ମାଲକାନଗିରି ଠପ୍ : ୧୩ଟି ଜିଲ୍ଲାର ଲୋକଙ୍କୁ ମାଲକାନଗିରି ପ୍ରବେଶ ମନା

ମାଲକାନଗିରି : ମାଲକାନଗିରି ସଂପୂର୍ଣ୍ଣ ଠପ୍ ହୋଇଯାଇଛି । କରୋନା ମାଡ ଯୋଗୁଁ ଜିଲ୍ଲା ପ୍ରଶାସନ ଶନିବାର ଏବଂ ରବିବାର ସଟ୍ ଡାଉନ ଘୋଷଣା କରିବା ସହ ଯେଉଁ ଯେଉଁ ସାହିରେ ରୋଗୀ ଚିହ୍ନଟ ହୋଇଛନ୍ତି ସେହି ସେହି ଅଂଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି।

ଗତକାଲି ମାଲକାନଗିରି ସହରରେ ୧୦ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଏବେ ମୁଣ୍ଡ ବ୍ୟଥା ବଢିଯାଇଛି ।ଆଗାମୀ ଦିନରେ ହୁଏତ ସଟ୍ ଡାଉନ ଆଗକୁ ମଧ୍ୟ ବଢିପାରେ ବୋଲି କୁହାଯାଉଛି। ତେବେ ୧୩ଟି ଜିଲ୍ଲାର ଲୋକଙ୍କୁ ମାଲକାନଗିରି ସଂପୂର୍ଣ୍ଣ ମନା କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ,କଟକ,ଭଦ୍ରକ,ଖୋର୍ଦ୍ଧା(ଭୁବନେଶ୍ବର), ଯାଜପୁର,ନୟାଗଡ,ପୁରୀ,ଢେଙ୍କାନାଳ ,ସୁନ୍ଦରଗଡ,କେନ୍ଦ୍ରାପଡା,ଗଜପତି,ବାଲେଶ୍ବର ଏବଂ ଜଗତସିଂହପୁର। ଯେଉଁମାନେ ରେଡ ଜୋନ ଜିଲ୍ଲାରୁ ମାଲକାନଗିରି ଆସିବେ ସେମାନଙ୍କୁ ତୁରନ୍ତ ସଂଗରୋଧ କେନ୍ଦ୍ରକୁ ଯିବାକୁ ପଡିବ ବୋଲି କୁହାଯାଇଛି।

ତେବେ ଜିଲ୍ଲା ପ୍ରଶାସନ ତରଫରୁ ଜାରି କରାଯାଇଥିବା ନିର୍ଦେଶନାମାରେ ପୁଣି ଦର୍ଶାଯାଇଛି ଯେ ୧୦ ବର୍ଷରୁ କମ୍ ବୟସର ପିଲା,ଗର୍ଭବତୀ ମହିଳା କିମ୍ବା ରୋଗଗ୍ରସ୍ତ ମହିଳା,୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯଦି ରେଡ ଜୋନରୁ ଆସନ୍ତି ତେବେ ସେମାନେ ଗୃହ ସଂଗରୋଧରେ ରହିବାକୁ ବାଧ୍ୟ ବୋଲି କୁହାଯାଇଛି। ତେବେ ଗୃହ ସଂଗରୋଧରେ ସେମାନଙ୍କ ପାଇଁ ସ୍ବତନ୍ତ୍ର କଠୋରୀ,ସ୍ବତନ୍ତ୍ର ଶୌଚାଳୟ,ଗାଧୁଆ ଘର ରହିବା ଦରକାର। ଯଦି ଏହା ନାହିଁ ତେବେ ସ୍ଥାନୀୟ ବିଡିଓ ବାଧ୍ୟ ହୋଇ ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି।

ସରକାରୀ କର୍ମଚାରୀ,ବ୍ୟବସାୟୀ କିମ୍ବା ଅନ୍ୟମାନେ  ଯଦି ଜିଲ୍ଲାରୁ ବାହାରକୁ ଯାଉଛନ୍ତି କିମ୍ବା ଜିଲ୍ଲା ଭିତରକୁ ଆସୁଛନ୍ତି ଓ  ୭୨ ଘଣ୍ଟା ଭିତରେ ସେମାନେ ଯିବା ଆସିବା କରନ୍ତି ତେବେ ସେମାନଙ୍କ ପାଇଁ ସଂଗରୋଧ ବ୍ୟବସ୍ଥାରେ କିଛି ରିହାତି ମିଳିବ ।ସେହିପରି ଜିଲ୍ଲାର ବାଲିମେଳା ଏନଏସିରେ ଗତକାଲି ୪ଟି ପଜିଟିଭ  ବାହାରିବା ପରେ ସେହି ଅଂଚଳକୁ ମଧ୍ୟ ସଟ୍ ଡାଉନ ଘୋଷଣା କରାଯାଇଛି।ମାଲକାନଗିରିର ଅନ୍ୟ ଅଂଚଳଗୁଡିକରେ ବାହାରିଥିବା ପଜିଟିଭ ସ୍ଥାନରେ କେବଳ କଣ୍ଟେନମେଣ୍ଟନ ଜୋନ କରାଯାଇଥିବା କୁହାଯାଇଛି।ଲୋକେ ଭୟଭୀତ ନହୋଇ ଘରେ ରହିବାକୁ ପ୍ରଶାସନ ନିର୍ଦେଶ ଦେବା ସହ ଅତ୍ୟନ୍ତ ଜରୁରୀ ହେଲେ ହିଁ ମାସ୍କ ପିନ୍ଧି ଘରୁ ପଦାକୁ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର