ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଦେଶ ଭଳି ଭୁବନେଶ୍ବର ମଧ୍ୟ ଉତ୍ସବମୁଖର ଦେଖାଯାଇଛି। ତମାମ ଭୁବନେଶ୍ବର ମହାନଗର ରଂଗୀନ ଆଲୋକରେ ଢାଙ୍କି ହୋଇଯାଇଛି। ପାରଂପରିକ ମାଟିଦୀପ ସହିତ ଚାଇନା ଲାଇଟ୍ରେ ଭୁବନେଶ୍ବର ସଜାଇ ହୋଇଛି। ଆଜି ଦିନ ସମୟ ଠାରୁ ବାଣ ଓ ଆତାସବାଜି ଫୁଟିବା ଆରମ୍ଭ ହୋଇଯାଇଛି। ତେବେ ସଞ୍ଜ ନଇଲା ପରେ ରାଜଧାନୀର ଶବ୍ଦ ଅଧିକ ଶୁଭୁଛି। କମିସନରେଟ ପୁଲିସ ପକ୍ଷରୁ ଦ୍ବୈତ ନଗରୀ ‘ଭୁବନେଶ୍ବର ଓ କଟକ’ରେ ବାଣ ଓ ଆତାସବାଜି ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ଲୋକେ ଏହି ନିୟମକୁ ପାଳନ କରି ନାହାନ୍ତି।
ସନ୍ଧ୍ୟା ୬ଟା ପୂର୍ବରୁ ରାଜଧାନୀରେ ଶବ୍ଦ ବଢ଼ିଚାଲିଛି। ଲୋକେ କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍କୁ ପାଳନ କରି ନାହାନ୍ତି। କୋଭିଡ-୧୯ କାରଣରୁ ୨୦୨୦ ଓ ୨୦୨୧ ମସିହାରେ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରିପାରି ନ ଥିବାରୁ ଲୋକେ ଏଥର ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ତେଣୁ ପୁଲିସ ପକ୍ଷରୁ ଜାରି କରାଯାଇଥିବା ରାତି ୮ଟାରୁ ୧୦ଟା ସମୟକୁ ଅପେକ୍ଷା କରି ନାହାନ୍ତି। ଲୋକେ ସନ୍ଧ୍ୟା ଆରମ୍ଭ ହେବା ମାତ୍ରେ ଘରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଦୀପାବଳି ସୋମବାର ରାତିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି। ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି। ଏହା ପରେ କିମ୍ବା ପୂର୍ବରୁ ବାଣ ଫୁଟାଉଥିବା ନଜରକୁ ଆସିଲେ, ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ବାଣ ଦୋକାନ ଖୋଲିବାକୁ ପୁଲିସ୍ ପକ୍ଷରୁ ରାଜଧାନୀର ୩୦ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି। ଭୁବନେଶ୍ବର ଓ ଏହାର ଉପକଣ୍ଠ ସମେତ ୧୦ଟି ଥାନା ଅଧୀନରେ ଆସୁଥିବା ଏହି ଖୋଲାସ୍ଥାନ ବା କ୍ଲଷ୍ଟର୍ରେ ୧୫୦୦ ବାଣ ଦୋକାନ ଖୋଲିଛି। ପ୍ରତି କ୍ଲଷ୍ଟର୍ରେ ସର୍ବାଧିକ ୫୦ଟି ଦୋକାନ ଓ ପ୍ରତି ଦୋକାନ ମଧ୍ୟରେ ୩ମିଟର ଦୂରତା ରହିବା ସହ ସମାନ୍ତରାଳ ଭାବେ ଦୋକାନଗୁଡ଼ିକ ଖୋଲାଯାଇଛି।