ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ: ରାତି ୯ଟା ଯାଏଁ ଚାଲିବ ୱାର୍ଡୱାରି ଦର୍ଶନ

ପୁରୀ: ଦୀର୍ଘ ଦଶ ମାସ ପରେ ଆଜିଠୁ ପୁରୀବାସୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଗତ ବୁଧବାର ଠାରୁ ଶୁକ୍ରବାର ଯାଏଁ କେବଳ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁବିଧା ମିଳିବା ପରେ ଆଜି ପୁରୀବାସୀଙ୍କୁ ଏହି ସୁଯୋଗ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ୩୦ରୁ ଦର୍ଶନ ଆରମ୍ଭ ହୋଇଛି। ପୁରୀବାସୀଙ୍କ ପାଇଁ ୱାର୍ଡୱାରି ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ଶ୍ରୀକ୍ଷେତ୍ରବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସକାଳ ସାଢ଼େ ୭ଟାରୁ ସାଢ଼େ ୧୧ଟା ଯାଏଁ ସହରର ୬ ଓ ୯ ନମ୍ବର ୱାର୍ଡର ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏବେ ୧୨ ଓ ୧୫ ନମ୍ବର ୱାର୍ଡର ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏହାପରେ ଅପରାହ୍ନ ସାଢ଼େ ୪ଟାରୁ ରାତି ୯ଟା ଯାଏଁ ୧୧, ୨ ଓ ୩ ନମ୍ବର ୱାର୍ଡର ଲୋକେ ଶ୍ରୀଜୀଉଙ୍କ ଦର୍ଶନ ଲାଭ କରିବେ ବୋଲି ଜଣାଯାଇଛି। ଦର୍ଶନାର୍ଥୀମାନେ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିରକୁଟ ଓ ନିଜର ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଏହି ସମୟରେ ପୁଲିସ୍ ପକ୍ଷରୁ କୋଭିଡ ଗାଇଡଲାଇନ୍ ପାଳନ ହେଉଛି କି ନାହିଁ ତାହା ତଦାରଖ କରାଯାଉଛି।

ସୂଚନାଯୋଗ୍ୟ, ଡିସେମ୍ବର ୨୩ ତାରିଖ ସକାଳ ୭ଟାରୁ ୨୫ ତାରିଖ ରାତ୍ର ପହୁଡ଼ ପର୍ଯ୍ୟନ୍ତ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ନୂଆବର୍ଷ ଭିଡ଼କୁ ନଜରରେ ରଖି ଜାନୁଆରି ୧ ଓ ୨ ତାରିଖ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଏଥିଲାଗି କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର