କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତି ସଂପୂର୍ଣ୍ଣ କରୋନା ବିପଦମୁକ୍ତ ନୁହନ୍ତି: ରାଜ୍ୟ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ. ଶ୍ରୀନିବାସ ରେଡ୍ଡି

ଘରେଥିବା ବୟସ୍କ ମଧ୍ୟ ମାସ୍କ ପିନ୍ଧ ହାତ ଧୋଇବା ଜରୁରୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ଯେଉଁମାନଙ୍କୁ କ୍ୱାରେଣ୍ଟାଇନ୍‌ ବା ସଙ୍ଗରୋଧରେ ରଖାଯାଇଉଛି ସେମାନେ ଯେ କରୋନା ଭୟରୁ ସଂପୂର୍ଣ୍ଣ ରୂପେ ମୁକ୍ତ ତାହା ଆଦୌ ଭାବନ୍ତୁ ନାହିଁ। ଯଦି ଏପରି କେହି ଭାବୁଥାନ୍ତି, ତେବେ ସେ ସଂପୂର୍ଣ୍ଣ ଭ୍ରାନ୍ତିରେ ଅଛନ୍ତି ବୋଲି ଆଜି ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଉପଦେଷ୍ଟା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡାକ୍ତର ଶ୍ରୀନିବାସ ରେଡ୍ଡୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୂରା କ୍ୟାବିନେଟ, ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କଲାବେଳେ ଏହି ସତର୍କବାଣୀ ଶୁଣାଇଛନ୍ତି ଡ. ରେଡ୍ଡି। ସେ କହିଛନ୍ତି ଯେ କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ମଧ୍ୟଦେଇ ଗତି କରୁଛି। କରୋନାକୁ ନେଇ ଏଯାବତ୍‌ କୌଣସି ପ୍ରକାରର ନିର୍ଣ୍ଣାୟକ ନିର୍ଣ୍ଣୟ ବାହାର କରାଯାଇ ପାରିନାହିଁ। ଏହି ସତ୍ୟକୁ ସମସ୍ତେ ଉପଲବ୍ଧି କରିବା ସହ ସଚେତନ ହେବାର ଆବଶ୍ୟକତା ରହିଛି। କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ୨ମିଟରର ଦୂରତାକୁ ନିଶ୍ଚିତ କରିବା ସହ କେବଳ ମାତ୍ର ନିଜ ନିଜର ବ୍ୟକ୍ତଗତ ଜିନିଷକୁ ବ୍ୟବହାର କରିବା ଓ ନିଜ ଜିନିଷ ପତ୍ରକୁ ଅନ୍ୟ କାହାରିକି ନ ଦେବା ପାଇଁ ଚେତାବନୀ ଦେଇଛନ୍ତି ଡ.ରେଡ୍ଡି।

ଘରେ ରହୁଥିବା ବୟସ୍କମାନେ ମଧ୍ୟ ମାସ୍କ ପିନ୍ଧିବା ସହ ହାତ ଧୋଇବା ଜରୁରୀ

ଘରେ ରହୁଥିବା ବୟସ୍କମାନେ ଘରେ ରହୁଥିଲେ ମଧ୍ୟ ମାସ୍କ ପିନ୍ଧିବା ସହ ଦିନକୁ ୭ରୁ ୮ ଥର ହାତକୁ ଧୋଇବା ଜରୁରୀ ବୋଲି କହିଛନ୍ତି ଡ. ରେଡ୍ଡି। କାରଣ, ବୟସ୍କ ବ୍ୟକ୍ତିମାନଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଥିବା କାରଣରୁ ସେମାନେ ଶୀଘ୍ର ଆକ୍ରାନ୍ତ ହୋଇଥାନ୍ତି ଓ ଥରେ କରୋନାରେ ଆକ୍ରାନ୍ତ ହୋଇଗଲେ ସେମାନଙ୍କର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅକାମି ହୋଇ ଯାଇଥାଏ। ଫଳରେ ସେମାନେ କରୋନାର ଶିକାର ହୋଇ ପ୍ରାଣ ହରାଇଥାଆନ୍ତି। ତେଣୁ, ଘରେ ରହୁଥିବା ବୟସ୍କମାନଙ୍କର ଅଧିକ ଯତ୍ନ ନେବାସହ ସେମାନଙ୍କୁ ସଙ୍ଗରୋଧ ସଦୃଶ ରଖିବାକୁ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ. ରେଡ୍ଡି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର