ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ବିଦ୍ୟୁତ କାଟ

ଫାଙ୍କିଦେଲା ଗ୍ରୀଡ୍‌କୋ, ମାନିଲା ଜଳବିଦ୍ୟୁତ ଉତ୍ପାଦନ କମିଛି

ଭୁବନେଶ୍ୱର: ଗତ କିଛିଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଦ୍ୟୁତ କାଟ୍‌ ଚାଲିଛି। ଆଜି ଏହା ସୀମା ଟପି ଯାଇଥିଲା। ଭିଆଇପି ଅଞ୍ଚଳକୁ ବାଦ୍‌ ଦେଲେ, ଅନ୍ୟ ସବୁ ସ୍ଥାନରେ ପାଖାପାଖି ଅପରାହ୍ନର କେଇ ଘଣ୍ଟା ମଧ୍ୟରେ ୨୦ରୁ ୨୫ ଥର ଧପ୍‌ ଧପ୍‌ ହୋଇ କଟିଥିଲା ବିଦ୍ୟୁତ୍‌। ଗୋଟିଏ ପଟେ ବର୍ଷା ଋତୁରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଅନ୍ୟପଟରେ ଅଘୋଷିତ ବିଦ୍ୟୁତ କାଟ୍‌ ଲୋକଙ୍କୁ ସଙ୍ଗିନ୍‌ ସ୍ଥିତିକୁ ଠେଲି ଦେଉଛି। କେବଳ ଭୁବନେଶ୍ୱରରେ ଯେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ତା’ ନୁହେଁ, ସମଗ୍ର ରାଜ୍ୟରେ ବିଦ୍ୟୁତ କାଟ୍‌ ଏବେ ଏକ ବଡ଼ ସମସ୍ୟା ଉଭା ହେଲାଣି। ହେଲେ ଶକ୍ତି ବିଭାଗ କିନ୍ତୁ ପାଓ୍ଵାର କଟ୍‌କୁ ଫାଙ୍କି ଉଡ଼ାଇ ଦେଇଛି। ଗ୍ରୀଡ୍‌କୋର ବାଣିଜ୍ୟିକ ନିର୍ଦ୍ଦେଶକ ମାନସ କୁମାର ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଅଘୋଷିତ ପାଓ୍ଵାର କଟ୍‌ ହେଉନାହିଁ। ଯଦିଓ କିଛି ଅଞ୍ଚଳରେ ଦିନରେ କିଛି ଘଣ୍ଟା ପାଇଁ ବିଦ୍ୟୁତ୍‌ କାଟ୍‌ ହେଉଛି, ତାହା ନିୟମିତ ପାଓ୍ଵାର କଟ୍‌ ନୁହେଁ। ବରଂ ମୌସୁମୀ ପୂର୍ବରୁ ଉତ୍ପାଦନକାରୀ ଓ ବିଦ୍ୟୁତ ବିତରଣ ସଂସ୍ଥା ଯନ୍ତ୍ରପାତି ମରାମତି କରିଥାନ୍ତି। ବିଦ୍ୟୁତ୍‌ କାଟ୍‌ ଏହି କାରଣରୁ ହୋଇଥାଇପାରେ ଅଥବା କାଳବୈଶାଖୀ ଅଘଟଣକୁ ଏଡାଇବା ପାଇଁ ବିଦ୍ୟୁତ କାଟ୍‌ କରାଯାଇଥାଇପାରେ। ତଳସ୍ତରରେ ଥରେ ବିଦ୍ୟୁତ କାଟ୍‌ ହେଲେ ଏହା କେବେ ଆସିବ, କେହି କହିପାରୁନାହାନ୍ତି। କିଛି ସ୍ଥାନରେ ଫ୍ୟୁଜ୍‌କଲ୍‌ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ସମସ୍ୟାର ସମାଧାନ କରିବେ କଣ ଟେଲିଫୋନ୍‌ ଟେକି ରଖିଦେଉଥିବା ଅଭିଯୋଗ ଆସିଛି। ଏପରିସ୍ଥଳେ ଗ୍ରୀଡ୍‌କୋ ଅଧିକାରୀଙ୍କର ଯୁକ୍ତି ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେବାର ସମ୍ଭାବନା ରଖୁଛି। କେବଳ ସେତିକି ନୁହେଁ, ଜୁନ୍‌ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା କଥା। ଚଳିତବର୍ଷ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଘୋଷଣା କରିଥିଲା। ମୌସୁମୀ ଏବେ ନିରୁର୍ଦିଷ୍ଟ ହୋଇଥାଇପାରେ ସତ, ମାତ୍ର ଶକ୍ତି ବିଭାଗ ମରାମତି ଆଦି କାର୍ଯ୍ୟ ଏଯାଏ କାହିଁକି ସାରିନାହାନ୍ତି, ତାହା ବୁଝାପଡୁନାହିଁ।

ସେହିଭଳି ଯେଉଁସ୍ଥାନରେ ବି ମରାମତି ହେଉଛି, ସେ ସ୍ଥାନରେ ବିଦ୍ୟୁତ କାଟ୍‌ ସଂପର୍କରେ ଆଗୁଆ ଘୋଷଣା କରିବାରେ ଅସୁବିଧା କେଉଁଠି? ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଣାତ୍ମକ ବିଦ୍ୟୁତ ବିନିମୟରେ ଦର ଧାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ସଙ୍କଟ କାରଣରୁ କଷ୍ଟ ପାଉଥିବା ଖାଉଟି ବା ଉପଭୋକ୍ତା ସମାନ ମୂଲ୍ୟ ଦେବ କାହିଁକି? ଦର ବୃଦ୍ଧି ଶୁଣାଣିକୁ କର୍ତ୍ତୃପକ୍ଷ ଯେତେ ଗୁରୁତ୍ୱ ଦେଉଛନ୍ତି, ଲୋକଙ୍କୁ କିଭଳି ଗୁଣାତ୍ମକ ମାନର ୨୪ ଘଣ୍ଟିଆ ବିଦ୍ୟୁତ ମିଳିବ, ସେ କ୍ଷେତ୍ରରେ ଧ୍ୟାନ ଦେଉଛନ୍ତି କି? ଏପରି ଅନେକ ପ୍ରଶ୍ନ ଏବେ ଉପଭୋକ୍ତାମାନଙ୍କୁ ଆନ୍ଦୋଳିତ କଲାଣି। ସବୁଠାରୁ କୌତୂହଳର କଥା ହେଉଛି, କର୍ତ୍ତୃପକ୍ଷ ନା ବିଦ୍ୟୁତ କାଟ୍‌କୁ ମାନୁଛନ୍ତି ନା ବିଦ୍ୟୁତ ସଙ୍କଟ କଥାକୁ ସ୍ୱୀକାର କରୁଛନ୍ତି। ଶ୍ରୀ ଦାସ ଆଜି ଗଣମାଧ୍ୟମକୁ ପରିସଂଖ୍ୟାନ ଦେଇ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଦିନ ବେଳା (ପିକ୍‌ ସମୟରେ) ୩୮୦୦ ମେଗାଓ୍ଵାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ସନ୍ଧ୍ୟାରେ ( ପିକ୍‌ ସମୟରେ) ୪୨୦୦ ମେଗାଓ୍ଵାଟ ବିଦ୍ୟୁତ ଚାହିଦା ରହିଛି। ରାଜ୍ୟ ସରକାରଙ୍କ ପାଖରେ ଏହାଠାରୁ ଢେର୍‌ ଅଧିକ ପରିମାଣର ବିଦ୍ୟୁତ ଉପଲବ୍ଧ ରହିଛି। ସନ୍ଧ୍ୟା ସମୟରେ ୪୩୦୦ ମେଗାଓ୍ଵାଟ ପର୍ଯ୍ୟନ୍ତ ବିଦ୍ୟୁତ ଉପଲବ୍ଧ। ଏପରିକି ୪୫୦୦ ମେଗାଓ୍ଵାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଚାହିଦା ମେଣ୍ଟାଇବାର କ୍ଷମତା ଗ୍ରୀଡ୍‌କୋର ଅଛି। ପରିସଂଖ୍ୟାନ ରଖି ଗ୍ରୀଡ୍‌କୋ କହିଛି, ଏବେ କେନ୍ଦ୍ରୀୟ ସୂତ୍ରରୁ ୧୨ଶହ ମେଗାଓ୍ଵାଟ ବିଦ୍ୟୁତ ମିଳୁଛି। ଜଳବିଦ୍ୟୁତରୁ ୧୩୫୦ ମେଗାଓ୍ଵାଟ୍‌, ପାୱାର ବ୍ୟାଙ୍କିଙ୍ଗ୍‌ରେ ୧୬୦ ମେଗାଓ୍ଵାଟ ବିଦ୍ୟୁତ ସଂଗ୍ରହ କରାଯାଉଛି। ବାକି ଅନ୍ୟାନ୍ୟ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆସୁଛି। ତେବେ ଗ୍ରୀଡ୍‌କୋ ସ୍ୱୀକାର କରିଛି ଯେ ଚଳିତବର୍ଷ ଜଳ ବିଦ୍ୟୁତ ଉତ୍ପାଦନ କିଛି ପରିମାଣରେ ହ୍ରାସ ପାଇଛି। କାରଣ ବାଲିମେଳା, ଇନ୍ଦ୍ରାବତୀ ଓ ଅପର କୋଲାବରେ ଗତବର୍ଷ ଅପେକ୍ଷା ୨ ମିଟର ଲେଖାଏଁ ଜଳସ୍ତର କମ୍‌ ରହିଛି। ଯେଉଁଥିପାଇଁ ଜଳ ବିଦ୍ୟୁତ ୧୫୫୦ ମେଗାଓ୍ଵାଟ୍‌ ବଦଳରେ ୧୩୫୦ ମେଗାଓ୍ଵାଟ୍‌ ଉତ୍ପାଦନ ହେଉଛି। ତେବେ ହୀରାକୁଦ ବା ରେଙ୍ଗାଳିରୁ ଉତ୍ପାଦନ ପ୍ରଭାବିତ ହୋଇନାହିଁ।

ସମ୍ବନ୍ଧିତ ଖବର