ସାଇବର ରାକ୍ଷସଙ୍କ ଜାଲରେ ଜନତା: ମୁହୂର୍ତ୍ତକରେ ଖାଲି କରିଦେଉଛନ୍ତି ଆକାଉଣ୍ଟ

୪ ବର୍ଷରେ ଓଡ଼ିଶାରୁ ଲୁଟିଲେଣି ୧୨୨ କୋଟି, କାଳ କରୁଛି ସିମ୍ ଜାଲିଆତି

ଭୁବନେଶ୍ବର, (ମହମ୍ମଦ ହିିଫ୍‌ଜୁର ରହେମାନ୍): ଆପଣ ଲାଇଫ୍ ସାର୍ଟିଫିକେଟ୍ ଦେଇ ନାହାନ୍ତି, ପେନସନ୍ ବନ୍ଦ ହୋଇଯିବ। ଅ‌ାପଣଙ୍କର କେୱ‌ାଇସି ଅପଡେଟ୍ ନକଲେ ବ୍ୟାଙ୍କ ଆକାଉଣ୍ଟ/ଏଟିଏମ୍ କାର୍ଡ ଅଚଳ ହୋଇଯିବ। ଆପଣ ବିଦ୍ୟୁତ ବିଲ୍ ପଇଠ କରି ନାହାନ୍ତି, ରାତି ୧୦ଟା ସୁଦ୍ଧା ପଇଠ ନକଲେ ମଧ୍ୟରାତିରୁ ବିଜୁଳି ଲାଇନ୍ କାଟି ଦିଆଯିବ। ଅାପଣ ୨ ଲକ୍ଷ ଟଙ୍କା ଜମାକଲେ, ୩ ବର୍ଷରେ ୫ ଲକ୍ଷ ‌ଟଙ୍କା ହୋଇଯିବ। ଅାପଣଙ୍କ ଛାତ ଉପରେ ମୋବାଇଲ ଟାୱାର ଲଗାଇଲେ ମାସକୁ ୩୦ ହଜାର ଟଙ୍କା ଭଡ଼ା ଦିଆଯିବ। ଲୋକମାନଙ୍କୁ ମୋବାଇଲରେ ଏଭଳି କଲ୍‌/ମେସେଜ୍ ଆସୁଛି। ସମାଧାନ ପାଇଁ ନିର୍ଦିଷ୍ଟ ଲିଙ୍କ୍ ଆସୁଛି। ଏହି ଲିଙ୍କ୍‌କୁ କ୍ଲିକ୍ କରି ଓଟିପି ଦେବାମାତ୍ରେ ବ୍ୟାଙ୍କ ଖାତାରୁ ମୁହୂର୍ତ୍ତକ ମଧ୍ୟରେ ଖାଲି ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା।

ନିଜକୁ ସରକାରୀ/ବ୍ୟାଙ୍କ/ବୀମା ଆଦି ସଂସ୍ଥାର ଅଧିକାରୀ ରୂପେ ପରିଚୟ ଦେଇ ଏଭଳି ଢଙ୍ଗରେ ଲୁଟୁଛନ୍ତି ସାଇବର ଠକ। ସଚେତନତାର ଅଭାବ ହେଉ କି ଅତ୍ୟଧିକ ‌େଲାଭ ହେଉ, ଅଧିକାଂଶ ଲୋକ ସାଇବର ରାକ୍ଷସଙ୍କ ଜାଲରେ ପଡ଼ି ସର୍ବସ୍ବାନ୍ତ ହେଉଛନ୍ତି। ବରିଷ୍ଠ ନାଗରିକମାନେ ଜୀବନସାରା କଷ୍ଟକରି ରୋଜଗାର କରିଥାନ୍ତି। ଆଶା ଥାଏ ଶେଷ ଜୀବନ ଟିକେ ଭଲରେ କଟିବ। ଝିଅ ବାହାଘର, ପିଲାଙ୍କ ପାଠପଢ଼ା ବୋଝ ଉଠାଇବେ। ମୁଣ୍ଡ ଗୁଞ୍ଜିବା ପାଇଁ ଛାତଘର ଖଣ୍ଡି‌ଏ କରିବେ କିମ୍ବା ଜମାରାଶିରୁ ଆସୁଥିବା ସୁଧ ଅର୍ଥରେ ମାସିକ ଖର୍ଚ୍ଚ ତୁଲାଇବେ। କିନ୍ତୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ପରେ ସେମାନଙ୍କର ସବୁ ସ୍ବପ୍ନ ଉଜୁଡ଼ି ଯାଉଛି। ସେହିଭଳି ଯୁବପିଢ଼ିଙ୍କ କଥା ଆହୁରି ଦୟନୀୟ। ପାଠ ପଢ଼ିବା ପରେ ଅନେକ ଦିନ ଘରେ ବସିବା ପରେ ଚାକିରି କରି ରୋଜଗାର କରିବା, ନିଜଗୋଡ଼ରେ ଠିଆହେବା, ପରିଣତ ବୟସରେ ବାପାମାଆଙ୍କୁ ଚିକତ୍ସା ସୁବିଧା ଯୋଗାଇ ଦେବା, ଭଉଣୀ ବାହାଘରର ବୋଝ ବାପାଙ୍କ ସହ ମିଶି ଉଠାଇବା ଆଦି କେତେକ’ଣ ‌ଚିନ୍ତା କରୁଥିବା ଯୁବକ ଯେତେବେଳେ ସାଇବର ଠକ କବଳରେ ପଡ଼ି ଚାକିରି ପାଇବା ପାଇଁ ଟଙ୍କା ହରାଉଛି ତା ପାଦତଳୁ ମାଟି ଖସିଯାଉଛି।

ଏମିତି କୌଣସି ମୋବାଇଲ ବ୍ୟବହାରକାରୀ ନଥିବେ ଯେଉଁମାନଙ୍କୁ କେୱାଇସି ଅପଡେଟ୍, ବିଦ୍ୟୁତ୍ ବିଲ୍, ଲୋଭନୀୟ ସ୍କିମ୍, ମୋବାଇଲ ଟାୱାର ପ୍ରତିଷ୍ଠା ଏବଂ ଅନଲାଇନ୍ ଟ୍ରେଡିଂ ସଂପର୍କରେ କଲ୍ ବା ମେସେଜ୍ ଅାସୁନଥିବ। ଅନେକ ଏଭଳି କଲ୍‌/ମେସେଜକୁ ଏଡ଼ାଇ ଯାଉଥିବା ବେଳେ ଅଧିକାଂଶ ଲୋକ ଠକମାନଙ୍କ ଜାଲରେ ପଡ଼ିଯାଉଛନ୍ତି। ତେବେ ମୁଖ୍ୟତଃ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ ଏବଂ ମହିଳା। ବିଶେଷ କରି ପେନସନ୍‌ଧାରୀ ଲୋକଙ୍କୁ ଲାଇଫ୍ ସାର୍ଟିଫିକେଟ ଅପଡେଟ୍ କରିବା ନାଁରେ ଲୁଟୁଛନ୍ତି। ପ୍ରଥମେ ସେମାନେ ବେଆଇନ ଉପାୟରେ ସଂପୃକ୍ତ ବ୍ୟକ୍ତିଙ୍କର ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ଏହାପରେ ସେହି ବ୍ୟକ୍ତିଙ୍କୁ କଲ୍ କରି ନିଜକୁ ସରକାରୀ ଅଧିକାରୀ ରୂପେ ପରିଚୟ ଦେଉଛନ୍ତି। ସେମ‌ାନେ ସଂଗ୍ରହ କରିଥିବା ତଥ୍ୟ ସମ୍ପର୍କରେ ସୂଚନା ଦେଇ ସେମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରୁଛନ୍ତି। ସମସ୍ୟାର ସମାଧାନ ପାଇଁ ଆପ୍ ଡାଉନେଲାଡ୍ କରିବାକୁ କହୁଛନ୍ତି କିମ୍ବା ଲିଙ୍କ୍ ପଠାଉଛନ୍ତି। ଲିଙ୍କ୍‌ରେ କ୍ଲିକ୍ କରି ଓଟିପି ସେୟାର କରିବା ମାତ୍ରେ ଠକମାନେ ବ୍ୟାଙ୍କ ଆକାଉଣ୍ଟକୁ ଯାଇ ତତ୍‌କ୍ଷଣାତ୍ ଟଙ୍କା ଜାଲ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଉଛନ୍ତି। ଟିଭି କିମ୍ବା ମୋବାଇଲ ରିଚାର୍ଜ ବାହାନାରେ ମଧ୍ୟ ସେମାନେ ଯୁବକମାନଙ୍କୁ ଏଭଳି ଲୁଟୁଛନ୍ତି।

ଡିଜିଟାଲ ଦୁନିଅ‌ା ସହିତ ଲୋକମାନେ ଯେତେ ଯୋଡ଼ି ହେଉଛନ୍ତି, ‌ତାଠାରୁ ଅଧିକ ହାରରେ ସାଇବର ଠକେଇର ଶିକାର ହେଉଛନ୍ତି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ରାଜ୍ୟରେ ସାଇବର ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ି ବଢ଼ି ଚାଲିଛି। ୨୦୧୫ରେ ଏହି ଅପରାଧ ସଂଖ୍ୟା ୩୮୫ ଥିବା ବେଳେ ୨୦୨୧ରେ ୨୦୩୭କୁ ବୃଦ୍ଧି ପାଇଥିଲା। ଅର୍ଥାତ ୭ ବର୍ଷ ମଧ୍ୟରେ ୪୯୨ ପ୍ରତିଶତ ବୃଦ୍ଧି ପାଇଥିଲା। ଗତ ୪ ବର୍ଷରେ ସେମାନେ ଓଡ଼ିଶାରୁ ୧୨୨ କୋଟି ଟଙ୍କା ଲୁଟି ନେଇଛନ୍ତି। ସବୁଠାରୁ ବଡ଼ ଠକାମିର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ବରର ଜଣେ ଅବସରପ୍ରାପ୍ତ ସାମରିକ ଅଧିକାରୀ। ତାଙ୍କ ଠାରୁ ୯୫ ଲକ୍ଷ ଟଙ୍କା ସେମାନେ ଲୁଟି ନେଇଛନ୍ତି। ସେହିଭଳି କଟକର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ନେଇଯାଇଛନ୍ତି ଏହି ଲୁଟେରା। ଠକାମିର ଶିକାର ହେଉଥିବା ଏଭଳି ‌େଲାକମାନଙ୍କର ସଂଖ୍ୟା ହେଉଛି ୪୦ ପ୍ରତିଶତ। କିନ୍ତୁ ୬୦ ପ୍ରତିଶତ ଲୋକ ଏସଂପର୍କରେ ପୁଲିସରେ କିମ୍ବା ସାଇବର ସେଲରେ ଅଭିଯୋଗ କରନ୍ତି ନାହିଁ।

Vindhya Bhaskar

ଗତବର୍ଷ ଭାରତରେ ଏଭଳି ଅପରାଧ ସଂପର୍କରେ ୫୨ ହଜାର ୯୬୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ତେଲେଙ୍ଗାନାରେ ସର୍ବାଧିକ ୧୦ ହଜାର ୩୦୩ଟି ମାମଲା ରହିଛି। ଏହା ପଛକୁ ୟୁପି, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆସାମ ଭଳି ରାଜ୍ୟ ରହିଛନ୍ତି। ଏହି ୫ଟି ରାଜ୍ୟରେ ୭୧ ଭାଗ ସାଇବର ଅପରାଧ ଘଟିଛି। ଭାରତରେ ୨୦୧୫ରେ ସାଇବର ଅପରାଧ ସଂଖ୍ୟା ୧୧ ହଜାର ୬୫୯୨ ଥିବା ବେଳେ ୨୦୧୮ରେ ଏହା ୨୭ ହଜାର ୨୪୮କୁ ଛୁଇଁଥିଲା। ଗତ ତିନି ବର୍ଷରେ ଏହା ପାଖାପାଖି ଦୁଇ ଗୁଣା ବଢ଼ିଯାଇଛି। ସେହିଭଳି ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ପ୍ରଥମ ସ୍ଥାନରେ ଚୀନ ଥିବା ବେଳେ ବ୍ରାଜିଲ ଦ୍ବିତୀୟ ଏବଂ ଆମେରିକା ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ସାଇବର ଅପରାଧ ଯୋଗୁଁ ଚୀନ ୬୬.୩ ବିଲିୟନ ଡଲାର ହରାଇଥିବା ବେଳେ ବ୍ରାଜିଲ ୨୨.୫ ବିଲିଅନ, ଆମେରିକା ୧୯.୪ ବିଲିଅନ୍ ଏବଂ ଭାରତ ୧୮.୫ ବିଲିଅନ୍ ଡଲାରର କ୍ଷତି ସହିଛି।

ଏଭଳି ଅପରାଧକୁ ରୋକିବା ଲାଗି ସରକାର ସ୍ବତନ୍ତ୍ର ସେଲ୍ ଖୋଲିବା ସହିତ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଏହାର ପ୍ରଭାବ ପଡ଼ୁଥିବାର ମନେହେଉ ନାହିଁ। ସାଇବର ଅପରାଧ ଉପରେ ନଜର ରଖୁଥିବା ବିଶେଷଜ୍ଞମାନଙ୍କ ମତରେ ଯେଉଁପର୍ଯ୍ୟନ୍ତ ନାଗରିକ ସଚେତନ ନହୋଇଛନ୍ତି, ସେପର୍ଯ୍ୟନ୍ତ ସେମାନେ ଏଭଳି ଲୁଟ୍‌ର ଶିକାର ହେଉଥିବେ। ସେ କହିଛନ୍ତି ନିଜର ବ୍ୟାଙ୍କ ଆକାଉଣ୍ଟ ସଂକ୍ରାନ୍ତ ତଥ୍ୟ କାହାରିକୁ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କୁ ଏହାଠାରୁ ଦୂରେଇ ରଖନ୍ତୁ। କାହାରି କାର୍ଯ୍ୟକଳାପକୁ ନେଇ ଟିକିଏ ବି ସନ୍ଦେହ ହେଲେ ତୁରନ୍ତ ନିକଟବର୍ତ୍ତୀ ସାଇବର ଥାନାକୁ ଜଣାନ୍ତୁ। ନିଜ ଆକାଉଣ୍ଟରୁ ଠକ ଟଙ୍କା ଲୁଟିବାର ଦୁଇ ଘଣ୍ଟା ମଧ୍ୟରେ ଅଭିଯୋଗ ଆସିଲେ, ଏହି ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ଅଭିଯୋଗ ଆଣିବାରେ ଯେତେ ବିଳମ୍ବ ହେବ, ଟଙ୍କା ଫେରସ୍ତ ପ୍ରକ୍ରିୟା ସେ‌େତ ଜଟିଳ ହେବ। ଅଭିଯୋଗ ତତକ୍ଷଣାତ୍ ବ୍ୟାଙ୍କରେ ଦେ‌ବା ପରେପରେ ସାଇବର ଥାନା/ସେଲରେ କରିପାରିଲେ ଭଲ। କିନ୍ତୁ ଦେଖାଯାଉଛି ‌ଯେ ୬୦ ଭାଗ ଲୋକ ଅଭିଯୋଗ କରନ୍ତି ନାହିଁ। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସାଇବର ଅପରାଧୀମାନେ ଜାଲ କାଗଜପତ୍ର ବଳରେ ପ୍ରି-ଆକଟିଭେଟେଡ୍ ସିମ୍ ରଖିଛନ୍ତି। ଠକେଇ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଠାବ କରିବା ସମ୍ଭବ ହୋଇପାରୁ ନାହିଁ। ସିମ୍‌ ଜାଲିଆତି ‌େରାକିବା ଲାଗି ସରକାର କଠୋର ପଦକ୍ଷେପ ନେବା ଉଚିତ। ସିମ ଜାଲିଆତି ବନ୍ଦ ‌େହେଲ ସାଇବର ଠକେଇ ୫୦ ପ୍ରତିଶତ ହ୍ରାସ ପାଇବ।

 

ସମ୍ବନ୍ଧିତ ଖବର