ଆସିକା : ବାର୍ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ବନ ବିଭାଗ ଚଢ଼ଉ କରି ଫସିଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳ ଅଧୀନ କୁଶପଲ୍ଲୀ ଗ୍ରାମରେ ଶୁକ୍ରବାର ଏହି ଅଘଟଣ ଘଟିଛି। ବନ କର୍ମଚାରୀମାନଙ୍କୁ ଲୋକେ ଘେରାଉ କରି ଗାଡି ଭାଙ୍ଗି ଦେଇଛନ୍ତି।
ଖବର ପାଇ ଫରେଷ୍ଟର୍ କଳ୍ପନା ପ୍ରଧାନ, ଫରେଷ୍ଟ ଗାର୍ଡ଼୍ ବିଷ୍ଣୁପ୍ରିୟା ପ୍ରଧାନ, ଡ୍ରାଇଭର୍ ସନ୍ତୋଷ କୁମାର ଦେହୁରୀ, ସ୍କ୍ବାର୍ଡ଼ର ଗଣେଶ ସ୍ଵାଇଁ, ରଘୁନାଥ ପ୍ରଧାନ, ବୁଲୁ ପାତ୍ର, ରାଜୀବ ପାତ୍ର ଓ ଶିବୁ ଗୌଡ଼ ଚଢ଼ଉ ପାଇଁ ଯାଇଥିଲେ। ବାର୍ହାକୁ ଆଣିବା ପାଇଁ ଏକ ଅଟୋ ନେଇ ସେମାନେ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ବାର୍ହାକୁ ପୋଡ଼ି ତା’ର ମାଂସକୁ ନିଜ ଭିତରେ ଭାଗ ବାଣ୍ଟୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଗ୍ରାମର ୫୦ରୁ ଅଧିକ ମହିଳା ଓ ପୁରୁଷ ସେମାନଙ୍କୁ ଘେରି ଯାଇଥିଲେ। ତାଙ୍କୁ ଶୀଘ୍ର ଗ୍ରାମରୁ ଚାଲିଯିବା ପାଇଁ ଧମକ ଦେବା ସହ ସେମାନେ ସାଙ୍ଗରେ ନେଇଥିବା ଅଟୋ ଭାଙ୍ଗିଥିଲେ। ଫଳରେ ବନକର୍ମଚାରୀ ଖାଲି ହାତରେ ଫେରିଥିଲେ। ଘଟଣାଟି ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୩କିମି. ଦୂରରେ ଘଟିଥିଲେ ହେଁ ବନକର୍ମଚାରୀ କିଛି କରିପାରି ନଥିଲେ।
ଅନ୍ୟପକ୍ଷରେ ଆସିକା ବନାଞ୍ଚଳରେ ବାର୍ହାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଖାଦ୍ୟ ଆଶାରେ ବାର୍ହା ପଲ ଆଖୁ, ମକା ଓ ପନିପରିବା ଆଦି ଫସଲ ନଷ୍ଟ କରୁଛନ୍ତି। ଯାହାର କୌଣସି କ୍ଷତିପୂରଣ ମିଳୁନାହିଁ। ଏଭଳି ସ୍ଥିତିରେ ଗ୍ରାମବାସୀ ମିଳିତ ହୋଇ ଚାଷ ଜମିରେ ଫାସ ପକାଇ କିମ୍ବା ବିଦ୍ୟୁତ୍ ତାର ବିଛାଇ ବାର୍ହା ଶିକାର କରି ତାର ମାଂସ ଖାଇବା ସହ ବିକ୍ରି ମଧ୍ୟ କରୁଛନ୍ତି। ଆସିକା ବନାଞ୍ଚଳରେ ଅବାଧ ବାର୍ହା ଶିକାର ଚାଲିଛି। ହେଲେ ବିଭାଗ ପକ୍ଷରୁ କୌଣସି ପ୍ରତିକାର ହୋଇପାରୁ ନାହିଁ। ଆସିକା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଘଟଣାର ତଦନ୍ତ ଚାଲିଥିବା କହିଥିଲେ।