/* */

ଲାଞ୍ଜିଗଡ଼: କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ଥାନା ଘେରାଉ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରି କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଲୋକଙ୍କୁ ନିଯୁକ୍ତି ପ୍ରଲୋଭନ ଦେଖାଇ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଲାଞ୍ଜିଗଡ଼ ବ୍ଲକ୍‌ବାସୀ ବିଶ୍ୱନାଥପୁର ମାର୍କେଟରୁ ଏକ ଶୋଭାଯାତ୍ରାରେ ବାହାରି ବିଶ୍ୱନାଥପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫେରାର ଥିବା ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ୭ ଦିନ ମଧ୍ୟରେ ଗିରଫ କରିବାକୁ ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ବିଶ୍ୱନାଥପୁର ଥାନା କେନ୍ଦୁଗୁଡ଼ା ଗାଁର ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ସଦାନନ୍ଦ ସାହୁଙ୍କୁ ପିଅନ ଚାକିରି ଦେବାକୁ କହି ଅଧ୍ୟକ୍ଷ ଶ୍ରୀ ସାହୁ ତିନିଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ୨ଲକ୍ଷ ପଚାଶ ହଜାର ଟଙ୍କା ଦିଆଯାଇଥିଲା। ଟଙ୍କା ଦେବା ପରେ ନିଯୁକ୍ତି ଦେଲେ ସତ, କିନ୍ତୁ ନିୟମିତ ଦରମା ଦେଲେନାହିଁ। ଫଳରେ ସଦାନନ୍ଦ ଚାକିରି ଛାଡ଼ିବାକୁ ବାଧ୍ୟ ହେଲେ। ଲୋକନାଥ ଲାଞ୍ଚ ଟଙ୍କା ମାଗିବାରୁ ଅଧ୍ୟକ୍ଷ ଦେବାକୁ ମନା କରିଥିଲେ। ଏନେଇ ଲୋକନାଥ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳ ତଦନ୍ତ ପାଇଁ ବିଶ୍ୱନାଥପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱନାଥପୁର ଥାନାରେ କେସ୍ ନଂ ୫୪/୨୦୨୧ରେ ମାମଲା ରୁଜୁ ହୋଇଥିଲା। କଳାହାଣ୍ଡି ଜିଲ୍ଲାପାଳ ତାଙ୍କ ଚିଠି ନଂ ୧୧୪୦/୧.୭.୨୦୨୧ ଅନୁଯାୟୀ,  ଏହା ଉପରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱନାଥପୁର ପୁଲିସକୁ ନିର୍ଦ୍ଦେଶ ଜାରି କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଶ୍ୱନାଥପୁର ପୁଲିସ ମହାବିଦ୍ୟାଳୟର ସମସ୍ତ କାଗଜପତ୍ର ଜବତ କରି ତଦନ୍ତ ଚଳାଇ ଥିବାବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାଁରେ କୌଣସି ଅଭିଯୋଗ ଥିଲେ ସିଧାସଳଖ ପୁଲିସ୍‌ ପାଖରେ ଅଭିଯୋଗ କରିବାକୁ କୁହାଯାଇଛି। ଅଧ୍ୟକ୍ଷ ଶ୍ରୀ ସାହୁ ପୁଲିସକୁ ତଦନ୍ତରେ ସହଯୋଗ ନକରି ଫେରାର ହୋଇଯାଇଛନ୍ତି। ତେଣୁ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ବ୍ଲକର୍‌ ଲୋକମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର