କଣ୍ଟେନମେଣ୍ଟ୍ ଜୋନ ସୁରକ୍ଷାରେ ଘଳିଆ: ନିୟମକୁ ଫୁ’, ସୁରକ୍ଷାକୁ ଭେଦ କରି ଯାତାୟାତ କରୁଛନ୍ତି ଲୋକ

ଗୋଷ୍ଠୀ ସଂକ୍ରମଣ ପାଇଁ ଖୋଲୁଛି ବାଟ, ୨୩ ଦିନରେ ୩୮ ଆକ୍ରାନ୍ତ

ରାୟଗଡ଼ା: କଣ୍ଟେନମେଣ୍ଟ୍ ଜୋନ୍ ସୁରକ୍ଷାରେ ଘଳିଆ। ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଯାତାୟାତ କରୁଛନ୍ତି ଲୋକ। ଯାହା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ପାଇଁ ବାଟ ଖୋଲୁଛି। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ ସତ୍ତ୍ବେ କଣ୍ଟେନମେଣ୍ଟ୍ ଜୋନର ଜନସାଧାରଣ ମାର୍କେଟ୍ ଓ ସର୍ବସାଧାରଣ ସ୍ଥାନକୁ ଆସୁଥିବାରୁ ବଢ଼ିଛି ପ୍ରଶାସନର ମୁଣ୍ଡବ୍ୟଥା। ନୀତି, ନିୟମକୁ ନ ମାନିବା କାରଣରୁ ଗୁଣପୁର ଉପଖଣ୍ଡର ବିଜୟପୁର ଗ୍ରାମରେ କରୋନା ଅଣାୟତ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସହରରେ ମଧ୍ୟ ବିଜୟପୁର ଅବସ୍ଥା ହୋଇପାରେ।

ଓଡ଼ିଶାର ଶେଷ ଜିଲ୍ଲା ଭାବେ ରାୟଗଡ଼ା କରୋନା ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଥିଲା। ଜୁନ୍ ୩ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦିଲ୍ଲୀ ଫେରନ୍ତା ଯୁବତୀ ରାୟଗଡ଼ା ପୌର ପରିଷଦର ଓଡ଼ୁଗୁଡ଼ା ଗ୍ରାମରେ ହୋମ୍ କ୍ବାରାଣ୍ଟିନରେ ରହିବା ପରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯୁବତୀଙ୍କ ସଂସ୍ପର୍ଶରେ ଆସି ଏଯାବତ୍ ୯ ଜଣ ସଂକ୍ରମିତ ହୋଇଥିବା ବେଳେ ବିଷମକଟକରୁ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ୍, କର୍ଣାଟକ, ମହାରାଷ୍ଟ୍ର, କୋଏମ୍ବାଟୁର ଫେରନ୍ତା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଲକଡାଉନ୍ ଆରମ୍ଭ ହେବା ପରଠୁ ମାର୍ଚ୍ଚ ୨୨ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ୭୦ ଦିନ ଗ୍ରିନ୍ ଜୋନରେ ଥିଲା ରାୟଗଡ଼ା। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଜିଲ୍ଲା ପୁଲିସ୍, ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗର ବିହତ ପଦକ୍ଷେପ ଯୋଗୁ ପ୍ରବାସୀଙ୍କ ଫେରିବା ସତ୍ତ୍ବେ ରାୟଗଡ଼ାରେ କରୋନା ଚିହ୍ନଟ ହୋଇନଥିଲା। ପ୍ରଶାସନ ଜାରି କରିଥିବା ନୀତି, ନିୟମକୁ ଜନସାଧାରଣ ମାନି ଚଳିବା ଯୋଗୁ ରାୟଗଡ଼ା ଏକ ମାତ୍ର ଜିଲ୍ଲା ଭାବେ କରୋନା ଆକ୍ରାନ୍ତ ତାଲିକାରୁ ଦୀର୍ଘ ୨ ମାସ ଧରି ଦୂରରେ ଥିଲା। ଯେଉଁଥି ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସମେତ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି, ଆଶାକର୍ମୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରା ଯାଇଥିଲା।

ତେବେ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ଭଳି ଦୀର୍ଘ ଅଢ଼େଇ ମାସର ପରିଶ୍ରମ ଏବେ ଫସର ଫାଟିବାକୁ ଯାଉଛି। ଭିଟାମାଟି ମୁହାଁ ହୋଇଥିବା ପ୍ରବାସୀ କ୍ବାରାଣ୍ଟିନ୍ ନୀତି, ନିୟମକୁ ନ ମାନି ନିଜ ଇଚ୍ଛାରେ ବାହାରେ ବୁଲୁଛନ୍ତି। ପ୍ରଶାସନ ପଞ୍ଜିକରଣ କରି ଘର ଆଗରେ କ୍ବାରାଣ୍ଟିନ୍ ବୋର୍ଡ ଝୁଲାଇ ପ୍ରବାସୀଙ୍କ ଗତିବିଧି ଉପରେ ନଜର ରଖୁନଥିବାରୁ ପରବର୍ତ୍ତୀ ସମୟରେ ପଜିଟିଭ୍ ଚିହ୍ନଟ ହେଉଥିବା ପ୍ରବାସୀଙ୍କ ମାଧ୍ୟମରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

କଣ୍ଟେନମେଣ୍ଟ୍ ଜୋନ୍ ସୁରକ୍ଷାରେ ଘଳିଆ, ଟିଏମସି ପରିଚାଳନାରେ ତ୍ରୁଟି ଏହାର ମୁଖ୍ୟ କାରଣ। ଯାହା ଜୁନ୍ ୨ ତାରିଖ ସୁଦ୍ଧା ଗ୍ରିନ୍ ଜୋନରେ ଥିବା ରାୟଗଡ଼ାକୁ ମାତ୍ର ୨୩ ଦିନ ମଧ୍ୟରେ ରେଡ୍ ଜୋନରେ ପରିଣତ କରି ଆକ୍ରାନ୍ତଙ୍କ ସଂଖ୍ୟାକୁ ୩୮ରେ ପହଞ୍ଚାଇଛି। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳରେ ପୁଲିସ୍ କେବଳ ପ୍ରବେଶ ଓ ପ୍ରସ୍ଥାନ୍ ଜୋନ ଉପରେ ନଜର ରଖୁଥିବା ବେଳେ ବିଭିନ୍ନ ପାର୍ଶ୍ବ ରାସ୍ତା ଦେଇ ଲୋକେ ମାର୍କେଟକୁ ଆସୁଛନ୍ତି। ଯାହା ଆଜିର ସଦ୍ୟତମ ଉଦାହରଣରୁ ପ୍ରମାଣିତ। ମହାରାଷ୍ଟ୍ରରୁ ଫେରି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାୟଗଡ଼ା ପୌର ପରିଷଦର ରାଣୀଗୁଡ଼ା ଫାର୍ମ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ପ୍ରଶାସନ।

ଆଜି ସକାଳ ୭ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳର ଲୋକ ଘରୁ ବାହାରିବା ଉପରେ ଜାରି ହୋଇଛି କଟକଣା। ହେଲେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଲୋକମାନେ ବାଉଁଶ ଡେଇଁ ସହରକୁ ଆସୁଛନ୍ତି। ଜିଲ୍ଲା ସଦର ମହକୁମା କଣ୍ଟେନମେଣ୍ଟ୍ ଜୋନର ସୁରକ୍ଷା ଚିତ୍ର ଯଦି ଏହା ତାହାହେଲେ ବ୍ଲକ୍ ଓ ଗ୍ରାମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ନୀତି, ନିୟମକୁ ଲୋକେ କେତେଦୂର ମାନୁଥିବେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ?

ସମ୍ବନ୍ଧିତ ଖବର