ଚୁଆପାଣିକୁ ଭରଷା କରୁଛନ୍ତି କୋଡ଼ିଗନ୍ଧି ଗାଁ ଲୋକେ, ନାଳରେ ବଡ଼ଗଣ୍ଡି ପକାଇ ପାଣି ଆଣୁଛନ୍ତି ମହିଳା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ କୋଡ଼ିଗନ୍ଧି ଗାଁରେ ପ୍ରାୟ ୧୨୦ ଗୋଟି  ଆସିବାସୀ ପରିବାର ବସବାସ କରନ୍ତି। ପିଇବା ପାଣି ପାଇଁ ଗାଁର ୫୦୦ରୁ ଅଧିକ ଲୋକ ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭରଶୀଳ। କିଛି ବର୍ଷ ତଳେ ଉକ୍ତ ଗ୍ରାମରେ ଗୋଟିଏ କୂଅ ଓ ଗୋଟିଏ ନଳକୂଅ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ନଳକୂଅଟି ଅଚଳ ହୋଇ ଯାଇଥିବା ବେଳେ କୂଅଟି ପୋତି ହୋଇ ଯାଇଛି। ଫଳରେ କୋଡ଼ିଗନ୍ଧି ଗ୍ରାମର ଲୋକେ ଆଗଭଳି ଯେମିତି ନାଳ ପାଣି ଓ ଚୁଆପାଣି ଉପରେ ନିର୍ଭରଶୀଳ ଥିଲେ ଏବେବି ସେଇ ସମାନ ଅବସ୍ଥା ଦେଇ ଜୀବନ ବିତାଉଛନ୍ତି।
ଚୁଆପାଣି କୋଡ଼ିଗନ୍ଧି ଗାଁ ଲୋକଙ୍କର ଭରଷା ପାଲଟିଛି। ଖରା ଦିନ ଓ ଶୀତ ଦିନର କିଛି ମାସ ନାଳ ପାଣି ଉପରେ ନିର୍ଭର କରିଥାନ୍ତି। ବର୍ଷା ଦିନେ ଅଧିକ ଗୋଳି ପାଣି ସକାଶେ ପାଣି ବ୍ୟବହାର ଉପଯୋଗୀ ହୋଇ ନଥାଏ, ଏଣେ ନଳ କୂଅ ଅଚଳ, ଏଣୁ ପ୍ରତିଦିନ ଗାଁ ର ମହିଳାମାନେ ଗାଁ ଠାରୁ  ଅଧ କିଲୋମିଟର ଦୂରରେ ଥିବା ନାଳ ଉପରେ ପଡ଼ିଥିବା କାଠଗଣ୍ଡି ଡେଇଁ ଚୁଆରୁ ପାଣି ଆଣିଥାନ୍ତି। ଏହି ଚୁଆ ଓ ନାଳର ଅପରିଷ୍କାର ପାଣି ପିଇ ବହୁ ସମୟରେ ଗାଁ ଲୋକେ ତରଳଝାଡା ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।
ସେଇଭଳି ସେଇ ଗୋଟିଏ ପଞ୍ଚାୟତର  ତେନ୍ତୁଳିପଦର ଗାଁ ଅବସ୍ଥା ସମାନ ପ୍ରକାରର। ଗୋଟିଏ କିଲୋମିଟର ଦେଇ ଚୁଆ ଓ ଜଳ ଭଣ୍ଡାରର ପାଣି ପିଇଥାନ୍ତି ଉକ୍ତ ଗ୍ରାମବାସୀମାନେ। ଅବିଳମ୍ବେ ଜିଲା ପ୍ରଶାସନ ଉଭୟ ଗ୍ରାମର ଜଳ ସମସ୍ୟାକୁ ଅନୁଧ୍ୟାନ କରି ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର