କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଜୋର୍ ଧରିଛି ମଦବିରୋଧୀ ଆନ୍ଦୋଳନ। ବୁଧବାର ରାତିରେ ଏ.ବରିଡ଼ା ଗ୍ରାମରେ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ମାନେ ସଂଘବଦ୍ଧ ଭାବେ ଏକ ବିଦେଶୀ ମଦ ଦୋକାନକୁ ପୋଡ଼ି ଦେଇଥିଲେ। ଏହାପରେ ରାତିସାରା ମେଳି ବାନ୍ଧିଥିଲେ ତିନିଟି ଗାଁର ଲୋକେ। ଆଜି ଭୋର୍‌ରୁ ମଦ ବିରୋଧୀ ନିଆଁ ନିକଟ ଭାଟପଡ଼ା ଓ କୁଶପଲ୍ଲୀକୁ ବ୍ୟାପିଥିଲା। ତିନି ଗାଁର ଆବାଳବୃଦ୍ଧବନିତା ମେଳି ବାନ୍ଧି ଭାଟପଡ଼ାରେ ଥିବା ଏକ ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀ ମଦ ଦୋକାନକୁ ଭାଙ୍ଗି ମଦ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଦେଇଥିଲେ। ଏହା ପରେ ସେଠାରୁ ୫ କିଲୋମିଟର ପଦଯାତ୍ରାରେ ଯାଇ କୁଶପଲ୍ଲୀ ଗ୍ରାମ ମରାଠି ବସାରେ ପହଞ୍ଚିଥିଲେ। ସେଠାରେ ବେଆଇନ୍ ଭାବେ ଚାଲିଥିବା ଏକ ମଦଭାଟି ସହ ଚାରିଟି ଘରେ ନିଆଁ ଲଗାଇ ଦେଇଥିଲେ।

Advertisment

ପରିସ୍ଥିତି ଏଭଳି ଉତ୍ତେଜନାପୂର୍ଣ୍ଣ ଥିଲା ଯେ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ବାହିନୀ ମଧ୍ୟ ସାହସ ଜୁଟାଇ ପାରି ନଥିଲା। ପୁଲିସ ଟିମ୍ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସାରା ଦିନ ଉତ୍ତେଜନା ଜାରି ରହିଥିଲା। ଖବର ମିଳିବା ସୁଦ୍ଧା, ଏ.ବରିଡ଼ା ଓ ଭାଟପଡ଼ାରେ ଚାପା ଉତ୍ତେଜନା ଲାଗି ରହିଛି।

ଗତକାଲି ଏ.ବରିଡ଼ା ଗ୍ରାମରେ ସମାଜସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ ମଦ ବିରୋଧୀ ଅଭିଯାନ ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇ ଅପରାହ୍‌ଣରେ ସାଇକେଲରେ ଫେରୁଥିଲେ। ଏହି ସମୟରେ ଗାଁ ମୁଣ୍ଡ ବିଦେଶୀ ମଦ‌ ଦୋକାନ ସମ୍ମୁଖରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ବୈଠକ ଡାକି ବିଦେଶୀ ମଦ ଦୋକାନକୁ ଭାଙ୍ଗି ଦେବାକୁ ଯୋଜନା କରିଥିଲେ। ସନ୍ଧ୍ୟାରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଏହି ଠିପିବନ୍ଦ ବିଦେଶୀ ମଦ ଦୋକାନରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ।

ଏ.ବରିଡ଼ାରେ ଗତକାଲିର ଘଟଣା ପରେ ଭାଟପଡ଼ା ଗ୍ରାମବାସୀ ମଧ୍ୟ ଗାଁରୁ ଦେଶୀ ମଦ ଦୋକାନ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସକାଳ ପ୍ରାୟ ୯ଟାରେ ଭାଟପଡ଼ାର ମହିଳା ଓ ଯୁବକ ମାନେ ରାସ୍ତା ଉପରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମହୁଲି ଦେଶୀ ମଦ ଦୋକାନ ତାଲା ଭାଙ୍ଗି ମଦ ସମେତ ବିଭିନ୍ନ ସରଞ୍ଜାମ ଓ ଗଚ୍ଛିତ ଖାଦ୍ୟକୁ ରାସ୍ତାରେ ଢାଳି ନିଆଁ ଲଗାଇବା ସହ ‌ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ସଦଳବଳ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏତିକିରେ ଉତ୍ତ୍ୟକ୍ତ ଲୋକଙ୍କ କ୍ରୋଧ ଶାନ୍ତ ପଡ଼ି ନଥିଲା। ସମସ୍ତେ ମଦବିରୋଧୀ ନାରା ସହ ୫ କିଲୋମିଟର ଚାଲି ସେଠାରୁ କୁଶପଲ୍ଲୀ ଗାଁରେ ପହଞ୍ଚିଥିଲେ। ଆଉ ସେଠାରେ ମରାଠି ବସାରେ ପହଞ୍ଚି ବେଆଇନ୍ ଦେଶୀ ମଦ ଦୋକାନ ସମେତ ୪ଟି ଘରକୁ ପୋଡ଼ି ଦେଇଥିଲେ। କବିସୂର୍ଯ୍ୟନଗର ଏସଆଇ ଅର୍ଜୁନ କହଁର ଓ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ସଦଳବଳ ପହଞ୍ଚିଥିଲେ। ହେଲେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଘେରିଯାଇ ଠେଲାପେଲା କରିଥିଲେ। ଏହି ସମୟରେ ପୁଲିସ କିଛି ବାଇକ୍ ନମ୍ବର ଟିପୁଥିବା ଦେଖି ଗ୍ରାମବାସୀ ଆହୁରି ଉତ୍ତ୍ୟକ୍ତ ହୋଇ ବାଲିଛାଇ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ କରିବା ସହ କୋଠଘରେ ଅଟକ ରଖିଦେଇଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଖବର ମିଳିବା ସୁଦ୍ଧା, ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ତିନି ଗାଁରେ ପୁଲିସ ମୁତୟନ କରାଯାଇଛି। ମଦ ବିରୋଧୀ ଆନ୍ଦୋଳନ ଆଉ ଥମିବ ନାହିଁ। ଏହା ଏଣିକି ପ୍ରତି ଗ୍ରାମକୁ ବ୍ୟାପିବ। ଦରକାର ପଡ଼ିଲେ ଜେସିବି ଲଗାଇ ମଦ‌ଦୋକାନ ଭାଙ୍ଗି ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।