ହାତୀ ଭୟରେ ମଦ ଛାଡ଼ିଲେ ୧୦ ଗାଁ’ର ଲୋକେ

ବିଶ୍ରା : ହାତୀଙ୍କ ଖବର ପ୍ରତିଦିନ ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି। କେତେବେଳେ ହାତୀ ମଣିଷ ମାରିବା ତ ଆଉ କେଉଁ ଦିନ ଲୋକଙ୍କ ହାତରେ ହାତୀର ଜୀବନ ଯିବା ଖବର। ହାତୀଙ୍କ ଉପଦ୍ରବ ପାଇଁ ବହୁ କ୍ଷୟକ୍ଷତି ହେଉଥିବା ଅଭିଯୋଗ ସବୁ ଅଞ୍ଚଳରୁ ଆସୁଛି। କିନ୍ତୁ ହାତୀଙ୍କ ଭୟରେ ସରଣ୍ଡା ଜଙ୍ଗଲକୁ ଲାଗିଥିବା ଓଡ଼ିଶାର ୧୦ଟି ଗାଁର ଲୋକମାନେ ମଦ ଛାଡ଼ି ଦେଇଥିବା ଭଳି ଭଲ ଖବର ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି।

ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ଜଙ୍ଗଲକୁ ଲାଗିଥିବା ଜରେଇକେଲା, ଭାଲୁଲତା, ମହିପାଣି, ମନକୋ, ତୁଳସିକାନି, ଝାରବେଡ଼ା ସମେତ ଦଶଟି ଗାଁରେ ହାତୀଙ୍କ ଉତ୍ପାତ ହେତୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପାଖରେ ଜଙ୍ଗଲ ଥିବାରୁ ହାତୀମାନେ କେଉଁ ସମୟରେ ଗାଁକୁ ପଶିବେ କାହାକୁ ଜଣା ନଥାଏ।  ଯଦିଓ ହାତୀମାନେ ଏହିସବୁ ଗାଁରେ ବଡ଼ଧରଣର କ୍ଷୟକ୍ଷତି କରିନାହାନ୍ତି, କିନ୍ତୁ ଯେଉଁ ଘରୁ ମହୁଲ ମଦ ଦୁର୍ଗନ୍ଧ ଆସେ, ସେ ଘରକୁ ଭାଙ୍ଗି ଦିଅନ୍ତି। ମଦ ପିଇବା ପାଇଁ ହାତୀ ଏଭଳି କାଣ୍ଡ କରନ୍ତି। ବିଶ୍ରା ବ୍ଲକ୍‌ର ମନ୍‌କୋ ଏବଂ ଜରେଇକେଲା ଗ୍ରାମପଞ୍ଚାୟତ ଜଙ୍ଗଲରେ ବଣୁଆ ହାତୀଙ୍କର ଦୁଇଟି ଦଳରେ ପ୍ରାୟ ୨୯ଟି ହାତୀ ବୁଲୁଛନ୍ତି। ଦୁଇ ମାସ ହେଲା ଏହି ଦଳ ଅଞ୍ଚଳରେ ସକ୍ରିୟ ଅଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ହାତୀମାନଙ୍କ ପାଇଁ ଏତେ ଆତଙ୍କ ରହିଛି ଯେ ସେମାନେ ପରିବାର, ଘର ଏବଂ ଫସଲ ବଞ୍ଚାଇବା ପାଇଁ ମହୁଲି ମଦ ପିଇବା ଛାଡ଼ି ଦେଇଛନ୍ତି। ଜଙ୍ଗଲ ନିକଟସ୍ଥ ଗାଁରେ ମହୁଲି ମଦ ତିଆରି ବନ୍ଦ ହୋଇଯାଇଛି। ତେଣୁ ଗାଁ ଭିତରୁ ଆଉ ମହୁଲି ମଦ ଗନ୍ଧ ଆସୁନାହିଁ। ସରକାରୀ ଆଇନକାନୁନ୍‌, ପୁଲିସ ଓ ଅବକାରୀ ପ୍ରଶାସନର ଘନଘନ ଚଢ଼ଉ ସତ୍ତ୍ବେ ଏହିସବୁ ଗାଁରେ ମହୁଲି ମଦ ବନ୍ଦ ହୋଇ ନଥିଲା। ହାତୀଙ୍କ ଭୟରେ ଲୋକେ ମଦ ଛାଡ଼ି ଦେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର