ଏରସମା : ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ଏରସମାର ଉପକୂଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ରବିବାର ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଥିବା ବେଳେ ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାୱାର୍କୁ ସମୁଦ୍ର ଜୁଆର ଛୁଁଇଥିବା ଦେଖିବାକୁ ମିଳିଛି।
୧୯୯୯ମସିହା ମହାବାତ୍ୟା ଏରସମାରେ ସର୍ବାଧିକ କ୍ଷତି ଘଟାଇଥିଲା। ହଜାର ହଜାର ଲୋକ ସମୁଦ୍ର ଜୁଆରରେ ଭାସି ଯାଇ ପ୍ରାଣ ହରାଇଥିଲେ। ସେ ସମୟର ଭୟଙ୍କର ଦୃଶ୍ୟ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନାହିଁ। ତେବେ ଏଥର ସ୍ଥିତି କିଛି ଅଲଗା। ବର୍ତ୍ତମାନ ଭଳି ପ୍ରଶାସନ କି ସାଧାରଣ ଲୋକ ସେସମୟରେ ବାତ୍ୟାକୁ ସେପରି ଗୁରୁତ୍ବ ଦେଇ ନଥିଲେ। ମାତ୍ର ମହାବାତ୍ୟା ପରେ ଅନେକ ବାତ୍ୟା ଏଇ ଏରସମା ଦେଇ ଅତିକ୍ରମ କରିଛି। ଲୋକମାନେ ମହାବାତ୍ୟାରୁ ହାସଲ କରିଥିବା ଅନୁଭୂତିକୁ ନେଇ ସଫଳ ଭାବେ ସେଗୁଡ଼ିକର ମୁକାବିଲା କରିଛନ୍ତି। ତଥାପି ମହାବାତ୍ୟାର ବିଭୀଷିକାକୁ ଅଙ୍ଗେ ନିଭାଇଥିବା ଲୋକମାନେ ସେ କଥା ମନେ ପକାଇ ଅଜଣା ଭୟରେ ଶିହରି ଉଠୁଛନ୍ତି।
ପାଣିପାଗ ବିଭାଗର ପୁର୍ବାନୁମାନ ୟାସ୍ ପାରାଦୀପକୁ ଛୁଇଁପାରେ। ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ଏରସମାର ସମୁଦ୍ର ଉପକୂଳ ଅଞ୍ଚଳରେ ବ୍ୟାପକ ଭାବରେ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଶେଷକରି ବ୍ଲକର ଗଡ଼ହରିଶପୁର, ପଦ୍ମପୁର, ଗୋଡ଼ା, ଆମ୍ବିକି, ଗଡ଼କୁଜଙ୍ଗ, ନୂଆଗାଁ, ଢିଙ୍କିଆ ଆଦି ପଞ୍ଚାୟତର ସରପଞ୍ଚମାନଙ୍କୁ ସ୍ବତନ୍ତ୍ର ଭାବରେ ଲୋକମାନଙ୍କୁ ସଚେତନ କରିବା ସହିତ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ନେବା ପାଇଁ ପରାମର୍ଶ ଦିଆଯାଇଛି।
ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା ଗଡ଼ହରିଶପୁର ନୋଳିଆ ସାହି ଆଶ୍ରୟସ୍ଥଳୀରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ସରପଞ୍ଚ ଭୀମସେନ ରାଉତ, ସମ୍ପାଦକ ଦରିଦ୍ର ଭଞ୍ଜନ ଦାସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଟକୃଷ୍ଣ ମହାନ୍ତି ଗ୍ରାମମାନଙ୍କରେ ବୁଲି ଡାକବାଜି ଯନ୍ତ୍ରରେ ଲୋକମାନଙ୍କୁ ସଚେତନ କରିବା ସହିତ ସରକାରୀ ନିର୍ଦ୍ଦେଶ ପାଇବା କ୍ଷଣି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଯିବାକୁ କହିଛନ୍ତି। ସେହିପରି ପଦ୍ମପୁର ପଞ୍ଚାୟତ ସରପଞ୍ଚ କେଶବ ପାତ୍ର ଲୋକମାନଙ୍କୁ ଭୟଭୀତ ନ ହୋଇ ସରକାରୀ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଲୋକଙ୍କୁ ବୁଝାଇଛନ୍ତି।