ଗାଁ ସମସ୍ୟା ପାଇଁ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କୁ ଖୋଜୁଛନ୍ତି ଓଡ଼ିଶାବାସୀ !

ଭୁବନେଶ୍ୱର: କୌଣସି ଗାଁର ରାସ୍ତା ସମସ୍ୟା ଥିଲେ, ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କୁ କେବଳ ଟ୍ୱିଟଟିଏ କରିଦିଅନ୍ତୁ | ଖରାପ ରାସ୍ତାର ଫଟୋ ସହ ଟ୍ୱିଟ କରିବା ମାତ୍ରେ ଚୁଟକିରେ ରାସ୍ତା ସମସ୍ୟା ସମାଧାନ ହୋଇଯାଉଥିଲା | ଟ୍ୱିଟ ମାଧ୍ୟମରେ ସମସ୍ୟା ଜଣାଇବା ଆଉ ସମସ୍ୟାକୁ ସମାଧାନ କରିବାରେ ତତ୍ପର ହୋଇଉଠୁଥିବା ଆଇଏଏସ ଅଧିକାରୀଙ୍କୁ ଏବେ ଓଡ଼ିଶାବାସୀ ଲଗାତାର ଖୋଜୁଛନ୍ତି | ବିଶେଷ କରି ଟ୍ୱିଟର ୟୁଜର୍ସମାନେ ଏବେ ପ୍ରଦୀପ ଜେନାଙ୍କୁ ବେଶ ଝୁରୁଛନ୍ତି | ନିଜ ଅଞ୍ଚଳର ସମସ୍ୟା ନେଇ ଶ୍ରୀ ଜେନାଙ୍କୁ ବାରମ୍ବାର ଟ୍ୱିଟ କରିବା ପରେ ଏ ନେଇ ଲୋକଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ |

ନିଜ ଟ୍ୱିଟରରେ ପ୍ରଦୀପ ଲେଖିଛନ୍ତି ଯେ, ‘ବନ୍ଧୁମାନେ ମୁଁ ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟସଚିବ ନାହିଁ | ଶ୍ରୀ ସଞ୍ଜୟ ସିଂହ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି | ଆପଣଙ୍କ ଅଞ୍ଚଳର ରାସ୍ତା ସମସ୍ୟା ଏଣିକି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାନ୍ତୁ | ମୁଁ ବର୍ତ୍ତମାନ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଛି’ | ଆଉ ପ୍ରଦୀପଙ୍କ ଏହି ଟ୍ୱିଟ ପରେ ବହୁ ସଂଖ୍ୟାରେ ଟ୍ୱିଟର ୟୁଜର୍ସ ଦୁଃଖ ପ୍ରକାଶ କରିଥିବାବେଳେ ସମସ୍ୟାର ତ୍ୱରିତ ସମାଧାନ କିଭଳି ହେଉଥିଲା ଓ ବିଭାଗ କିଭଳି ଆକ୍ସନ ମୂୁଡ଼ରେ କାର୍ଯ୍ୟ କରୁଥିଲା, ତାହା ବଖାଣିଛନ୍ତି | ବାସ୍ତବରେ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କଲେ ସମସ୍ୟା କେତେ ଶୀଘ୍ର ସମାଧାନ ହୁଏ ତାହା ତ ସମସ୍ତେ ଭଲରେ ଜାଣନ୍ତି |

କୌଣସି ସମସ୍ୟା ସମାଧାନ ପାଇଁ ଫାଇଲ ବର୍ଷ ବର୍ଷ ଧରି ଗଡିଚାଲେ | କିନ୍ତୁ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସୋସିଆଲ ମିଡ଼ିଆ ଟ୍ୱିଟରରେ ଏଭଳି ସକ୍ରିୟ ଥିଲେ ଯେ କୌଣସି ସମସ୍ୟା ସମାଧାନ କରିବାରେ ତତ୍ପର ହୋଇଉଠୁଥିଲେ | ବିଶେଷ କରି ତାଙ୍କ ସମୟରେ ରାସ୍ତା ସମସ୍ୟା ଅତି ସହଜରେ ସମାଧାନ ହୋଇପାରୁଥିଲା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର