ଜୟପୁର : ଚାଲିଛି ପାର୍ବଣର ଋତୁ। ଚାରିଆଡ଼େ ପୂଜା ବଜାର ମାହୋଲ। ଚଳିତ ବର୍ଷ କରୋନା ପାଇଁ ସାର୍ବଜନୀନ ଦୁର୍ଗାପୂଜାକୁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବାରଣ କରିଥିବା ବେଳେ ଦଶହରା ବଜାର ପାଇଁ ଭିଡ଼ ଅସମ୍ଭାଳ ହେବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଜିଲ୍ଲାରେ ହ୍ରାସ ପାଇଥିଲେ ମଧ୍ୟ ସଂକ୍ରମଣ ଭୟ ଦୂର ହୋଇନଥିବା ଦର୍ଶାଇ ସାମୁହିକ ପୂଜାକୁ ବନ୍ଦ କରି ଘର ଭିତରେ ପୂଜା କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବର ମାସରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ କଟକଣାକୁ କୋହଳ କରାଯାଇଥିଲା। କୋଭିଡ୍ ଗାଇଡ଼ ଲାଇନ୍ ପାଳନ କରିବା ସହ ଦୋକାନ ଗୁଡିକରେ ପଞ୍ଚସୁତ୍ରୀ ନିୟମ ପାଳନ କରିବା ବାଧ୍ୟତା ମୂଳକ କରାଯାଇଥିଲା। କିଛି ଦିନ ଲୋକମାନେ ମାସ୍କ ପିନ୍ଧିବା ସହ ନିୟମ ମାନୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ପୂଜା ବଜାରରେ ଭିଡ଼ ବୃଦ୍ଧି ପାଇଥିବା ବେଳେ ନିୟମକୁ ଜନସାଧାରଣ ଫୁ କରିଦେଲା ପରି ମନେ ହେଉଛି। ପ୍ରଶାସନ ମଧ୍ୟ ଢିଲା ପଡିଯାଇଥିବା ପରି ମନେ ହେଉଛି। ପୂର୍ବରୁ ସାମାନ୍ୟ ଭୁଲ୍ କଲେ ମଧ୍ୟ ଜୋବରିମାନା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯଉଥିବା ବେଳେ ବର୍ତ୍ତମାନ କୋଭିଡ ନିୟମ ଲୋକମାନେ ଖୋଲା ଖୋଲି ଉଲଙ୍ଘନ କରୁଥିଲେ ମଧ୍ୟ ଦେଖିବାକୁ କେହି ନଥିବା ଭଳି ମନେ ହେଉଛି।

Advertisment

publive-image

ପୂଜା ବଜାରରେ ଖଚାଖଚ ଭିଡ ପରିଲିକ୍ଷିତ ହେଉଛି। ଏପରିକି ମୁଖ୍ୟରାସ୍ତାରେ ଯେତିକି ଭିଡ଼ ତା ଠାରୁ ଦୁଇ ଗୁଣା ଏମଜି ରୋଡରେ ଦେଖିବାକୁ ମିଳିଛି। ଏମଜିରୋଡକୁ ନୋ ଭେଇକିଲ୍ ଜୋନ ବୋଲି ଘୋଷଣା ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉନି। ଲୁଗା ଦୋକାନ ଠାରୁ ଆରମ୍ଭ କରି କପଡା ଦୋକାନ, ଜଳଖିଆ ଦୋକାନ, ହୋଟେଲ୍, ଫେନ୍ସି ଦୋକାନ, ଜୋତା ଦୋକାନ, ପୂଜା ଭଣ୍ଡାର ଆଦି ଦୋକାନରେ କେହି କୋଭିଡ ନିୟମ ପାଳନ କରୁନଥିବା ଦେଖିବାକୁ ମିଳୁଛି। ଅନେକ ଲୋକ ମାସ୍କ ବ୍ୟବହାର କରୁଥିଲେ ମଧ୍ୟ ମୁହଁ ଅପେକ୍ଷା ଥୋଡିରେ ମାସ୍କ ରହୁଥିବା ଦେଖିବାକୁ ମିଳିଛି। ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ପଞ୍ଚସୁତ୍ରୀ ନିୟମାନୁଯାୟୀ ଦୋକାନ ସାମ୍ନାରେ ଦୂରତ୍ୱ ରକ୍ଷା ପାଇଁ ବାଉଁଶ ବାଡ କରିଥିବା ବେଳେ ଅଧିକାଂଶ ଦୋକାନ ସାମ୍ନାରୁ ତାହା ଉଭେଇ ଗଲାଣି। ପରିସ୍ଥିତି ଏଭଳି ହେଲାଣି ଯଦି ବର୍ତ୍ତମାନ ଠାରୁ ସତର୍କତା ଅବଲମ୍ବନ ନକରାଯାଏ ତେବେ କରୋନା ସ୍ଥତି ଆଗାମୀ ଦିନରେ ପୁଣି ଜିଲ୍ଲାବାସୀଙ୍କୁ କବଳିତ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

publive-image

ଦୀର୍ଘଦିନ ଧରି କୋଭିଡ କଟକଣା ପାଇଁ ଲୋକମାନେ ଲକଡାଉନ ସଟଡାଉନ ଭଳି ପରିସ୍ଥିତିକୁ ସାମ୍ନା କରିଥିବା ସହ ଜୀବନ ଜୀବିକାକୁ ବାଜିରେ ଲଗାଇଥିବା ବେଳେ ବର୍ତ୍ତମାନ କଟକଣା କୋହଳ ହେବା ପରେ ପୂରା ବେଫିକର ହୋଇ ଯାଇଥିବା ଗହଳିରୁ ଅନୁମାନ ହେଉଛି। ବିଶେଷ କରି ସଂନ୍ଧ୍ୟା ସମୟରେ ଲୁଗା ଦୋକାନ ମାନଙ୍କରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ନା ଦୋକାନି ନା ଗ୍ରାହକ କେହି ମଧ୍ୟ ସାମାଜିକ ଦୂରତ୍ବ କିମ୍ବା କୋଭିଡ କଟକଣାକୁ ଗୁରୁତ୍ବ ଦେଉନଥିବାରୁ ଆଗାମୀ ଦିନରେ ପୁଣି ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ସ୍ଥିତି ମଧ୍ୟରେ ଆଜି ଜୟପୁର ସହରରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୌତମ ନଗରରେ ୪ଜଣ, ପାରାବେଡା ଓ ସୌରାସାହିରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଇଭଳି ଜୟପୁର ବ୍ଲକର ରଣ୍ଡାପାଲ୍ଲୀରେ ଜଣେ ଚିହ୍ନଟ ହୋଇଛନ୍ତି।