ଖଣ୍ତଗିରି : ଶନିବାର ରାତି ଗଣ୍ତଗୋଳକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଡୁମୁଡୁମାର ରଘୁନାଥନଗର ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି। କେତେକ ଦୁବୃର୍ତ୍ତ ବୋମାମାଡ଼ କରିବା ସହିତ ଦୋକାନ ଘର ପୋଡ଼ିଛନ୍ତି। ଘଟଣାସ୍ଥଳକୁ ଯାଇଥିବା ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ ଖଣ୍ତଗିରି ଥାନା ଆଇଆଇସିଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ରଘୁନାଥ ନଗର ଦୁଇ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଲୋକେ ପିସିଆର୍ ଭ୍ୟାନ୍କୁ ଭଙ୍ଗାରୁଜା କରିବା ସହ ଡୁମୁଡୁମା ବଜାରରେ ଏକ ଦୋକାନକୁ ପୋଡ଼ି ଦେଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରଘୁନାଥନଗରର ହଜାର ହଜାର ପୁରୁଷ ଓ ମହିଳା ହାତରେ ଠେଙ୍ଗାବାଡ଼ି ଧରି ପୁଲିସକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ରଘୁନାଥନଗର ଛକରେ ସେମାନେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ସେମାନଙ୍କ ନିକଟକୁ ଯାଇପାରିନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସିପି କିମ୍ବା ଡିସିପି ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ସରକନ୍ତରା ଗାଁର ଦୁଇ ଭାଇ ଆକାଶ ଷଡ଼ଙ୍ଗୀ ଓ ଅଗ୍ନି ଷଡ଼ଙ୍ଗୀଙ୍କ ସହ ବଳିଆ ରାଉତରାୟ ଗତ ଶନିବାର ସନ୍ଧ୍ୟାରେ ରଘୁନାଥନଗରରେ ପଶି ଗଣ୍ତଗୋଳ କରିଥିଲା। କିନ୍ତୁ ରଘୁନାଥନଗର ଲୋକେ ଏକାଠୀ ହୋଇ ସେମାନଙ୍କୁ ପ୍ରତିଆକ୍ରମଣ କରିବାରୁ ଅଗ୍ନି ଧରାପଡ଼ିଯାଇଥିଲା ଓ ଅନ୍ୟମାନେ ଖସି ପଳାଇଥିଲେ। ଲୋକେ ଆହତ ଅଗ୍ନିକୁ ଖଣ୍ତଗିରି ଥାନା ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ମେଡିକାଲରେ ଭର୍ତି କରିଥିଲା। ବାରମ୍ବାର ଆକାଶ, ଅଗ୍ନି ଓ ବଳିଆ ଗଣ୍ତଗୋଳ କରୁଥିବାରୁ ରବିବାର ରାତିରେ ରଘୁନାଥନଗର ଲୋକେ ଡୁମୁଡୁମା ଛକରେ ଥିବା ବଳିଆର ବାପା ଟୁଟୁ ରାଉତରାୟଙ୍କ ହୋଟେଲକୁ ଭଙ୍ଗାରୁଜା କରିଥିଲେ। ଏ ନେଇ ଟୁଟୁ ଖଣ୍ତଗିରି ଥାନାରେ ଅଭିଯୋଗ କରିଥିଲେ।
ଆଜି ଗଣ୍ତଗୋଳର କାରଣ : ଆଜି ଖଣ୍ତଗିରି ଥାନା ପୁଲିସ ଆହତ ଅଗ୍ନିକୁ ମେଡିକାଲରୁ ବାହାର କରି ତାଙ୍କ ମା’ଙ୍କ ଜିମା ଦେଇଥିଲା। ଅଗ୍ନିକୁ ପୁଲିସ ଛାଡ଼ି ଦେବା ହିଁ ରଘୁନାଥନଗର ଲୋକଙ୍କ କ୍ରୋଧକୁ ବଢ଼ାଇ ଦେଇଥିଲା। ପୁଣି ଆଜି ସନ୍ଧ୍ୟାରେ ବଳିଆ ଓ ଆକାଶ କୁଆଡେ଼ ଡୁମୁଡୁମା ବଜାରରେ ଥିବା ରଘୁନାଥନଗର ଲୋକଙ୍କ ଦୋକାନ ଉପରକୁ ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ। ଦୁଇଟି ମେଡିସିନ୍ ଦୋକାନ ଉପରକୁ ବୋମା ମାଡ଼ ହୋଇଥିଲେ ବି ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା। ବୋମାମାଡ଼ରେ କେବଳ ଦୁଇଟି ବାଇକ୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଲୋକେ ଅଧିକ ଉତ୍ତେଜିତ ହୋଇପଡ଼ିଥିଲେ। ସେମାନେ ଏକାଠି ହୋଇ ଟୁଟୁ ରାଉତରୟଙ୍କ ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ଢେ଼ଲାମାଡ଼ କରିଥିଲେ। ପିସିଆର୍ ଭ୍ୟାନ୍କୁ ଭଙ୍ଗାରୁଜା କରିବାରୁ ବିକଳରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ପରେ ପରେ ଆଇଆଇସି ହିମା˚ଶୁ ଭୂଷଣ ସ୍ବାଇଁ ସଦଳବଳେ ସେଠାରେ ପହଞ୍ଚିବା ମାତ୍ରେ ଲୋକେ ଆଖିବୁଜା ଢେଲା ମାଡ଼ କରିଥିଲେ। ଫଳରେ ଆଇଆଇସିଙ୍କ ମୁହଁ ଫାଟି ଯାଇଥିଲା ଓ ଅନ୍ୟ ୩ଜଣ କର୍ମଚାରୀ ବି ଟେକା ମାଡ଼ରେ ଘାଇଲା ହୋଇଥିଲେ। ଲୋକଙ୍କ ଢେଲା ପଥର ମାଡ଼ ଏତେ ଭୟଙ୍କର ଥିଲା ସେ ଏକ ପ୍ଲାଟୁନ୍ ପୁଲିସ ବିକଳରେ ପ୍ରାୟ ଏକ କିଲୋମିଟର ପଛକୁ ଘୁଞ୍ଚି ଆସିଥିଲେ। ଏହା ପରେ ନଗରରର ଲୋକେ ସେମାନଙ୍କ ଛକକୁ ଫେରି ଯାଇ ରାସ୍ତାରେ ଟାୟାର୍ ଜାଳି ଅବରୋଧ କରି ପୁଲିସକୁ ଜଗି ବସିଥିଲେ। ପୁଲିସ ଯେମିତି ସେମାନଙ୍କ ବସ୍ତିକୁ ପଶି ନ ପାରିବ , ସେଥିପାଇଁ ସେମାନେ ହଜାର ହଜାର ସ˚ଖ୍ୟାରେ ମେଳି ବାନ୍ଧିଥିଲେ। ଘଟଣାସ୍ଥଳରେ ଜୋନ୍ ୩ ଏସିପି ପ୍ରାଣବନ୍ଧୁ ରାଉତ ଏକାକୀ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ଧରି ନିରୁପାୟ ହୋଇ ଠିଆ ହୋଇଥିଲେ। କିନ୍ତୁ ଘଟଣାସ୍ଥଳକୁ ସିପି କିମ୍ବା ଡିସିପି ନ ଯିବାରୁ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ବହୁ ଲୋକ ଯାତାୟାତରେ ସମସସ୍ୟାର ସମ୍ମୁଖୀନ ହେଉଥିବାବେଳେ ପୁଲିସ ଅସହାୟଭାବେ ଠିଆ ହୋଇ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/arjun-bomamada.jpg)