ଖରସ୍ରୋତା ପାଣିରେ ପଶି ନେଉଛନ୍ତି ରାସନ, ସେତୁ ନିର୍ମାଣ ଦାବିରେ କରିଥିଲେ ଭୋଟ୍‌ ବର୍ଜନ

ଦଶପଲ୍ଲା: ବାରମ୍ବାର ଦାବି, ଆନ୍ଦୋଳନ ଏବଂ ସାଧାରଣ ନିର୍ବାଚନ ସମୟରେ ଭୋଟ୍‌ ବର୍ଜନ କରି ପ୍ରତିବାଦ ଜଣାଇଥିଲେ ମଧ୍ୟ ହୋଇପାରୁନି ଦାବି ପୂରଣ। ବୃତଙ୍ଗ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୨ଟି ଜିଲ୍ଲାର ଆଦିବାସୀ ବହୁଳ ୩ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ମଧ୍ୟରେ ସୀମିତ ରହିଛି ସେତୁ ନିର୍ମାଣ କାର୍ଯ୍ୟ। ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ କୌଣସି ଉପାୟ ନପାଇ ବର୍ଷା ଦିନ ଆସିଲେ ଖରସ୍ରୋତା ପାଣିରେ ଜୀବନକୁ ବାଜି ଲଗାଇ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଯାତାୟାତ କରିଥାନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ସୀମାନ୍ତ କୁଜାମେଣ୍ଢି ପଞ୍ଚାୟତର କୁଜାମେଣ୍ଢିଠାରେ ବହି ଯାଇଛି ବୃତଙ୍ଗ ନଦୀ। ଏହି ନଦୀ ମଧ୍ୟଦେଇ ଦଶପଲ୍ଲା ବ୍ଲକ୍‌ର ଦୁଡ଼ା ଓ କୁଜାମେଣ୍ଢି ପଞ୍ଚାୟତ ସହ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ର ବଣି, ପ୍ରଧାନପଡ଼ା, ମୁଣ୍ତୁଳା, ତଳ ମୁଣ୍ତୁଳା, ଟିକି ତଇଳା, ତିଳାବାଡ଼ି, ବାକ୍ଟି, ସାତସାହି ଗାଡିଆପଡ଼ା, ଓଡ଼ମ୍ବା, ପାଇକଚିରା ପ୍ରଭୃତି ଗ୍ରାମର ଜନସାଧାରଣ ଏହି ବୃତଙ୍ଗ ନଦୀ ମଧ୍ୟ ଦେଇ ଯାତାୟାତ କରିଥାନ୍ତି। ମୁଖ୍ୟତଃ ବର୍ଷା ଦିନ ଆସିଲେ ଏସବୁ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବା ବନ୍ଦ ହୋଇ ପଡ଼ୁଥିବା ବେଳେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ଅସମ୍ଭବ ହୋଇ ପଡ଼ିଥାଏ। ଏସବୁ ଅଂଚଳବାସୀଙ୍କ ବାରମ୍ବାର ଦାବି ପରେ କେନ୍ଦ୍ର ସରକାରଙ୍କ ଆଇଏପି ଅର୍ଥରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହା ଉପରେ ଏକ ଛୋଟ ପୋଲ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପୋଲ ନିର୍ମାଣ ହେବାର କିଛି ମାସ ପରେ ବୃତଙ୍ଗ ନଦୀରେ ବଢ଼ି ଆସିବା ଫଳରେ ଏହି ପୋଲକୁ ଧୋଇ ନେଇଯାଇଥିଲା। ପୁନଃ ସେତୁ ନିର୍ମାଣ ପାଇଁ ଅଂଚଳବାସୀ ବାରମ୍ବାର ଦାବି କରିବା ସହ ୨୦୧୬ ମସିହାରେ ପଞ୍ଚାୟତବାସୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ କମିଟିପଙ୍ଗାଠାରେ ଅବରୋଧ କରିଥିଲେ। ସେହି ସମୟରେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ତୁରନ୍ତ ସେତୁ ନିର୍ମାଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲା।

ପୂର୍ବରୁ ମଧ୍ୟ ଅନେକ ରାଜନେତା ପହଞ୍ଚି ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିବା ବେଳେ ତାହା ପାଣିର ଗାର ସଦୃଶ ହୋଇ ରହିଛି। ଯାହାକୁ ନେଇ ଗତ ସାଧାରଣ ନିର୍ବାଚନ ସମୟରେ ସେତୁ ନିର୍ମାଣ ଦାବିରେ କୁଜାମେଣ୍ଢି ପଞ୍ଚାୟତର ଅନେକ ଗ୍ରାମବାସୀ ବାଧ୍ୟ ହୋଇ ଭୋଟ ବର୍ଜନ କରିଥିଲେ। ଅନ୍ୟ ପାର୍ଶ୍ବରେ ଏହାକୁ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେତୁ ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଫାଇଲ୍ ପଡ଼ି ରହିଥିବା ଜଣାପଡ଼ିଛି। ତେବେ ବଡ଼କଥା ହେଉଛି କରୋନା ମହାମାରୀ ସମୟରେ ଏସବୁ ଅଂଚଳବାସୀ ଦୁର୍ବିସହ କାମଧନ୍ଧା ନପାଇ ପଡ଼ି ରହିଥିବା ବେଳେ ସରକାରଙ୍କଠାରୁ ମିଳୁଥିବା ରାସନ ସାମଗ୍ରୀ ଗଣ୍ତାକ ନେବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। କିଏ ଛାତିଏ ତ ପୁଣି କିଏ ଅଣ୍ଟାଏ ପାଣିରେ ରାସନ ସାମଗ୍ରୀ ଧରି ଯାତାୟାତ କରିଥାନ୍ତି। ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅଂଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର