ବାଲେଶ୍ବର: ହାୱାରେ କେବେ ନିର୍ବାଚନ ଜିତି ହୁଏ ନାହିଁ। ସାମ୍ବାଦିକ ସମ୍ମିଳନୀ, ଗଣମାଧ୍ୟମରେ ବାଇଟ୍‌ କିମ୍ବା ସୋସିଆଲ ମିଡିଆରେ ଫଟୋ ଭିଡିଓ ଛାଡ଼ିଦେଲେ ବି ଭୋଟ ମିଳେ ନାହିଁ। ଭୋଟ ପାଇବାକୁ ହେଲେ ଗାଁ ଗାଁ ଘରଘର ବୁଲି ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହେବା। ସେମାନଙ୍କ ମନ ଜିତିବା। ଜନତା ବିଜେପିକୁ ଭୋଟ ଦେବାକୁ ପ୍ରସ୍ତୁତ ଅଛନ୍ତି। ବିଜେପିର କାର୍ଯ୍ୟକର୍ତ୍ତା ଓ ନେତାମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ରାଜ୍ୟରେ ଦୀର୍ଘବର୍ଷ ଧରି ଶାସନ କରୁଥିବା ବିଜେଡି ବି‌ପକ୍ଷରେ ୨୦୧୪ ମସିହାରୁ ଲୋକେ ବିଜେପିକୁ ବିକଳ୍ପ ଆସନରେ ବସାଇ ସାରିଥିବା ବେ‌ଳେ ଏବେ ସମୟ ଆସିଛି ବୁଥ୍‌ସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ, ନିର୍ବାଚନ ମଣ୍ଡ‌ଳୀ ପର୍ଯ୍ୟନ୍ତ ସେଇଭଳି ଜଣେ ଜଣେ ବିଶ୍ବାସଯୋଗ୍ୟ, ଜନଦରଦୀ ତଥା ସମର୍ପିତ ନେତୃତ୍ବ ତିଆରି ହେବା ଉଚିତ୍‌। ଗୁରୁବାର ମଧ୍ୟାହ୍ନରେ ବାଲେଶ୍ବର ସହରର ଗାନ୍ଧିସ୍ମୃତି ଭବନରେ ବିଜେପି ତରଫରୁ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶା‌ରେ ଶାସନ ପରିବର୍ତ୍ତନ କରିବାକୁ ହେଲେ ନିଜକୁ ଏହିପରି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଥିଲେ।

Advertisment

ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ନବୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍‌ କରି କହିଥିଲେ, ଏ ସରକାରକୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି। ଦୀର୍ଘ ୨୩ ବର୍ଷ ଶାସନ ପରେ ବି ଏଠାରେ ୩ କୋଟି ୨୫ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ପଡ଼ୁଛି, ଦେଢ଼କୋଟି ଓଡ଼ିଆ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କୃଷି, ପର୍ଯ୍ୟଟନ ଆଦିର ବିକାଶ ନାଁରେ ଖାଲି ଘୋଷଣା ପରେ ଘୋଷଣା କରାଯାଉଛି। ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ତାର ଶସ୍ୟ ଉତ୍ପାଦନ କରୁଛି। କିନ୍ତୁ ବିଜେଡିର ଦଲାଲମାନେ ତାର ଲାଭ ଉଠାଉଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଏବଂ ଶାସନ ବ୍ୟବସ୍ଥା କଥା ନକହିବା ଭଲ। ଏବେ ଲୋକଙ୍କୁ ବୋକା ବନାଇବା ସମୟ ସରିଯାଇଛି। ଏସବୁର ହିସାବ ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କୁ ନବୀନ ବାବୁ ଦେବାକୁ ପଡ଼ିବ। ଅପାର ସମ୍ଭାବନା ଥିବା ଧନୀ ଓଡ଼ିଶାରେ ସେ ଏତେବର୍ଷ ଶାସନଗାଦି‌ରେ ବସିବା ପରେ ଗରିବୀ କାହିଁକି ହଟିନାହିଁ ତାର ଉତ୍ତର ତାଙ୍କୁ ଦେବାକୁ ପଡ଼ିବ। ନିର୍ବାଚନ ଆସିଲେ ନବୀନ ବାବୁଙ୍କର ଯାପାନ ଯାଆନ୍ତି। ଏତେ ବର୍ଷ ଶାସନଗାଦିରେ ବସି ଗୋଟିଏ ଶିଳ୍ପସଂସ୍ଥା ରାଜ୍ୟରେ ବସାଇ ପାରିନଥିବା ବେଳେ ଏବେ ଲୋକଙ୍କୁ ପୁଣି ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି।

publive-image

ତେବେ ବିଜେପି ଏ ମିଥ୍ୟାବାଦୀ, ଭାଣ୍ଡାମୀ, ଭ୍ରଷ୍ଟାଚାରୀ ସରକାରକୁ ଗାଦିରୁ ହଟାଇବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ। ବିଜେଡି ଶାସନଗାଦିରେ ବସିବା ଲାଗି ବାହୁବଳ ଓ ଅର୍ଥବଳକୁ ଅସ୍ତ୍ର କରିଛି, ବିଜେପି ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ହୃଦୟ ଜିତିବ। ସେହିପରି ଦଳ ପାଇଁ ଅନେକ ବ୍ୟକ୍ତି ଦୀର୍ଘବର୍ଷ ଧରି ନିଜ ଘର, ପରିବାର, ଜୀବନ ଓ ଯୌବନ ଭୁଲି ସମର୍ପିତ ହୋଇ କାମ କରିଛନ୍ତି। ସେମାନଙ୍କ କଥା ମଧ୍ୟ ବୁଝିବାକୁ ପଡ଼ିବ। ସେମାନଙ୍କ ପରେ ଏବେ ଅନେକ ନୂଆ ନେତୃତ୍ବ ସୃଷ୍ଟି ହୋଇଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ପରସ୍ପର ମନାନ୍ତର ଭୁଲି ଏକଜୁଟ୍‌ ହେବାକୁ ପଡ଼ିବ। ମୋଦୀ ସରକାରଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବ‌ାସ, ସବ୍‌କା ପ୍ରୟାସର ବାର୍ତ୍ତାକୁ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚାଇ ଆଗାମୀ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସେ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଭୋଗରାଇ ନେତା ଅଂଶୁମାନ ମହାନ୍ତି, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ପର୍ଶୁରାମ ବେହେରା, ସିପ୍ରା ବାଜପେୟୀ, ସୁଷମା ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ। ଲମ୍ବୋଦର ନାୟକ, କମଳଲୋଚନ ଦାସ, ସତ୍ୟଜିତ ମିଶ୍ର, ଚିତ୍ତରଂଜନ ପଣ୍ଡା, କମଳା ବିନ୍ଧାଣୀ, ମମତା ମହାପାତ୍ର, ସସ୍ମିତା ଚାନ୍ଦ, ମହୁଆ ପ୍ରଧାନ, ରବୀନ୍ଦ୍ର ଜୈନ, ଗୌରବ ଅଣ୍ଡିଆ, ଅରୂପ ଜେନା, ରଣଜିତ ପୃଷ୍ଟି, ଅନୀଲ ମହାନ୍ତି, ବିପିନ ମାରାଣ୍ଡିଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।