କରୋନା ଚିହ୍ନଟ ରୋଗୀକୁ ଗାଁକୁ ଛାଡ଼ିଲେ ନାହିଁ; ବର୍ଷାରେ ଭିଜିଭିଜି  ରାସ୍ତା କଡ଼ରେ ପଡ଼ି ରହିଲେ ରୋଗୀ 

ଚାନ୍ଦବାଲି : ହୃତପିଣ୍ଡ ଅସ୍ତ୍ରୋପଚାର ଲାଗି କଟକର ଏକ ଘରୋଇ ମେଡ଼ିକାଲକୁ  ଯାଇଥିଲେ ଶାନ୍ତି ମଣ୍ଡଳ। ହେଲେ ସେଠାରେ ମେଡ଼ିକାଲ ପକ୍ଷରୁ କରୋନା ପରୀକ୍ଷଣ କରାଯାଇଥିଲା।  ରିପୋର୍ଟରେ କରୋନା ପଜେଟିଭ ଥିବା ଜଣାପଡ଼ିଲା  ।  ମେଡ଼ିକାଲ ପକ୍ଷରୁ ରୋଗୀ କରୋନା ପଜେଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେବା ପରେ  ଭୟଭୀତ ହୋଇଯାଇଥିଲେ  ସମ୍ପର୍କୀୟ ।  ଫଳରେ  ପରିବାର ରୋଗୀକୁ ନେଇ ଗାଁକୁ ଫେରିଆସିଥିଲେ। ହେଲେ ପଜିଟିଭ ଚିହ୍ନଟ ରୋଗୀକୁ  ଗାଁକୁ ପ୍ରବେଶ ବାରଣ କରାଯିବାରୁ ରୋଗୀକୁ ନେଇ ରାସ୍ତାରେ ରଖି ରଖି ସାହାଯ୍ୟ ଭିକ୍ଷା କରିଥିଲେ ସଂପର୍କୀୟ । କରୋନା ରୋଗୀ ହୋଇଥିବାରୁ କୌଣସି ଆମ୍ବୁଲାନ୍ସ କିମ୍ବା ଘରୋଇ ଗାଡ଼ି ରୋଗୀକୁ ପୁନଶ୍ଚ ମେଡ଼ିକାଲକୁ ନେବାକୁ ରାଜି ହୋଇ ନ ଥିଲେ । ଗୋଟିଏ ପଟେ ବର୍ଷା ହେଉଥିଲା ଅନ୍ୟପଟେ ରୋଗୀକୁ  ରାସ୍ତା କଡ଼ରେ  ଶୋଇରହି ଥିବାର ଦୃଶ୍ୟ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାହାକାଣିଡ଼ିହି ଥାନା ବାଲିମୁଣ୍ଡା  ପଂଚାୟତ  ନନ୍ଦପାଟଣା ଗାଁର ଶାନ୍ତି ମଣ୍ଡଳ (୩୬) ଓ ତାଙ୍କ ସଂପର୍କୀୟ ସୁରେଶ ମଣ୍ଡଳ ଏଭଳି ପରିସ୍ଥିତିର ସାମ୍ନା କରିଥିଲେ । ଏହାପରେ ରୋଗୀ ଓ ତାଙ୍କର ସଂପର୍କୀୟମାନେ ଅନ୍ୟ ଉପାୟ ନ ପାଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ କରିବାର ପ୍ରାୟ  ଅଧଘଂଟା ପରେ ଘଟଣାସ୍ଥଳରେ ନାଆକାଣିଡ଼ିହି ଥାନା ପୁଲିସ ପହଞ୍ଚି ଅବରୋଧ ହଟାଇ ରୋଗୀକୁ ନେଇ ଏକ ସାଇକେଲ ଷ୍ଟାଣ୍ଡ ବାରଣ୍ଡାରେ ରଖାଇଥିଲେ । ଏହାପ‌ରେ ସ୍ଥାନୀୟ ତହସିଦାରଙ୍କୁ  ଯୋଗାଯୋଗ କରି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ମାତ୍ର ସଂଧ୍ୟା ୭ଟା ଯାଏଁ ଆମ୍ବୁଲାନ୍ସ ଆସି ନଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର