ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା। ସୋନପୁରଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ହେଉ ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା। ସବୁଠି ଅଦିନିଆ ଝଡ଼ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ଲୋକଙ୍କ ଘର ବି ଭାଙ୍ଗିଛି। ଧାନ ମଣ୍ଡିରେ ପାଣି ପଶିଥିବାରୁ ଚାଷୀ ଏବେ ହାତରେ ମୁଣ୍ଡ ଦେଇଛନ୍ତି। ଏଭଳି ସ୍ଥିତିରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ବର୍ଷା ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ଉପକୂଳ ସମେତ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ବିହାର ଅଞ୍ଚଳରେ ରହିଛି। ଏହାଦ୍ବାରା ଏକ ଟ୍ରପ୍‌ ଲାଇନ୍‌ ଛତିଶଗଡ଼ ଦେଇ ତେଲେଙ୍ଗାନା ଆଡ଼କୁ ଯାଇଛି। ପ୍ରଭାବରେ ୨୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କଟକ, ଖୋର୍ଧା, ଜଗତ୍‌ସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହ‌ି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଝଡ଼ବର୍ଷା ହେବ। ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବୁଧବାର ଅପରାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ତେବେ ‌ମୟୂରଭଞ୍ଜ, କେନ୍ଦୁଝରର ଅଧିକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଏହାବ୍ୟତୀତ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଅନ୍ୟପକ୍ଷରେ ଅଦିନିଆ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ଏବଂ ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଓଡ଼ିଶାର ଚାଷୀଙ୍କ ପାଇଁ ପରାମର୍ଶ ଜାରି ହୋଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଓଡ଼ିଶାର ଅଧିକା˚ଶ ଜିଲ୍ଲାରେ ୨୫ ଓ ୨୬ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ତେଣୁ ବିଭିନ୍ନ ଫସଲର ସୁପରିଚାଳନା ଦିଗରେ ଚାଷୀମାନେ ଗୁରୁତ୍ବ ଦେବା ଆବଶ୍ୟକ। ଅଧିକ ବର୍ଷା ହେଲେ ବିଲରେ ଥିବା ଡାଲି ଜାତୀୟ ଫସଲ, ପନିପରିବା, ବିଭିନ୍ନ ଫୁଲରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଡାଳୁଅ ଧାନ ଜମିରେ ବର୍ଷା ପାଣି ବାନ୍ଧି ରଖନ୍ତୁ। ପନିପରିବା ତଥା ଖରାଟିଆ ଡାଲିଜାତୀୟ ଓ ତୈଳବୀଜ ଫସଲ(ମୁଗ, ବିରି ପ୍ରଭୃତି) ଓ ରାଶି ବୁଣାବୁଣି ପାଇଁ ଜମି ପ୍ରସ୍ତୁତ କରନ୍ତୁ। କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ। ବିଳମ୍ବ କିସମର ବିଲାତି ବାଇଗଣ ତଳି ଘେରାକୁ ଧଳା ପଲିଥିନରେ ଘୋଡ଼ାଇ ରଖନ୍ତୁ। ଗେଣ୍ତୁ, ଗୋଲାପ, ସେବତୀ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହେବାର ସମ୍ଭାବନା ରହିଛି, ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ। ଫୁଲକୋବି, ବନ୍ଧାକୋବି ଓ ଅନ୍ୟାନ୍ୟ ପନିପରିବା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକୁ ତୋଳି ଦେବା ଆବଶ୍ୟକ। ଝିପିଝିପି ବର୍ଷା ଓ କୋହଲା ପାଗ ଲାଗି ରହିଲେ ସୋରିଷ, ସୂର୍ଯ୍ୟମୁଖୀ, ଚିନାବାଦାମ ଆଦି ତୈଳବୀଜ ଫସଲ, ମୁଗ, ବିରି ଆଦି ଡାଲିଜାତୀୟ ଫସଲରେ ଓ ପନିପରିବାରେ ଜଉପୋକ ଓ ପତ୍ରପୋଡ଼ା ରୋଗ ହେବାର ସମ୍ଭାବନା ରହିଥିବାରୁ ଚାଷୀମାନେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ସିଞ୍ଚନ କରିବାକୁ କୁହାଯାଇଛି। ଗତ ୩୬ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବୌଦ୍ଧରେ ୪୮.୫, ସମ୍ବଲପୁରରେ ୪୬.୩, ଫୁଲବାଣୀରେ ୪୧, ହୀରାକୁଦରେ ୩୨.୮, ବଲାଙ୍ଗୀରରେ ୩୦, କେନ୍ଦୁଝରରେ ୨୭.୨, ଟିଟିଲାଗଡ଼ରେ ୨୨, ଭୁବନେଶ୍ବରରେ ୧୯.୬, କଟକରେ ୧୯ ମିମି ବର୍ଷା ହୋଇଛି। ଯଦି ବ୍ଲକ ଅନୁଯାୟୀ ଦେଖାଯାଏ ତେବେ ବୀରମହାରାଜପୁର ଓ ଉଦଳାରେ ସର୍ବାଧିକ ୮ ସେମି ବର୍ଷା ହୋଇଛି।