ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଲୋକଙ୍କର ଅତ୍ୟଧିକ ଓ ଆଶା ବିଶ୍ୱାସ ରହିଛି ବୋଲି ଅଧିକ ସଂଖ୍ୟାରେ ଲୋକମାନେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ପୂର୍ବରୁ ସରକାର ଓ ଲୋକଙ୍କ ଭିତରେ ଯେଉଁ ପ୍ରାଚୀର ଥିଲା ତାହା ଆଉ ନାହିଁ ।

Advertisment

ତେଣୁ ଲୋକମାନେ ବର୍ତ୍ତମାନ ୨୦୧୦-୧୧ ମସିହାରେ ନ୍ୟାୟ ନପାଇଥିବା ଅଭିଯୋଗ ନେଇ ଆସୁଛନ୍ତି ବୋଲି ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 

ପ୍ରତ୍ୟେକ ସୋମବାର ଜିଲ୍ଲାରେ ଜିଲ୍ଲାପାଳ ଓ ଅଧିକାରୀ ମାନେ ଅଭିଯୋଗ ନେଉଛନ୍ତି । ଏ ସରକାରଙ୍କର ଆଦର୍ଶ ଅଲଗା । ଲୋକମାନେ ସ୍ୱାଭାବିକ ଲୋକଙ୍କ ସରକାର ବୋଲି ଆସୁଛନ୍ତି।  ତ୍ୱରିତ ବେଗରେ ସମାଧାନ ହେଉଛି । ୧୧ ହଜାର ଅଭିଯୋଗରୁ ୧୦ ହଜାରରୁ ଅଧିକ ଅଭିଯୋଗ ହୋଇଛି ସମାଧାନ ।  ଅନ୍ୟ ଅଭିଯୋଗର ସମାଧାନ କରିବାକୁ  ଆମେ ଯତ୍ନଶୀଳ ଅଛୁ। 

ବିଭାଗ ୱେବ୍‌ସାଇଟ୍ ହ୍ୟାକ୍ ସମ୍ବନ୍ଧରେ ରିପୋର୍ଟ ଆସିଲା ପରେ ଜଣାପଡିବ କିଏ ହ୍ୟାକ୍ କରିଛି । ଦେଶ ନା ଦେଶ ବାହାର ତତ୍ତ୍ୱ ହ୍ୟାକ୍ କରିଛନ୍ତି ତାହା ଜଣା ପଡ଼ିବ ବୋଲି ସେ କହିଛନ୍ତି । 

ଅପରପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ନେଇ ଆସିଥିବା ଲୋକେ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ କଲେ ବି ସମାଧାନ ହେଉନି  । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଫଳ ମିଳୁନି। ବୁର୍ଲା ଭୀମସାର କଲେଜ ବିରୁଦ୍ଧରେ ଅଭିଯୋଗ ଆଣି ଗଲା ୪ ଥର ହେଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିଲେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ବୁର୍ଲାର ନାରାୟଣ ବାଗ ।

ସେ ଭୀମସାର କଲେଜରେ ଗେଟ୍ କିପର ଚାକିରୀ କରିଥିଲେ । ସରକାରୀ ଚାକିରୀରେ ଥିବା ବେଳେ ତାଙ୍କୁ ବିନା ନୋଟିସରେ ୨୦୦୭ ଜାନୁଆରି ୬ ତାରିଖରୁ ବାହାର କରି ଦିଆଯାଇଥିଲା । ବର୍ତ୍ତମାନ କୋର୍ଟ ପୁନର୍ବାର ନିଯୁକ୍ତି ପାଇଁ ନିର୍ଦ୍ଦେଶ ପାଇଁ କହିଥିଲେ ବି ହୋଇପାରିନି ସମାଧାନ । ଏପଟେ ଭୀମସାର କଲେଜର ଲିଗାଲ ସେଲ୍ ଅଫିସର ପ୍ରସନ୍ନ ସ୍ୱାଇଁ ତାଙ୍କୁ ହଇରାଣ କରୁଛନ୍ତି। ଆତ୍ମହୁତି ଦେଲେ ହୁଏତ ସମାଧାନ ହେବ ବୋଲି  ସେ ଅଭିଯୋଗ କରିଛନ୍ତି । ମୁଁ ଏ ଦପ୍ତରରୁ ସେ ଦପ୍ତର ଦୌଡୁଛି । ପିଲାଛୁଆଙ୍କୁ କେମିତି ପୋଷିବି ବୋଲି ପଚାରିବା ସାଙ୍ଗକୁ ସେ ଆତ୍ମହୁତି ଧମକ ଦେଇଛନ୍ତି। 

ସେହିପରି  ବାଲେଶ୍ୱର ବସ୍ତା ଅଞ୍ଚଳର ରଞ୍ଜିତ ମାନା ଅଭିଯୋଗ ପ୍ରକୋଷ୍ଠରୁ ବାହାରି ମିଳିଥିବା ପ୍ରତିଶ୍ରୁତିପତ୍ର ଚିରି ଦେଇଛନ୍ତି । ଦିବ୍ୟାଙ୍ଗ ରଞ୍ଜିତ ପୂର୍ବରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୫ ପ୍ରତିଶତ କରିଦେଇ ଭତ୍ତା କମେଇ ଦିଆଯାଇଛି। ଯେଉଁଥିପାଇଁ ସେ ବାରମ୍ବାର ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦେଖା କରି ଜଣାଇଥିଲେ ବି ସମାଧାନ ହୋଇନାହିଁ । ତେଣୁ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏ ବାବଦରେ ତିନିଥର ଜଣାଇଥିଲେ ବି କିଛି ଫଳ ମିଳିନି ।

ଅଭିଯୋଗ ଶୁଣାଣୀ କରି ଖୋଦ ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ ଯିବାକୁ । ତେଣୁ ଜିଲ୍ଲାପାଳଙ୍କ ପାଖରୁ ନିରାଶ ଫେରିଥିବା ଲୋକ ଅତି କଷ୍ଟରେ ପ୍ଲାଟଫର୍ମରେ ଶୋଇ ଏହି ଅଭିଯୋଗ ପ୍ରକୋଷ୍ଠକୁ ଆସି ଦୁଃଖ ଜଣାଇବା ପରେ ପୁଣି କାହିଁକି ସେଠାକୁ ଯିବ ବୋଲି ସେ କହିବା ସାଙ୍ଗକୁ ଦୁଃଖ ପ୍ରକାଶ କରି ଫେରି ଯାଇଛନ୍ତି । 

suryavanshi suraj |