ଏଥର ଚନ୍ଦନ ଯାତ୍ରା, ଭଉଁରୀ ଦେଖିପାରିବେ ଶ୍ରଦ୍ଧାଳୁ

ଅପରାହ୍ଣ ୪ଟାରେ ରଥ ଆଜ୍ଞାମାଳ ବିଜେ

ପୁରୀ: କୋଭିଡ୍‌ ସଂକ୍ରମଣ ପାଇଁ ଦୁଇବର୍ଷ ଧରି ବିନା ଭକ୍ତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ ସଂକ୍ରମଣ ନ ଥିବାରୁ ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା କରିବାକୁ ଆଜି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏଣୁ ପୂର୍ବଭଳି ଭକ୍ତମାନ ଚଳିତବର୍ଷ ଚନ୍ଦନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ୨୧ ଦିନର ଚାପଖେଳ ସହ ଭଉଁରୀ ବି ଦେଖି ପାରିବେ। ରଥ ନିର୍ମାଣ କାର୍ଯ୍ୟରେ ବି ଆଉ ସେତେଟା କଟକଣା ରହିବନି। ଆଜି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଏ ଉପରେ ଚୂଡ଼ାନ୍ତ ମୋହର ବାଜିବ।

ସେପଟେ ବୈଠକରେ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ସେବାୟତମାନେ ହୋହଲ୍ଲା କରିଥିଲେ। ଶ୍ରୀମନ୍ଦିର ପାଇଁ ସୁରକ୍ଷା ଲୋଡ଼ିଥିଲେ। ସିସିଟିଭି ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ପ୍ରସ୍ତାବ ଦେଇଥିଲେ। ସିଂହଦ୍ବାରରେ ବିକ୍ଷୋଭ ଏକ ନକରାତ୍ମକ ଭାବନା ଜାତ କରୁଥିବାରୁ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। କେବଳ ଦୀପଦାନ ଓ ଧାର୍ମିକ କାର୍ଯ୍ୟକୁ ଛାଡ଼ିଦେଲେ, ବିକ୍ଷୋଭ, ଆନ୍ଦୋଳନ ଆଦିକୁ ବନ୍ଦ କରାଯାଉ ବୋଲି ମତ ଦେଇଥିଲେ। ଏ ଉପରେ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ବିଚାର ପାଇଁ ଗ୍ରହଣ କରାଯାଇଛି। ପରିଚାଳନା କମିଟି ବୈଠକରେ ଏ ଉପରେ ଆଲୋଚନା ପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ନୀଳାଦ୍ର ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମେ’ ୩ ତାରିଖରେ ପଡ଼ୁଥିବା ପବିତ୍ର ଅକ୍ଷୟ ତୃତୀୟ ଓ ଚନ୍ଦନଯାତ୍ରା ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା। ପ୍ରତିବର୍ଷ ଅକ୍ଷୟ ତୃତୀୟରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେଉଥିବାରୁ କେଉଁ ସମୟରେ ଏହି ଦିନର ନୀତିକାନ୍ତି ଆରମ୍ଭ ହେବ ଓ କେଉଁ ସମୟରେ ଶେଷ ହେବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଅକ୍ଷୟତୃତୀୟା, ଚନ୍ଦନଯାତ୍ରା ନୀତିକାନ୍ତି ଉପରେ ଛତିଶାନିଯୋଗର ମୋହର

ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ସହ ସିଂହଦ୍ବାରରେ ବିକ୍ଷୋଭ ବନ୍ଦ ପାଇଁ ଛତିଶାନିଯୋଗର ପ୍ରସ୍ତାବ

ଚୂଡ଼ାନ୍ତ ନୀତି ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା ପରେ ସାଢ଼େ ୩ଟାରେ ଭିତରଶୋଧ, ଭୋର ୪ଟାରେ ମଙ୍ଗଳଆଳତୀ ନୀତି ଅନୁଷ୍ଠିତ ହେବ। ପରେ ମଇଲମ, ତଡ଼ପଲାଗି, ରୋଷହୋମ ଆଦି ପୂଜାକାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। ସକାଳ ସାଢ଼େ ୭ଟାରୁ ୯ଟା ଭିତରେ ସକାଳଧୂପ ପରେ ପୂର୍ବାହ୍ଣ ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ୧୦ଟା ୪୦ରେ ଚନ୍ଦନ ବେଢ଼ା, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ଅପରାହ୍ଣ ଗୋଟାଏରେ ବେଶଶେଷ ହେବ। ଦକ୍ଷିଣଭୋଗ ଶେଷ ପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହେବ। ୩ଟାରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ୩ଟା ୧୫ରେ ଜୟ-ବିଜୟ ଦ୍ବାରରେ ଭୋଗ ବନ୍ଦାପନା, ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ଅନୁଷ୍ଠିତ ହେବ।

୧ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଭୋଗମଣ୍ଡପ ନୀତି ଚାଲିବ। ସଂଧ୍ୟା ୫ଟାରୁ ୫ଟା ୪୫ ପର୍ଯ୍ୟନ୍ତ ମଇଲମ ଓ ବେଶ, ୬ଟାରେ ସଂଧ୍ୟା ଆଳତୀ, ସାଢ଼େ ୬ଟାରୁ ୮ଟା ଭିତରେ ସଂଧ୍ୟାଧୂପ, ସାଢ଼େ ୮ଟାରେ ଆଲଟଲାଗି, ରାତି ୧୦ଟାରେ ପଣାଭୋଗ ଓ ଚନ୍ଦନ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସାଢ଼େ ୧୦ଟାରେ ମଇଲମ ଓ ଚନ୍ଦନଲାଗି ପରେ ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ରାତି ୧୨ଟାରେ ବଡ଼ସିଂହାର ଭୋଗ ଓ ସାଢ଼େ ୧୨ଟାରେ ରାତ୍ର ପହୁଡ଼ ହେବ।

ଏହାସହ ଚନ୍ଦନଯାତ୍ରାର ଦୈନନ୍ଦିନ ନୀତି, ମେ’ ୯ ତାରିଖରେ ପଡ଼ୁଥିବା ନୀଳାଦ୍ରୀ ମହୋଦୟ ନୀତି, ମେ’ ୧୪ ତାରିଖ ନୃସିଂହ ଜନ୍ମ ନୀତି, ମେ’ ୨୨ ତାରିଖ ଭଉଁରୀ ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ଆଜିର ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା, ସମସ୍ତ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର