ଓଡ଼ଗାଁ: ଓଡ଼ଗାଁକୁ ଟାର୍ଗେଟ କରିଛନ୍ତି ପେସାଦାର ସାପ ଧରାଳି। କିଛିଦିନ ହେବ ଓଡ଼ଗାଁରେ ଡେରା ପକାଇବା ସହିତ ବିଭିନ୍ନ ସାପ ଧରି ମହାରାଷ୍ଟ୍ରକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏମାନେ ଦାମୀ ଗାଡ଼ିରେ ଆସୁଥିବା ବେଳେ କିଛି ଯୁବତୀଙ୍କୁ ସାଙ୍ଗରେ ଆଣି ବ୍ୟବସାୟ ଚଳାଉଥିବା ଏବଂ ବନ କର୍ମଚାରୀଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ରର ଜଣେ ଯୁବକ ଓ ଯୁବତୀ ଏକ ସ୍କର୍ପିଓରେ ଓଡ଼ଗାଁ ଆସି ଲଜ୍ରେ ରହିଥିଲେ। ସେମାନେ ବିଭିନ୍ନ ସ୍ଥାନ ବୁଲି ବିଷଧର ସାପ ଧରି ଚୋରା ଚାଲାଣ କରୁଛନ୍ତି। ଗତ ମାସ ୧୮ତାରିଖରେ ମହାରାଷ୍ଟ୍ରର ସାପଧରାଳି ଓଡ଼ଗାଁର ଏକ ଲଜ୍ରେ ରହିଥିବା ବନ କର୍ମଚାରୀମାନେ ସୁରାକ୍ ପାଇବା ପରେ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ଏକ କଳା ରଙ୍ଗର ସ୍କର୍ପିଓକୁ ପିଛା କରି ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ପୁଲିସ ଓ ବନ କର୍ମଚାରୀମାନେ ବିଭିନ୍ନ ରାସ୍ତାକୁ ନାକାବନ୍ଦୀ କରି ଗାଡ଼ିକୁ ଠାବ କରିଥିଲେ ମଧ୍ୟ ଗାଡ଼ିରୁ ଯୁବତୀକୁ ଖସାଇ ଦିଆଯାଇଥିବା ଏବଂ ଯୁବତୀ ଜଣକ ଖୋର୍ଦ୍ଧାରୁ ଟ୍ରେନ୍ ଯୋଗେ ମହାରାଷ୍ଟ୍ର ଚାଲିଯାଇଥିବା ଜଣାପଡ଼ିଛି।
ସ୍କର୍ପିଓରୁ ଦୁଇଜଣଙ୍କୁ ଧରି ବନ କର୍ମଚାରୀ ଓଡ଼ଗାଁ ଆଣିବା ପରେ କୌଣସି ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇନଥିଲେ ମଧ୍ୟ ସେମାନେ ସାପ ଧରିବାକୁ ଓଡ଼ଗାଁ ଆସିଥିବା ଘଟଣାକୁ ସ୍ବୀକାର କରିଥିଲେ। ଏହି ଦୁଇଜଣଙ୍କୁ ଓଡ଼ଗାଁ ବନ ବିଭାଗ ହାଜତରେ ଗୋଟିଏ ଦିନ ରଖିବା ପରେ ଓଡ଼ଗାଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଖବର ପାଇ ତାଙ୍କ ଘରେ ଚଢ଼ଉ କରିବା ପରେ କୌଣସି ଜିନିଷ ଉଦ୍ଧାର ନ ହେବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ପ୍ରଶ୍ନ ଉଠୁଛି, ଏହି ଯୁବକ-ଯୁବତୀ ସାପ ଧରିବା ପାଇଁ ଓଡ଼ଗାଁକୁ ବାଛିଲେ କାହିଁକି? ମହାରାଷ୍ଟ୍ରର ସାପଧରାଳି ଓଡ଼ିଶାକୁ ଆସି ସାପ ଧରିବା କିମ୍ବା ସାପ ଧରିବାର ଦୃଶ୍ୟ ସୁଟିଂ କରି ୟୁଟ୍ୟୁବ୍ରେ ପୋଷ୍ଟ କରିବା ପାଇଁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଅନୁମତି ନେଇଥିଲେ କି? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ବନ ବିଭାଗ ଲୋକଦେଖାଣିଆ ଭାବେ ସେମାନଙ୍କୁ ଧରି ଛାଡ଼ିଦେବା ଚିନ୍ତାର କାରଣ ପାଲଟିଛି।
ତେବେ ଦେଶର ବନ୍ୟପ୍ରାଣୀ ଆଇନ ଅନୁସାରେ କୌଣସି ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ବ୍ୟବସାୟିକ କାର୍ଯ୍ୟରେ ଲଗାଇବା ବେଆଇନ। ଗୋଟିଏ ରାଜ୍ୟର ଲୋକ ଅନ୍ୟ ରାଜ୍ୟକୁ ଯାଇ ସାପ ଧରିବା ମଧ୍ୟ ବେଆଇନ। ସୋସିଆଲ ମିଡିଆରେ ସାପ ଖେଳର ଦୃଶ୍ୟ ଭାଇରାଲ୍ କରିବା ମଧ୍ୟ ବେଆଇନ। ଏହା ସହିତ ସାପ ଧରିବାକୁ ଗୋଟିଏ ରାଜ୍ୟର ଅନୁମତି ଅନ୍ୟ ରାଜ୍ୟରେ କାମ କରିବନି ବୋଲି ଚିଠିରେ ଉଲ୍ଲେଖ ରହିଛି। ଏସବୁ ସତ୍ତ୍ବେ ଓଡ଼ଗାଁ ବନାଞ୍ଚଳରେ ପଶି ଯୁବକ ଓ ଯୁବତୀ ସାପ ଧରିବାର ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ୍ କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହା ପଛରେ ବନ କର୍ମଚାରୀଙ୍କ ହାତ ଥିବା ଓ ଡିଲ୍ ହେଉଥିବା କୁହାଯାଉଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ତ ଅଧିକାରୀ ଦେବାର୍ଚ୍ଚନ ବେହେରା, ମହାରାଷ୍ଟ୍ରରୁ ସାପ ଧରାଳି ଓଡ଼ଗାଁ ଆସିଥିବା ସ୍ବୀକାର କରିବା ସହ କୌଣସି ସନ୍ଦେହଜନକ ଜିନିଷ ଉଦ୍ଧାର ହୋଇନଥିବାରୁ ଛାଡ଼ି ଦିଆଯାଇଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/fshsfhfxvb-2025-11-10-00-52-35.jpg)