ଶୀଘ୍ର ପହଞ୍ଚିବାକୁ କଂସାରିଗଣ୍ଡରେ ବିପଦପୂର୍ଣ୍ଣ ଯାତାୟାତ, ରଶି ଦ୍ବାରା ଡଙ୍ଗାରେ ପାର ହେଉଛନ୍ତି ଦୁଇ ବ୍ଲକ୍‌ବାସୀ 

ଛତ୍ରପୁର: ଶୀଘ୍ର ପହଞ୍ଚିଯିବା ଆଶାରେ ରଶି ଦ୍ବାରା ଡଙ୍ଗାରେ ବିପଜ୍ଜନକ ଅବସ୍ଥାରେ ଲୋକେ ନଦୀ ପାର ହେଉଛନ୍ତି। ଏହା କୌଣସି ଦୁର୍ଗମ ଗ୍ରାମାଞ୍ଚଳର ଚିତ୍ର ନୁହେଁ। ବରଂ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଋଷିକୁଲ୍ୟା ନଦୀ ମଧ୍ୟରେ ଥିବା କଂସାରିଗଣ୍ଡରେ ନିତିଦିନିଆ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେବ। ଏଠାରେ ନଦୀ ଗଭୀର ରହିଥିବାରୁ ବହୁ ଲୋକଙ୍କ ଜୀବନ ଯାଇଥିବାର ନଜିର୍ ରହିଛି। ତଥାପି ଗଞ୍ଜାମ ଓ ଛତ୍ରପୁର ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବାକୁ ରଶି ଦ୍ବାରା ଡଙ୍ଗାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।
ଗମନାଗମନ ପାଇଁ ମୁନିଷିପେଣ୍ଠ ନିକଟରେ ଥିବା କଂସାରିଗଣ୍ଡ ଉପରେ ଗଞ୍ଜାମ ବ୍ଲକ୍‌ର କରପଡ଼ା, ରାଜପୁର, ୟୁ.ଧର୍ମଶରଣପୁର, ସନ୍ତୋଷପୁର ଓ ମଲାଡ଼ ପଞ୍ଚାୟତ ଏବଂ ଛତ୍ରପୁର ବ୍ଲକ୍‌ର ପୋଟଲାମପୁର ପଞ୍ଚାୟତର ଗ୍ରାମବାସୀ ନିର୍ଭରଶୀଳ। ବର୍ତ୍ତମାନ କଂସାରିଗଣ୍ଡ ଉପରେ ରାଜ୍ୟ ସରକାରଙ୍କ ୨୫୦ କୋଟି ଟଙ୍କା ଅନୁଦାନରେ ବ୍ରିଜ୍ ନିର୍ମାଣ କାମ ଚାଲିଛି। ଯାହାକି ବର୍ଷକ ଭିତରେ ଶେଷ ହେବ। ଏହି ବ୍ରିଜ୍ ନିର୍ମାଣ ହେଲେ ଗଞ୍ଜାମ ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଉପକୃତ ହେବେ। ଏତଦ୍‌ବ୍ୟତୀତ ଛତ୍ରପୁର ଅଞ୍ଚଳର ଚାଷୀ ଏବଂ ବ୍ୟବସାୟୀମାନେ ପୁରୁଷୋ ତ୍ତମପୁର, ଗଞ୍ଜାମ, ହୁମା ଓ ରମ୍ଭା ଆଦି ଅଞ୍ଚଳକୁ ବେପାର ପାଇଁ ସୁବିଧାରେ ଯାତାୟାତ କରିପାରିବେ। ତଥାପି ଉଭୟ ଅଞ୍ଚଳର ଜନସାଧାରଣ ଏହି ବ୍ରିଜ୍ ନିର୍ମାଣ କାମ ଶେଷ ନ ହେବା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ ରଶି ଦ୍ବାରା ଡଙ୍ଗାରେ କଂସାରିଗଣ୍ତ ପାର ହେଉଛନ୍ତି। ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିବନି ବୋଲି ମତପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର