ଓଡ଼ିଶାବାସୀଙ୍କ ତ୍ୟାଗ ପାଇଁ କରୋନା ମୁକାବିଲା ସମ୍ଭବ ହୋଇପାରିଛି : ନବୀନ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ତ୍ୟାଗ ଯୋଗୁଁ କରୋନା ମୁକାବିଲା ସମ୍ଭବ ହୋଇପାରିଛି । ଆମର ନମୁନା ପରୀକ୍ଷଣ  ତିନି ଗୁଣ ବଢ଼ିଥିବା ବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ କମିଛି । ଏହା କେବଳ ଆପଣଙ୍କର ସଂପୂର୍ଣ୍ଣ ସହଯୋଗ ପାଇଁ ସମ୍ଭବ ହୋଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଏହା କହିଛନ୍ତି । ସେ କହିଛନ୍ତି ଯେ,  ପ୍ରତି ଲୋକର ତ୍ୟାଗ, ପ୍ରତିପରିବାରର ତ୍ୟାଗ, ମା’ମାନଙ୍କର ତ୍ୟାଗ ଏବଂ ନିଷ୍ଠାର ସହ କାମ କରୁଥିବା ଆମ ସମସ୍ତଙ୍କର ତ୍ୟାଗ ଯୋଗୁଁ ଓଡ଼ିଶାର ସ୍ଥିତି ଭଲ ଅଛି।

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଏହା ଏକ ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ଆଗକୁ ଅଧିକ ସାବଧାନ ରହିବାକୁ ପଡ଼ିବ । ଓଡ଼ିଶାରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମର ବାଧ୍ୟତାମୂଳକ ପଂଜୀକରଣର ବହୁତ ଭୂମିକା ରହିଛି । ବିଦେଶରୁ ଓ ରାଜ୍ୟବାହାରୁ ଆସିଥିବା ସବୁ ଓଡ଼ିଆ ଭାଇ ଭଉଣୀଙ୍କୁ ପଂଜୀକରଣ ଏବଂ ବାଧ୍ୟତାମୂଳକ ସଂଗରୋଧରେ ରହିବା ଦରକାର।

ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ପଜିଟିଭ କେସ ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଏହି ସମୟ ମଧ୍ୟରେ ଆମ ଦେଶରେ କରୋନା ପଜିଟିଭ୍ କେସ୍ ତିନି ଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇ, ଦୁଇଶହରୁ ବଢ଼ି ୫୦୦ରୁ ଅଧିକ ହେଲାଣି । ଗତ ୯ ତାରିଖରେ ଓଡ଼ିଶାରେ ପଜିଟଭ୍ କେସ୍ ୪୨ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ୍ କେସ୍ ୬୧ରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।

ବାହାରୁ ଆସୁଥିବା ଓଡ଼ିଆମାନଙ୍କୁ ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ । ସେମାନଙ୍କର ପଞ୍ଜିକରଣ ବହୁ ଗୁରୁତ୍ବପୂର୍ଣ୍ଣ। ଏଥି ପାଇଁ କମ୍ୟୁନିଟିର ସହଯୋଗ ଦରକାର । ଗ୍ରାମପଞ୍ଚାୟତ ଓ ଅର୍ବାନ ଲୋକାଲ ବଡିମାନଙ୍କୁ ସାଥୀରେ ନେଇ କାମ କରିବା ଦରକାର । ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କର ତଥା ସେମାନଙ୍କର ପରିବାର, ସମାଜ ଓ ରାଜ୍ୟର ମଙ୍ଗଳ ପାଇଁ ବାଧ୍ୟତାମୂଳକ ପଞ୍ଜିକରଣ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏଥି ପାଇଁ ଆଇନଗତ ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର