ଦଣ୍ଡକାରଣ୍ୟ ରାଜ୍ୟ ପାଇଁ ଏକାଠି ହେବେ ୩ ରାଜ୍ୟର ୬୪ ଗାଁ ଲୋକ

ନୂଆବର୍ଷରେ ଦେଓମାଳିରେ ୩ ରାଜ୍ୟର ରାଜନେତାଙ୍କୁ ନେଇ ହେବ ଡିପିବିପିର ବୈଠକ

କୋରାପୁଟ: ଦଣ୍ଡାକାରଣ୍ୟ ରାଜ୍ୟ ଅବା କେନ୍ଦ୍ରସାଶିତ ଅଞ୍ଚଳ ଦାବି ପୁଣି ଜୋର ଧରିଛି। ଆସନ୍ତା ଜାନୁଆରୀ ୨ ତାରିଖରେ ଦେଓମାଳିରେ ହେବ ବିରାଟ ବୈଠକ। ଛତିଶଗଡ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ୬୪ ବ୍ଲକର ଆଦିବାସୀ ଲୋକେ ସାମିଲ ହେବେ। ତିନି ରାଜ୍ୟର ତୁଙ୍ଗ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଯୋଗଦେବେ। ଏନେଇ ପୂର୍ବତନ ସାଂସଦ ତଥା ଦଣ୍ଡାକରଣ୍ୟ ପର୍ବତମାଳା ବିକାଶ ପରିଷଦ(ଡିପିବିପି)ର ସଭାପତି ଜୟରାମ ପାଙ୍ଗୀ ଓ ଆବାହକ ଗଦାଧର ପରିଡା ତାଙ୍କର ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ପରିଷଦର ଜେନେ‌ରାଲ ବଡି ମିଟିଂ ସେହି ଦିନ ହେବାକୁ ସ୍ଥିର ହୋଇଛି। ପଶ୍ଚିମ ଓଡ଼ିଶାରେ କୋଷଳୀ ଭାଷା ପରି ଦଣ୍ଡକାରାଣ୍ୟ ରାଜ୍ୟ ଅବା ୟୁଟି ହେଲେ ଦେଶୀଆ ଭାଷାକୁ ରାଷ୍ଟ୍ରୀୟ ମାନ୍ୟତା ଦେବାକୁ ଦାବି କରାଯିବ। ଏହାସହ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ରାଜ୍ୟରେ ରହିଥିବା ଆଦିବାସୀ, ଦଳିତଙ୍କ ଉନ୍ନତି ପାଇଁ ୨୪ ଦାବି ପତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ଜଳ, ବିଦ୍ୟୁତ, କୃଷି, ଖଣିଜସମ୍ପଦ ଓ ଜଙ୍ଗଲ ମୁଖ୍ୟ ଦାବି ରହିଛି।

ଆସନ୍ତା ବୈଠକରେ ଆନ୍ଧ୍ର ପ୍ରଦେଶ ଆରକୁ ଭ୍ୟାଲିର କଂଗ୍ରେସର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଗଙ୍ଗାଧର ସ୍ବାମୀସେଟ୍ଟୀ, ଛତିଶଗଡର ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଆଦିବାସୀ ନେତା ତଥା ସମାଜସେବୀ ଅରବିନ୍ଦ ନେତମଙ୍କ ସହ ବହୁ ନେତା ଏହି ବୈଠକରେ ଉପସ୍ଥିତ ରହିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି। ଏହାସହ ଓଡ଼ିଶାର ୪୨ ବ୍ଲକର ଆଦିବାସୀ, ଆନ୍ଧ୍ରର ୧୩ ବ୍ଲକ ଓ ଛତିଶଗଡର ୯ ବ୍ଲକର ପ୍ରାୟ ୧୦ହଜାର ଲୋକ ଏହି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏନେଇ କୋରାପୁଟର ପୂର୍ବତନ ଏମପି ଜୟରାମ ପାଙ୍ଗୀ କହିଛନ୍ତି ଯେ ବିକାଶ ଆଳରେ ଆଦିବାସୀଙ୍କୁ ଏହି ତିନି ରାଜ୍ୟର ସରକାର ଲୁଟୁଛନ୍ତି। ସୀମା ବିବାଦର ସମାଧାନ କରିବେ କ’ଣ ଏହାକୁ ନେଇ ରାଜନୀତି ବର୍ଷ ବର୍ଷ ଧରି ଚାଲୁଛି। ଏଥିରେ ଲୋକେ ଯେପରି ଭାବେ ହନ୍ତସନ୍ତ ହେଉଛନ୍ତି ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଯେତେବେଳେ ଯାଏ ଏହି ରାଜ୍ୟ ଅବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା ହୋଇନି ସେତେବେଳ ଯାଏ ଆମେ ଚୁପ ବସିବୁନି। ବିଜୁବାବୁଙ୍କ ରାଜନୈତିକ ସମୟରୁ ଏହି ଦାବି ଉଠିଥିଲା। ଏବେ ଏହାକୁ ଶାଣିତ କରିବାକୁ ସମୟ ଆସିଛି ବୋଲି ସେ କହିଛନ୍ତି। ଦଣ୍ଡାକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବି ୮୦ ଦଶକରୁ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ଛତିଶଗଡ ରାଜ୍ୟର ପ୍ରାୟ ୩୦୦ କିଲୋମିଟର ବ୍ୟାପୀ ରହିଛି ଏହି ଅଞ୍ଚଳ।

ଏଥିରେ ଓଡ଼ିଶାର ଅବିଭକ୍ତ କୋରପୁଟ ଜିଲ୍ଲା, ଆନ୍ଧ୍ରର ବିଶାଖାପାଟଣା ଓ ପାର୍ବତୀପୁରମ ଜିଲ୍ଲା ସହ ଛତିଶଗଡର ତିନିଟି ଜିଲ୍ଲା ରହିଛି। ଏହି ଅଞ୍ଚଳରେ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ଆଦିବାସୀ ଅଧ୍ୟୁଷିତ ପରିବାର ରହୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକଳ୍ପ କରି ଆଦିବାସୀଙ୍କୁ ସେମାନଙ୍କ ଜମି ଛାଡିବାକୁ ପଡୁଥିବାରୁ ନାହିଁ ନ ଥିବା ହଇରାଣର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର