ରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ

ଭୁବନେଶ୍ବର: ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନରେ ଲଢ଼ିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଅସମ୍ମାନ କରିବା ଅତି ନିନ୍ଦନୀୟ। ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରାଯିବା ପରେ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି- ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି। ବାପା ହରାଇଥିବା ବର୍ଷା ସାଙ୍ଗରେ ଠିଆ ହେବି। ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ବିରୋଧୀ ଦଳକୁ–ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ। ଆଜି ନୁହେଁ, ସଦା ବେଳେ।

ବିଜେଡି ମୁଖ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା–କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ। ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, ଏହା ଠିକ୍‌ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଓଡିଶାର ଉନ୍ନତି ପାଇଁ କାମ କରିବା ।

ନବୀନ କହିଛନ୍ତି ଯେ, କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍‌ସନରେ ପ୍ରଚାର ପାଇଁ ଯାଇ ନ ଥିଲେ, ବିଭିନ୍ନ ଉପନିର୍ବାଚନରେ ବି ଯାଇ ନ ଥିଲେ। ଏଥର ପଦ୍ମପୁର ନିର୍ବାଚନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା। ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ। ଓଡିଶାର ସବୁ ମହିଳାମାନଙ୍କ ପାଇଁ ଦୁଃଖର କଥା । ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍‌ନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ।

ପଦ୍ମପୁର ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀ, ନେତା, କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ ବୋଲି କହିଛନ୍ତି। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ  ବୋଲି କହିଛନ୍ତି। ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ଧୈର୍ଯ୍ୟ ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି । ଆଜି ମୁଁ ପଦମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ।

ସମ୍ବନ୍ଧିତ ଖବର