ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ଉନ୍ନତୀକରଣ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ

ଉନ୍ନତୀକରଣ ନାମରେ କ୍ଷୂର୍ଣ୍ଣ ହେଉଛି ମନ୍ଦିର ପୁରାତନ ଐତିହ୍ୟ ଓ ଗାରିମା

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ଉନ୍ନତୀକରଣ ଓ ନବୀକରଣ କାର୍ଯ୍ୟକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ସରକାର ଦେଇଥିବା ୫ କୋଟି ଅନୁଦାନ ଉଚିତ ବାଟରେ ଖର୍ଚ୍ଚ ହେଉନଥିବା ଅଭିଯୋଗ ଧୀରେ ଧୀରେ ଘନୀଭୁତ ହେଉଛି। ନବୀକରଣ ନାମରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛି ମନ୍ଦିର ମଠ ସୁରକ୍ଷା ମଞ୍ଚ।

ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଓବିସିସି ସଂସ୍ଥା ପକ୍ଷରୁ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କାମ ଜାରି ରହିଛି। ତେବ ଏହି ସଂସ୍ଥା ମନ୍ଦିରର ପୁରାତନ ସଂସ୍କୃତି ଓ ବୈଷୟିକ ଦିଗକୁ ଅଣଦେଖା କରି ନିମ୍ନମାନର କାମ କରୁଥିବା ଅଭିଯୋଗ ଆଣିଛି ମୟୂରଭଞ୍ଜ ମନ୍ଦିର ମଠ ସୁରକ୍ଷା ସମିତି । ଏଥି ସହିତ ଆଜି ସମିତିର ସଭାପତି ଭାନୁମିତ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଦୋଷ କୁମାର ଦାସ, ଅସିତ ପତି, ଅନୀଲ ପଣ୍ଡା, ଉମେଶ ସାହୁ , କଳିଙ୍ଗ କେଶରୀ ଜେନା, ରବୀନ କୁମାର ମହାପାତ୍ର, ସମାଜ ପତି, ଈଶ୍ୱର ଚନ୍ଦ୍ର ଦାସ, ରାଜେଶ ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ମନ୍ଦିର ପରିଦର୍ଶନରେ ଯାଇ ଜାରି ରହିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇଛନ୍ତି ।

ମଞ୍ଚର ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁସାରେ ମନ୍ଦିରର ନବୀକରଣ କାର୍ଯ୍ୟ କଣ ହେବ ସେ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାନଯାଇ ଜନସାଧାରଣଙ୍କୁ ଅନ୍ଧାର ମଧ୍ୟରେ ରଖାଯାଇଛି । ଆସିଥିବା ଆର୍ଥିକ ଅନୁଦାନରେ କଣ କଣ ନିର୍ମାଣ କାର୍ଯ୍ୟ ହେବ ସେ ସମ୍ପର୍କରେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିଥିବା ଓବିସିସି ସଂସ୍ଥାର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ ସେ ସବକଲେକ୍ଟର, ସବକଲେକ୍ଟରଙ୍କୁ ପଚାରିଲେ କଲେକ୍ଟରଙ୍କୁ ପଚାରନ୍ତୁ, କଲେକ୍ଟର କୁହନ୍ତି ଆର୍କିଟେକଙ୍କ ନିକଟରୁ ବୁଝନ୍ତୁ ବୋଲି ଉତ୍ତର ମିଳୁଛି । କରୋନାକୁ ନେଇ ଲକ୍ ଡାଉନ ଓ ସଟ୍ ଡାଉନ ଜାରି ରହିଥିବା ବେଳେ ମନ୍ଦିର ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳୁନଥିଲା । ଏହାର ସୁଯୋଗ ନେଇ ଓବିସିସି ସଂସ୍ଥା ନିଜ ଇଚ୍ଛା ଅନୁସାରେ ମନ୍ଦିରକୁ ଭାଙ୍ଗି ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଫଳରେ ମନ୍ଦିର ବେଢ଼ାରେ ରହିଥିବା ପାର୍ଶ୍ବ ଦେବାଦେବୀଙ୍କୁ ଭକ୍ତମାନେ ଦର୍ଶନ କରିବାକୁ ହେଲେ ହାମୁଡ଼େଇ ଅଥବା ପେଟେଇ ଦର୍ଶନ କରିବାକୁ ପଡ଼ିବ ।

ମନ୍ଦିରର ନାଟ ମନ୍ଦିର ଓ ପାହାଚରେ ଗ୍ରେନାଇଟ ମାର୍ବଲ ବିଛାଯାଇଛି । ଯାହାଫଳରେ ଭକ୍ତମାନଙ୍କର ସାମାନ୍ୟ ଅସାବଧାନତା ଗୁରୁତର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିପରି ମନ୍ଦିର ବେଢ଼ାରେ ରହିଥିବା ପାର୍ଶ୍ବ ଦେବାଦେବୀ ଚଟାଣଠାରୁ ତଳକୁ ରହିଛନ୍ତି । ତେଣୁ ଏହା ମଧ୍ୟକୁ ବର୍ଷାପାଣି ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମନ୍ଦିରର ବୈାଦ୍ଧିକ ପରିବେଶକୁ ନଷ୍ଟ କରି ହୋଟେଲ୍ ନିର୍ମାଣ କରିବା ଆଦୌ ଗ୍ରହଣୀୟ ହେବ ନାହିଁବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି। ଐତିହ୍ୟସମ୍ପନ୍ନ ଜଗନ୍ନାଥ ମନ୍ଦିରର ମୌଳିକତାକୁ ନଷ୍ଟ କରାନଯାଇ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଉ ବୋଲି ସମିତି ପକ୍ଷରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ଏଥି ସହିତ ମନ୍ଦିରର ସଂସ୍କୃତି ଓ ଗାରିମାରେ ଆଞ୍ଚ ଆସିବା ଭଳି କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ କରାନଯିବା ନିମନ୍ତେ ମଧ୍ୟ ଦାବୀ କରିବା ସହ ମୟୂରଭଞ୍ଜ ଜିଲ୍ଲାପାଳ, ଦେବୋତ୍ତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା

ବାରିପଦା ଉପଜିଲ୍ଲାପାଳ ଓ ଆର୍କିଟେକ ମନ୍ଦିରକୁ ଆସି ନିର୍ମାଣ କାର୍ଯ୍ୟରେ ହେଉଥିବା ଦୋଷ ତୃଟି ନ ଦେଖିବା ପର୍ଯ୍ୟନ୍ତ ମନ୍ଦିରର ନବୀକରଣ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ମନ୍ଦିର ମଠ ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଏନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ କୁହନ୍ତି, ଏହି ସମସ୍ତ ବିଷୟ ତାଙ୍କ ନଜରରେ ରହିଛି । ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ସଂସ୍ଥା ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି। ଉଲ୍ଲେଖଯୋଗ୍ୟଯେ ପୂର୍ବରୁ ମଧ୍ୟ ସେବାୟତମାନେ ନିମ୍ନମାନ ଏବଂ ଅଦୂରଦର୍ଶୀ କାମକୁ ନେଇ ମନ୍ଦିର ଆଗରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର