ମନୋହରପୁର: ଗ୍ରାହମ୍‌ ଷ୍ଟେନ୍ସ ପୋଡ଼ି ଘଟଣାର ୨୩ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ସ୍ଥାନୀୟ ଅଞ୍ଚଳବାସୀ

ଆନନ୍ଦପୁର : ୧୯୯୯ ମସିହା ଜାନୁଆରି ୨୨ତାରିଖ। ସେଦିନର ସେହି ରାତିରେ ଘଟିଥିବା ଅମାନୁଷିକ ଘଟଣାକୁ ନେଇ କେବଳ ଓଡ଼ିଶା କି ଭାରତରେ ନୁହେଁ ସମଗ୍ର ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା କେନ୍ଦୁଝର ଜିଲ୍ଲାର ଆଦିବାସୀବହୁଳ ମନୋହରପୁର ଗ୍ରାମ। ଆନନ୍ଦପୁର ଥାନା ମନୋହରପୁର ଗ୍ରାମ କଚ୍ଚାସାହିରେ ଜଙ୍ଗଲ କ୍ୟାମ୍ପରେ ଯୋଗଦେବାକୁ ଆସିଥିବା ଅଷ୍ଟ୍ରେଲିଆର ଧର୍ମଜାଜକ ଗ୍ରାହମ୍‌ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ର ଫିଲିଫ୍ ଏବଂ ତିମୋଥି ଗାଡ଼ି ଭିତରେ ଶୋଇଥିବାବେଳେ ସେମାନଙ୍କୁ ଜିଅନ୍ତା ପୋଡ଼ି ମାରି ଦିଆଯାଇଥିଲା। ଏହି ବର୍ବରକାଣ୍ଡ ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦେଶବିଦେଶରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଥିଲା ମନୋହରପୁରକୁ। ଏହି ଘଟଣାକୁ ୨୩ ବର୍ଷ ପୂରିଥିବା ବେଳେ ଷ୍ଟେନ୍ସଙ୍କ ସ୍ମୃତିକୁ ମନେ ପକାଇ ଏଠାକାର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପ୍ରତିବର୍ଷ ପରି ଏଥର ମଧ୍ୟ ବଳିଦାନ ଦିବସ ପାଳନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ସୀମିତ ଲୋକଙ୍କୁ ନେଇ ଏହି ଦିବସ ପାଳନ କରାଯାଇଥିଲା।

ଆନନ୍ଦପୁର ସଦର ମହକୁମାଠାରୁ ମନୋହରପୁରର ଦୂରତା ପ୍ରାୟ ୫୦କିମି। ମୟୂରଭଞ୍ଜ ଜିଲ୍ଲା ଦେଇ ଏଠାକୁ ଯିବାକୁ ହୋଇଥାଏ। ଚିଆଁବେଡ଼ା ଛକଠାରୁ ମନୋହରପୁର ଗ୍ରାମର ଦୂରତା ୧୬କିମି। ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡକୁ ୨୩ ବର୍ଷ ପୂରିଥିବାବେଳେ ସେଦିନର କଥାକୁ ମନେ ପକାଇ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ଏବେ ବି ଲୁହ ଗଡ଼ାଉଛନ୍ତି। ବଣଜଙ୍ଗଲ ଅଞ୍ଚଳ ହୋଇଥିବାରୁ ସେ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥାଏ। ଏହି ଅଞ୍ଚଳକୁ ସମାଜସେବା ଲକ୍ଷ୍ୟରେ ଏଠାକୁ ଆସୁଥିବା ଗ୍ରାହମ ଷ୍ଟେନ୍ସ ପ୍ରଥମ ଥର ପାଇଁ ନିଜର ଦୁଇପୁଅଙ୍କୁ ନେଇ ମନୋହରପୁର ଆସିଥିଲେ। ଶୀତରୁ ରକ୍ଷା ପାଇବା ପାଇଁ ନିଜେ ଆଣିଥିବା ଗାଡ଼ି ଭିତରେ ସେ ଦୁଇପୁଅଙ୍କ ସହିତ ଶୋଇଥିଲେ। କାକର ନ ପଡ଼ିବାପାଇଁ ଗାଡ଼ି ଉପରେ ଛଣ ପକାଇଥିଲେ। ସେମାନେ ଧର୍ମନ୍ତରୀକରଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହରେ କିଛି ଦୁର୍ବୃତ୍ତ ରାତିରେ ପେଟ୍ରୋଲ ଢାଳି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ି ଭିତରେ ତିନିଜଣ ଜିଅନ୍ତା ପୋଡ଼ି ଯାଇଥିଲେ।

The Courier Mail

ଅଷ୍ଟ୍ରେଲିଆର ଏହି ନାଗରିକ ଓ ଦୁଇ ଶିଶୁପୁତ୍ରଙ୍କୁ ଏଭଳି ଜଘନ୍ୟ ହତ୍ୟା ଘଟଣା ପରେ ଭାରତ ଉପରେ ବିଭିନ୍ନ ଦେଶର ଚାପ ପଡ଼ିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ହସ୍ତକ୍ଷେପ ପରେ ଘଟଣାର ସିବିଆଇ ତଦନ୍ତ ହୋଇଥିଲା। ଏହି ଘଟଣାରେ ୧୨ରୁ ଅଧିକ ଗିରଫ ହୋଇଥିଲେ। ହାଇକୋର୍ଟରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ ଓରଫ୍ ଦାରା ସିଂହ ଓ ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ସେମାନେ ଏବେ ବି କେନ୍ଦୁଝର ଜେଲ୍‌ରେ ରହିଛନ୍ତି। ଏହି ଘଟଣା ପରେ ପ୍ରତିବର୍ଷ ଏଠାରେ ବଳିଦାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଫାଦର୍‌ ଚୈତନ ମୁର୍ମୁଙ୍କ ସଂଯୋଜନାରେ ବଳିଦାନ ଦିବସ ଓ ପ୍ରାର୍ଥନାସଭା ଅନୁଷ୍ଠିତ ‌ହୋଇଯଇଛି।

ଅପରପକ୍ଷରେ ଆଜି ବି ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପିଚୁରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ପଣସଡିହାଠାରୁ ଭିକାରିମନ୍ଦା ପର୍ଯ୍ୟନ୍ତ ରାସ୍ତାରେ ଯାଇ ହେଉ ନଥିବା ସ୍ଥାନୀୟ ବାସିନ୍ଦା ସୁଦର୍ଶନ ହାଁସଦା କହିଛନ୍ତି। କେତେକ ଗ୍ରାମରେ ପାନୀୟଜଳ ସମସ୍ୟା ରହିଛି। ଆଜି ପର୍ଯ୍ୟନ୍ତ ଏଠାରେ ଡାକ୍ତରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ। ପଣସଡିହା ଡାକ୍ତରଖାନାରେ ଦୀର୍ଘବର୍ଷ ହେଲା ଡାକ୍ତର ନଥିବାବେଳେ ଲୋକେ ଠାକୁରମୁଣ୍ଡା କିମ୍ବା ଆନନ୍ଦପୁର ଡାକ୍ତରଖାନା ଆସୁଛନ୍ତି। ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ଅନେକ ସମୟରେ ଆସିବାକୁ ଅମଙ୍ଗ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର