ବିରୋଧ ପରେ ଚେତା ପଶିଲା: ଲେଖାଶ୍ରୀଙ୍କ ବିବାଦୀୟ ବୟାନ ଉପରେ ମୁହଁ ନଖୋଲି ପୁରୀ ପାଇଁ ମୁଁ ପରିଚୟ ପାଇଛି ବୋଲି କହିଲେ ସମ୍ବିତ

ଭୁବନେଶ୍ୱର: ଦୁଇ ଦିନର ବିରୋଧ, ରାସ୍ତାରେ କୁଶପୁତ୍ତଳିକା ଦାହ ସାଙ୍ଗକୁ ଗିରଫ ଦାବି । ଏହା ସହ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶ ଦେଖିବା ପରେ ବିଜେପି ନେତା ସମ୍ବିତ ପାତ୍ରଙ୍କର ଚେତା ପଶିଛି । ସମ୍ବିତଙ୍କ ପାଇଁ ପୁରୀକୁ ଦେଶବାସୀ ଚିହ୍ନିଲେ ବୋଲି ଲେଖାଶ୍ରୀ ଦେଇଥିବା ବିବାଦୀୟ ବୟାନକୁ ଓଡ଼ିଶାରୁ ପ୍ରତିବାଦର ସ୍ୱର ଉଠିବା ପରେ ମୁହଁ ଖୋଲିଛନ୍ତି ସମ୍ବିତ । ଏକ ଭିଡ଼ିଓ ଜାରି କରି ସମ୍ବିତ କହିଛନ୍ତି, ପୁରୀ ପାଇଁ ମୁଁ ପରିଚିତ ହୋଇଛି । ପୁରୀରୁ ନିର୍ବାଚନ ଲଢିବା ପରେ ମୋତେ ଲୋକେ ଚିହ୍ନିଲେ । ଏଭଳି କହି ହୁଏତ ସମ୍ବିତ ଲୋକଙ୍କ ଭିତରେ ଥିବା ଆକ୍ରୋଶକୁ ପ୍ରଶମିତ କରିବାକୁ ଉଦ୍ୟମ କରିଥାଇ ପାରନ୍ତି, କିନ୍ତୁ ଜଗନ୍ନାଥଧାମକୁ ନେଇ ଲେଖାଶ୍ରୀ ଯେଉଁ ବିବାଦୀୟ ବୟାନ ଦେଇଥିଲେ ସେ ବାବଦରେ ମୁହଁ ଖୋଲି ନାହାନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ।

ଦୁଇ ଦିନ ପୂର୍ବେ ଲେଖାଶ୍ରୀ ଯେଉଁ ବିବାଦୀୟ ବୟାନ ଦେଇଥିଲେ ତାହାକୁ ନେଇ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଥିଲେ ଓଡ଼ିଶାବାସୀ । ଲେଖାଶ୍ରୀ ଶ୍ରୀକ୍ଷେତ୍ରଧାମକୁ ନେଇ ବିବାଦୀୟ ବୟାନ ଦେଉଥିବା ବେଳେ ସମ୍ବିତ ନତମସ୍ତକ ହୋଇ ଚୁପ୍ ରହିବାକୁ ସହଜରେ ଗ୍ରହଣ କରିପାରି ନଥିଲେ ଜଗନ୍ନାଥପ୍ରେମୀ । ଯେଉଁଥି ପାଇଁ ଲେଖାଶ୍ରୀଙ୍କ ସହ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରାଯାଇ ଗିରଫ କରିବାକୁ ଦାବି ଉଠିଥିଲା । ଆଉ ଏଭଳି ସ୍ଥିତିରେ ବିବାଦର ବୁଢିଆଣୀ ଜାଲରୁ ମୁକୁଳିବା ପାଇଁ ଗଳାବାଟ ଆପଣାଇଛନ୍ତି ସମ୍ବିତ । ଲେଖାଶ୍ରୀଙ୍କ ବୟାନକୁ ନିନ୍ଦା କରିବା ବଦଳରେ ପୁରୀ ପାଇଁ ସେ ପରିଚୟ ପାଇଛନ୍ତି ବୋଲି ଏକ ଭିଡିଓ ବାର୍ତ୍ତାରେ କହି ନିଜକୁ ଏହି ବିବାଦରୁ ଦୂରେଇବାକୁ ପ୍ରୟାସ କରିଛନ୍ତି ସମ୍ବିତ ।

ଯେତେବେଳେ ବିଜେପିର ଅନ୍ୟ ନେତା ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ନିନ୍ଦା କରୁଛନ୍ତି ସେତେବେଳେ ସମ୍ବିତ କାହିଁକି ପଛଘୁଞ୍ଚା ଦେଉଛନ୍ତି? ଲେଖାଶ୍ରୀଙ୍କ ବୟାନକୁ ନିନ୍ଦା ନ କରି ଓଡ଼ିଶାବାସୀଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସମ୍ବିତ । ତେବେ ଆଗକୁ ରହିଛି ପିପିଲି ଉପନିର୍ବାଚନ । ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ପ୍ରସଙ୍ଗ କରିପାରନ୍ତି ବିଜେଡି ଓ କଂଗ୍ରେସ । ଯାହା ଉଭୟ ସମ୍ବିତ ଓ ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ । ତେଣୁ ଏଭଳି ସ୍ଥିତିରେ ଦିଲ୍ଲୀରୁ ଭିଡ଼ିଓ ବାର୍ତ୍ତା ଜାରି କରି ବିବାଦରୁ ବଞ୍ଚିବାକୁ ପ୍ରୟାସ କରିଛନ୍ତି ସମ୍ବିତ ।

ସମ୍ବନ୍ଧିତ ଖବର