟା ଫିଙ୍ଗିଥିଲେ। ଇଟା ମାଡ଼ ହେବା ପରେ ଦୁଇ ଅଭିଯୁକ୍ତ ସ୍କୁଟିରୁ ଗଳି ପଡ଼ିଥିଲେ। ଆଉ ସେମାନଙ୍କ ଭିତରୁ ଜଣକୁ ଟ୍ରାକ୍ଟର ଡ୍ରାଇଭର କାବୁ କରି ନେଇଥିଲେ। ଅନ୍ୟ ଜଣେ ପାଖରେ ଥିବା ଏକ ପାଇଖାନାରେ ଲୁଚି ଯାଇଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସେ ମଧ୍ୟ ରକ୍ଷା ପାଇ ପାରିନଥିଲା। ଉତ୍ତ୍ୟକ୍ତ ଲୋକେ ଦୁଇ ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଥିଲେ। ଗୋପ ଥାନା ପକ୍ଷରୁ ୨୦୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର