ଅଥଳ ଜଳରେ ୧୦ କିମି ନୌଯାତ୍ରା, ବିନା ସୁରକ୍ଷାରେ ମୁହାଣ ପାର୍‌

ରାଜନଗର : ୨୫ଜଣ ଯାତ୍ରୀ ପରିବହନ ପାଇଁ କ୍ଷମତା ଥିବା ବୋଟ୍‌ରେ ପାର ହେଉଛନ୍ତି ୭୦ରୁ ୮୦ ଯାତ୍ରୀ। ତା’ ସାଙ୍ଗକୁ ବୋଟରେ ଲଦା ହେଉଛି ଗଦା ଗଦା ସାଇକଲ ଓ ମଟରସାଇକଲ। କୌଣସି ସୁରକ୍ଷା ବ୍ୟବସ୍ଥା ନ ଥାଇ ଲାଇସେନ୍‌ସ ନ ଥିବା ଡଙ୍ଗାରେ ଅଥଳ ଜଳରାଶିରେ ଦୀର୍ଘ ୧୦ କିଲୋମିଟର ବିପଦସଙ୍କୁଳ ନୌଯାତ୍ରା ଚାଲିଛି ତାଳଚୁଆ-କାରନାଳି ଫେରିଘାଟ।

ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର ପ୍ରଭୃତି ପଞ୍ଚାୟତର ଲୋକେ ବ୍ୟବସାୟିକ କାରବାର ଭଦ୍ରକ ଜିଲ୍ଲାରେ କରିଥାନ୍ତି। ସେଥିପାଇଁ ଏହି ବ୍ଲକର ତାଳଚୁଆରୁ ଭଦ୍ରକ ଜିଲ୍ଲା ଦୋଷିଆ ପଞ୍ଚାୟତର କାରନାଳିଯାଏଁ ଫେରିଘାଟ ଚାଲିଛି। ତାଳଚୁଆ ପଞ୍ଚାୟତ ପକ୍ଷରୁ ଫେରିଘାଟ ନିଲାମ ଦିଆଯାଇଥାଏ। ତାଳଚୁଆଠାରେ ପ୍ରବାହିତ ବୈତରଣୀ ନଦୀରୁ ଏହି ବୋଟ୍‌ ବାହାରି ଧାମରା ମୁହାଣ ପାର କରି କାରନାଳିରେ ପହଞ୍ଚିଥାଏ। ତାଳଚୁଆରୁ କାରନାଳି ଦୀର୍ଘ ୧୦ କିମି ଜଳପଥ ପାର ହେବା ପାଇଁ ୪୫ ମିନିଟ୍‌ରୁ ଘଣ୍ଟାଏ ସମୟ ଲାଗିଥାଏ। ତାଳଚୁଆ ଘାଟରୁ ବୋଟ୍‌ ଛାଡିବା ପରେ କାରନାଳି ପହଞ୍ଚିବା ଯାଏଁ କେବଳ ଅଥଳ ଓ ବିସ୍ତୀର୍ଣ୍ଣ ଜଳରାଶିକୁ ବାଦ୍‌ ଦେଲେ ଆଉ କିଛି ଦେଖାଯାଏ ନାହିଁ। ମାତ୍ର ମୁହାଣ ପାର କରି ଅନ୍ୟଏକ ଜିଲ୍ଲାରେ ଯାତ୍ରୀଙ୍କୁ ପହଞ୍ଚାଇବା ପାଇଁ ବ୍ୟବହୃତ ବୋଟ୍‌ର ଲାଇସେନ୍ସ ନ ଥିବା ବେଳେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ମଧ୍ୟ ନାହିଁ। ବୋଟ୍‌ରେ ୨୫ ଜଣ ଯାତ୍ରୀ ପରିବହନ ପାଇଁ କ୍ଷମତା ରହିଥିବା ବେଳେ ୭୦ରୁ ୮୦ ଯାତ୍ରୀଙ୍କୁ ପାରଉତାର କରାଯାଉଛି। ତା’ ସାଙ୍ଗକୁ ୮ରୁ ୧୦ ମଟରସାଇକଲ୍‌ ସହିତ ସାଇକଲ ମଧ୍ୟ ଲଦାଯାଇ ପାର କରାଯାଉଛି। ବୋଟର କ୍ଷମତାଠାରୁ ୩/୪ ଗୁଣା ଯାତ୍ରୀଙ୍କୁ ପାରଉତାର କରାଯାଉଥିବା ବେଳେ ଲାଇଫ୍‌ ଜ୍ୟାକେଟ୍‌ ରଖାଯାଉନାହିଁ। ବିନା ସୁରକ୍ଷାରେ ଶହଶହ ଯାତ୍ରୀଙ୍କ ଜୀବନକୁ ଏକ ପ୍ରକାର ବାଜିରେ ଲଗାଯାଉଥିବା ନେଇ ଅଭିଯୋଗ ହେଉଛି। ଫେରିଘାଟ ଦୈନିକ ତାଳଚୁଆରୁ ୫ ଥର କାରନାଳି ଓ ୫ ଥର କାରନାଳିରୁ ତାଳଚୁଆ ଆସିଥାଏ। ଫେରିଘାଟ ନିଲାମ ନେଇଥିବା ଉତ୍ତମ ଦେବନାଥଙ୍କୁ ପଚାରିବାରୁ କମ୍‌ ଟଙ୍କାରେ ଯାତ୍ରୀ ପାର କରୁଛୁ। ବୋଟ୍‌ରେ କେତେ ଯାତ୍ରୀ ନିଆଯିବ ସେ ନେଇ ଆମକୁ ନିଲାମ ଦିଆଯିବା ବେଳେ କିଛି କୁହାଯାଇନାହିଁ। ବୋଟ୍‌ର ଲାଇସେନ୍ସ ଓ ଫିଟ୍‌ନେସ୍‌ ନାହିଁ। ତେବେ, ଲାଇଫ୍‌ ଜ୍ୟାକେଟ୍‌ କିଣାଯିବ ବୋଲି ସେ କହିଛନ୍ତି। ଏ ସଂପର୍କରେ ତାଳଚୁଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ବୋଟ୍‌ରେ ୨୫ ଜଣ ଯାତ୍ରୀଙ୍କୁ ପାର କରିବାକୁ ଓ ଲାଇଫ୍‌ ଜ୍ୟାକେଟ୍‌ ରଖିବାକୁ ନିଲାମ ଦିଆଯିବା ବେଳେ ନିଲାମଧାରୀଙ୍କୁ କୁହାଯାଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନା ଥାଉ କି, ଓଡିଶାର ବିଭିନ୍ନ ସ୍ଥାନରେ ଡଙ୍ଗାବୁଡି ପରେ ସରକାରଙ୍କ ଚେତା ପଶିଥିଲା। ବୋଟ୍‌ ଚଳାଚଳ ପାଇଁ ଆଇନ୍‌ କଡ଼ାକଡ଼ି କରାଯାଇଥିଲା। କାଗଜପତ୍ର ନ ଥିଲେ ଏବଂ ଆଇନ୍‌କାନୁନ୍‌ ମଧ୍ୟରେ ଡଙ୍ଗା ବା ବୋଟ୍‌ ଚଳାଚଳ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଥିଲେ। ମାତ୍ର ସରକାରୀ ନିର୍ଦ୍ଦେଶନାମା ଓ ଗାଇଡ୍‌ଲାଇନ୍‌ କେବଳ କାଗଜପତ୍ରରେ ହିଁ ସୀମିତ ରହିଯାଇଛି।

ସମ୍ବନ୍ଧିତ ଖବର