ଫାସ୍‌ଟେଗ୍‌ ଗ୍ରହଣ କଲେନି ବରଗଡ଼ବାସୀ

ବରଗଡ଼ : ସୋମବାର ମଧ୍ୟରାତ୍ରରୁ ଦେଶର ସମସ୍ତ ଟୋଲ୍‌ ପ୍ଲାଜାରେ ଫାସ୍‌ଟେଗ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ବରଗଡ଼ ସହର ସଂଲଗ୍ନ ବରାହଗୋଡ଼ା ଟୋଲ୍‌ ପ୍ଲାଜାରେ ମଧ୍ୟ ଫାସ୍‌ଟେଗ୍‌ ଲାଗୁ ହୋଇଛି। କିନ୍ତୁ ବରଗଡ଼ବାସୀ ଏହି ବ୍ୟବସ୍ଥାରେ ସାମିଲ ହୋଇନାହାନ୍ତି। ଅର୍ଥାତ ଅଶୋକା ବିଲ୍‌ଡକନ୍‌ ଟୋଲ୍‌ ପ୍ଲାଜାରେ କେବଳ ବରଗଡ଼ ଜିଲ୍ଲାର ଗାଡ଼ିକୁ ବାଦ୍‌ ଦେଇ ଅନ୍ୟ ସବୁ ଗାଡ଼ିରୁ ଫାସ୍‌ଟେଗ୍‌ ଅସୁଲି ଚାଲିଛି। ପୂର୍ବଭଳି ବିନା କୌଣସି ଶୁଳ୍କରେ ଜିଲ୍ଲାର ଗାଡ଼ି ଟୋଲ୍‌ ପ୍ଲାଜା ଅତିକ୍ରମ କରୁଛି। ଯଦି ସୋମବାର ମଧ୍ୟରାତ୍ରରୁ ଏହି ବ୍ୟବସ୍ଥାରେ ବରଗଡ଼ବାସୀଙ୍କୁ ସାମିଲ କରାଯାଏ, ତେବେ ତୀବ୍ର ଆନ୍ଦୋଳନ ରାତିରୁ ହିଁ ହେବ ବୋଲି ହାଇୱେ ୟୁଜର୍ସ ଫୋରମ୍‌ ଚେତାବନୀ ଦେଇଥିଲା। ଯାହାକୁ ଜିଲ୍ଲାର ଅନ୍ୟ ସଂଗଠନମାନେ ନିସର୍ତ୍ତ ସମର୍ଥନ ଜଣାଇଥିଲେ। ଫଳରେ ପୂର୍ବଭଳି ବରଗଡ଼ର ଗାଡ଼ିଗୁଡ଼ିକ ଦେୟମୁକ୍ତ ଭାବେ ଟୋଲ୍‌ ପ୍ଲାଜା ଅତିକ୍ରମ କରୁଛନ୍ତି।

ଅନ୍ୟପକ୍ଷରେ ଅଶୋକା ଟୋଲ୍‌ ପ୍ଲାଜା ପକ୍ଷରୁ ଫାସ୍‌ଟେଗ୍‌ ମାଧ୍ୟମରେ ଟୋଲ୍‌ ଆଦାୟ ହେଉଥିଲେ ହେଁ ବରଗଡ଼ର ଗାଡ଼ିଗୁଡ଼ିକୁ ବାଦ୍‌ ଦିଆଯାଇଛି। ବରଗଡ଼ର ଗାଡ଼ିଗୁଡ଼ିକୁ ମାସିକ ଟୋଲ୍‌ ବାବଦକୁ ୨୭୫ ଟଙ୍କା ଦେବାକୁ ଅଶୋକା ବିଲ୍‌ଡକନ୍‌ ପ୍ରସ୍ତାବ ଦେଇଛି। କିନ୍ତୁ ବେଆଇନ୍‌ ଭାବେ ଟୋଲ୍‌ ଅସୁଲିକୁ କୌଣସି ହିସାବରେ ବରଦାସ୍ତ କରାଯିବ ନାହିଁ ବୋଲି ହାଇୱେ ୟୁଜର୍ସ ଫୋରମ୍‌ର ଆବାହକ ଇଂ. ଦେବବ୍ରତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଫୋରମ୍‌ର ଯୁକ୍ତି ହେଲା, ଅଶୋକା ପକ୍ଷରୁ ନିର୍ମିତ ଜାତୀୟ ରାଜପଥ ଅସୁରକ୍ଷିତ ଏବଂ ଅସଂପୂର୍ଣ୍ଣ ବୋଲି ଖୋଦ୍‌ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ତଦାରଖ କରି ଦର୍ଶାଇଛନ୍ତି। ତେଣୁ ଅଶୋକା ଫାସ୍‌ଟେଗ୍‌ ଲାଗୁ କରିବା ବେଆଇନ୍‌। ୨୦୧୩ ମସିହାରେ ଅଶୋକା ବିଲ୍‌ଡକନ୍‌ ଗୋଟିଏ ଘରୋଇ ସଂସ୍ଥାରୁ ୭୫% କାମ ସରିଥିବା ପ୍ରମାଣପତ୍ର ଆଣି ଟୋଲ୍‌ ଆଦାୟ ଆରମ୍ଭ କରିଥିଲା। କିନ୍ତୁ ବିରୋଧ ଯୋଗୁଁ ଏଥିରୁ ବରଗଡ଼ର ଗାଡ଼ିଗୁଡ଼ିକୁ ବାଦ୍‌ ଦିଆଯାଇଥିଲା। ୨୦୧୬ରେ ପୁନର୍ବାର ବରଗଡ଼ର ଗାଡ଼ିଗୁଡ଼ିକରୁ ଟୋଲ୍‌ ଆଦାୟ ପାଇଁ ଉଦ୍ୟମ ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ ଏବଂ ଆଇଟିଆଇ ଖଡ଼ଗପୁରର ଗୋଟିଏ ବିଶେଷଜ୍ଞ ଦଳ ସରଜମିନ ତଦନ୍ତ କରିଥିଲେ। ଜାତୀୟ ରାଜପଥ ଅସଂପୂର୍ଣ୍ଣ ବୋଲି ଦର୍ଶାଇବାରୁ ପୁଣି ଟୋଲ୍‌ ଆଦାୟ ଯୋଜନା ପଣ୍ଡ ହୋଇଥିଲା। ପୌରାଞ୍ଚଳର ୫ କିଲୋମିଟର୍‌ ଭିତରେ ଥିବାରୁ ଟୋଲ୍‌ ଗେଟ୍‌କୁ ସରକାର ବେଆଇନ୍‌ ଘୋଷଣା କରି ଦଶମାଇଲ୍‌ ପାଖକୁ ସ୍ଥାନାନ୍ତର କରିବାକୁ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ତେଣୁ ବେଆଇନ୍‌ ଟୋଲ୍‌ ପ୍ଲାଜାରେ ଟୋଲ୍‌ କିମ୍ବା ଫାସ୍‌ଟେଗ୍‌ ଆଦାୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଫୋରମ୍‌ ଦର୍ଶାଇଛି।

ସମ୍ବନ୍ଧିତ ଖବର