ଜୟପୁର ସହର ସାରା ଚୋରା ପାଇପ୍‌ ଲାଇନ୍‌

ଜୟପୁର : ସହରର ଅଧିକାଂଶ ଘରକୁ ଲମ୍ବିଛି ଚୋରା ପାଇପ୍‌ ସଂଯୋଗ। ଏ ସଂପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ଭଲ ରୂପେ ଅବଗତ । ତେବେ କାର୍ଯ୍ୟାନୁଷ୍ଠାନ ଶୂନ। ସେହିପରି ଯେଉଁମାନେ ପାଇପ୍‌ ସଂଯୋଗ ନେଇଛନ୍ତି ଜଳକର ଜମା କରୁ ନାହାନ୍ତି। ବର୍ଷ ବର୍ଷ ଧରି ଏହାକୁ ଆଦାୟ କରାଯାଉନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଫଳରେ ସହରରେ ଜଳ ଯୋଗାଣ ଭିତ୍ତିଭୂମି ଦୋହଲିବାରେ ଲାଗିଛି।

ଜୟପୁର ପୌରାଞ୍ଚଳ ଲୋକଙ୍କୁ ଜଳ ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ। ସ୍ଥାନୀୟ ସତୀଗୁଡା ଡ୍ୟାମରୁ ପାଣି ଉଠାଇ ହାତୀଶାଳ ନିକଟରେ ଥିବା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ସେହି ଜଳକୁ ବିଶୋଧନ କରାଯାଉଛି। ପରେ ଏହି ଜଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରୁଛି। ଜଳଯୋଗାଣ ପାଇଁ ଜୟପୁର ସହରକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସକାଳ ୬ଟାରୁ ପାଣି ଯୋଗାଣ ଆରମ୍ଭ ହେଉଥିବା ବେଳେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲୁଛି। ସହରର ପ୍ରତ୍ୟେକ ଅଞ୍ଚଳକୁ ପାଖାପାଖି  ୩ଘଣ୍ଟା ଲେଖାଏଁ ଜଳ ଯୋଗାଯାଉଛି। ଏଥିପାଇଁ ବିଭାଗର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଜଳ ବିଶୋଧନ ପାଇଁ ରାସାୟନିକ ପଦାର୍ଥ କିଣିବା, ଚୂନ ଓ ରକ୍ଷଣାବେକ୍ଷଣରେ ଟଙ୍କା ଖର୍ଚ୍ଚ ହେଉଛି। ଏହାସାଙ୍ଗକୁ ପାଇପ ଫାଟିଲେ ଏହାର ମରାମତି ପାଇଁ ବହୁଅର୍ଥ ଖର୍ଚ କରାଯାଉଛି। ଜଳ ଯୋଗାଣରେ ଯେତିକିି ଟଙ୍କା ଖର୍ଚ୍ଚ ହେଉଛି ତାହାର ମୋଟ ୨୫ ପ୍ରତିଶତ ଅର୍ଥ ଆଦାୟ ହୋଇପାରୁଛି। ବାକି ଟଙ୍କା ଏହିପରି ମାସ ପରେ ମାସ ଗଡି ଚାଲୁଛି। ପାଣି ଯୋଗାଇ ଟଙ୍କା ଆଦାୟ କରିପାରୁନି ଜନସ୍ୱାସ୍ଥ୍ୟ ବିଭାଗ। କର ଦେବାରେ ଖିଲାଫ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ କର ଆଦାୟ କମି କମି ଯାଉଛି।

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରେ ୭୨୧୪ଟି ଘରକୁ ବୈଧ ସଂଯୋଗକରଣ କରାଯାଇଛି। ପୌରପାଳିକାର ୨୮ଟି ଓ୍ଵାର୍ଡ ମଧ୍ୟରେ ରହିଛି ୪୫୬ଟି ଷ୍ଟାଣ୍ଡପୋଷ୍ଟ। ଏଥିସହ ସହରରେ କିଛି ଲୋକ ବେଆଇନ ଭାବେ ଘରକୁ ନେଉଛନ୍ତି ପାଣି। କିଏ ପାଇପ କଣା କରି ଜଳ ଶୋଷୁଛି, ତ କିଏ ବେଆଇନ ଭାବେ ଅନ୍ୟ ଘରକୁ ସଂଯୋଗ ଦେଉଛି। ବେଆଇନ ସଂଯୋଗ ଯୋଗୁଁ କର ଦେଉଥିବା ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ଦିନକୁ ୨୪ଘଣ୍ଟା ବଦଳରେ ମିଳୁଛି ମାତ୍ର ୩ ଘଣ୍ଟାର ଜଳ।

ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଚିରଂଜୀବୀ ମାହାଳିଙ୍କ କହିବାନୁଯାୟୀ, ପାଇପ୍‌ ପାଣି ସଂଯୋଗ ନେଇଥିବା ଲୋକଙ୍କୁ ମାସିକ ୯୧ ଟଙ୍କା ପୈଠ କରିବାକୁ ପଡୁଛି। ବିପିଏଲ ପରିବାରଙ୍କ ପାଇଁ ଏହା ୪୬ ଟଙ୍କା ରହିଥିବା ବେଳେ ବ୍ୟବସାୟିକ ବ୍ୟବହାର ପାଇଁ ମାସିକ ଦେୟ ରହିଛି ୧୨୪ ଟଙ୍କା। ତେବେ ସହରରେ ଅଧିକାଂଶ ଦେୟ ପଇଠ କରୁ ନାହାନ୍ତି। ଚଳିତ ମାସ ସୁଦ୍ଧା ଜୟପୁରରେ ପାଣି ବିଲ ବାବଦକୁ ୧ କୋଟିରୁ ଅଧିକ ଟଙ୍କା ବକେୟା ରହିଛି। ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ବିଭାଗର ୧ କୋଟି ୭୫ ଲକ୍ଷ ଟଙ୍କା ବାକି ରହିଥିବା ବେଳେ ମୋଟ ୩୧ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ବିଭାଗରେ କର୍ମଚାରୀଙ୍କ ଅଭାବ କାରଣରୁ କର ସଠିକ ଭାବେ କର ଆଦାୟ ହୋଇପାରୁନି।

ଶ୍ରୀ ମାହାଳି କହିଛନ୍ତି ଯେ, ବିଭାଗରେ ପାଖାପାଖି ୧୩୦ ସରକାରୀ ପଦବି ରହିଥିବା ବେଳେ ୩୧ ଜଣ ଅଛନ୍ତି। ଚୋରାରେ ପାଣି ସଂଯୋଗ ନେଇଥିବା ଜଣାପଡିଲେ କେବଳ ଜୋରିମାନା ହିଁ ଆଦାୟ କରାଯାଉଛି। କଠୋର କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଦିଆଯାଇନାହିଁ। ଏହାସହ ଆଗାମୀ ଦିନରେ ସହରରେ ସକାଳୁ ଓ ସନ୍ଧ୍ୟା ଭିତରେ ପାଣି ଯୋଗାଇବା ପାଇଁ ୩ଟି ପ୍ରକଳ୍ପ କାମ କରାଯିବା ଯୋଜନା ରହିଛି। ଏହାସହ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ସହରରେ ୯ କିଲୋମିଟର ପାଇପ ବିଛାଯିବ।  ଜୟନଗର ଠାରେ ୧ ଲକ୍ଷ ୨୪ ହଜାର ଟଙ୍କାରେ ଭୂତଳ ଟାଙ୍କି କରାଯିବ, ୧ କୋଟି ଟଙ୍କା ବ୍ୟୟରେ ସତୀନଦୀ ଠାରେ ଆଉ ଏକ ପମ୍ପହାଉସ ତିଆରି କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର