ବୈପାରିଗୁଡା: ଗ୍ରୀଷ୍ମ ଋତୁର ପ୍ରାରମ୍ଭରୁ ହିଁ ଉତ୍କଟ ଜଳକଷ୍ଟ ଭୋଗିବାକୁ ପଡୁଛି ଚିକିମା କୁରକୁଟି ଗ୍ରାମବାସୀଙ୍କୁ। ଏବେ ଗୋଳିଆ ପାଣି ସେମାନଙ୍କ ପାଇଁ ସାହାରା। ଏଭଳି ଜଳକଷ୍ଟ ଭୋଗୁଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ଚିକିମା କୁରକୁଟି ଗ୍ରାମରେ ୩୦୦ ଶହ ପରିବାର ରହୁଥିବା ବେଳେ ୮ଟି ନଳକୂପ ରହିଛି। କିନ୍ତୁ ଏହି ନଳକୂପ ସବୁ ଗ୍ରାମବାସୀଙ୍କୁ ଜଳକଷ୍ଟରୁ ରକ୍ଷା କରିପାରୁ ନାହିଁ। କାରଣ, ୮ଟି ନଳକୂପ ମଧ୍ୟରୁ ୫ଟି ନଳକୂପରୁ ଗୋଳିଆ ପାଣି ବାହାରୁଛି। ବାକି ୩ଟି ନଳକୂପ ଉପରେ ଗ୍ରାମବାସୀ ଭରସା କରିଥିଲେ ମଧ୍ୟ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।
ତେବେ ଅଧିକ ସମୟ ଧରି ନଳକୂପ ଉପରେ ଚାପ ପଡ଼ିଲେ ପାଣି ବାହାରିବା ବନ୍ଦ ହେଇଯାଉଛି। ଫଳରେ ଦୀର୍ଘ ସମୟ ଧରି ପାଣି ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବା ମହିଳାମାନେ ପ୍ରକାଶ କରିଛନ୍ତି। ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବାରୁ ଅନ୍ୟାନ୍ୟ କାମ ଠିକ୍ ସମୟରେ କରିପାରୁନଥିବା ଏବଂ ଛୋଟ ଛୋଟ ଛୁଆଙ୍କର ଯତ୍ନ ନେଇ ପାରୁନଥିବା ମହିଳା ମାନେ କହିଛନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ଗୋଳିଆ ପାଣି ବାହାରୁଥିବା ନଳକୂପରୁ ପାଣି ନେଇ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି।
ଗୋଳିଆ ପାଣି ବ୍ୟବହାର କଲେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେବାକୁ ପଡ଼ିଥାଏ ବୋଲି ଜାଣି ମଧ୍ୟ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ଏସଂପର୍କରେ ବ୍ଲକ ପ୍ରଶାସନ ତଥା ସଂପୃକ୍ତ ବିଭାଗ ଜାଣି ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିବା ସହ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ଗ୍ରାମର ସମସ୍ତ ମହିଳା ଗୋଳିଆ ପାଣି ଭର୍ତ୍ତି ମାଠିଆ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।