ରାୟଗଡ଼ା: ୧୫ କିଲୋମିଟର ରାସ୍ତା ପରିବର୍ତ୍ତେ ୫୦କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ରାୟଗଡା ଜିଲ୍ଳା ସଦର ମହକୁମାକୁ ଯିବାକୁ ପଡୁଛି। ଫଳରେ ସମୟ ନଷ୍ଟ ହେବା ସହ ଗାଡ଼ି ଭଡ଼ା ଦେଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁ ନ ଥିବାରୁ ନୂତନ ଜିଲ୍ଳାପାଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ରାୟଗଡ଼ା ଜିଲ୍ଳା ସଦର ବ୍ଳକ ତାଡ଼ମା ଗ୍ରାମ ପଂଚାୟତର ଦୁଗର୍ମ ଅଂଚଳରେ ରହିଛି ହୁଲକି, ଉଜାଗୁଡ଼ା ଓ ପାଦକାପାଡୁ ଗ୍ରାମ।
ସ୍ୱାଧୀନତାର ୭୬ବର୍ଷ ବିତିଯାଇଥିଲେ ମଧ୍ୟ ଏହି ତିନୋଟି ଗ୍ରାମର ୫୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ପକ୍କା ରାସ୍ତା ଉପରେ ଚାଲିବାର ମୈାଳିକ ଅଧିକାର ଏଯାଏଁ ମିଳିପାରିନାହିଁ।ରାୟଗଡ଼ା ଜିଲ୍ଳା ସଦର ମହକୁମାକୁ ଆସିବାକୁ ହେଲେ କୋରାପୁଟ ଜିଲ୍ଳାର ବନ୍ଧୁଗାଁ ବ୍ଳକର ସୋଡାବାଡି ଗ୍ରାମରୁ ମୁଖ୍ୟ ରାସ୍ତା ଦେଇ ରାୟଗଡ଼ା ଜିଲ୍ଳାର ଫୁଲକଣା ଛକ ହୋଇ ରାୟଗଡ଼ା ସହରକୁ ଯାତାୟାତ କରିବାକୁ ପଡିଥାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି, ଯାହାକି ଦୀର୍ଘ ୫୦କିଲୋମଟିର ପଡିଥାଏ।
ତେବେ ଦୁର୍ଗମ ପାହାଡ଼ିଆ ଅଂଚଳରେ ରହୁଥିବା ଏହି ତିନୋଟି ଗ୍ରାମକୁ ପକ୍କା ସଡକଟିଏ ନ ଥିବାରୁ ନାଳ, ଖାଲଢିପ, ପାହାଡ଼ିଆ ପାଦ ଚଲା ରାସ୍ତା ଏମାନଙ୍କ ଦୈନନ୍ଦିନ ରାସ୍ତା ପାଲଟିଯାଇଛି। ପାଦକାପାଡୁ ଗ୍ରାମରୁ ହିର୍ସାମୁହିଁ ପର୍ଯ୍ୟନ୍ତ ଯଦି ରାସ୍ତାଟିଏ ନିର୍ମାଣ କରାଯାଏ ତାହା ହେଲେ ରାୟଗଡା ସହରକୁ ମାତ୍ର ୧୫କିଲୋମିଟର ହେବ ବୋଲି ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ପକ୍କା ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ସେବାରୁ ବଂଚିତ ହେଉଛନ୍ତି। ଏହି ଗ୍ରାମବାସୀମାନେ ଅନେକ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ନ ପାଇ ମୃତ୍ୟୁ ମୁଖରେ ପଡିଥାନ୍ତି। ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ନେବା ଆଣିବାରେ ଭାର ହିଁ ଏକମାତ୍ର ବିକଳ୍ପ।ଯାହାକୁ ନେଇ ଗ୍ରାମବାସୀମାନେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ତଥା ବିଧାୟକ, ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ପୂର୍ବବସ୍ଥାରେ କୈାଣସି ପରିବର୍ତ୍ତନ ହେଉନାହିଁ। ପ୍ରଶାସନ ଉପରେ ଆଜି ବି ନିର୍ଭର କରି ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ମନରେ ଆଶା ବାନ୍ଧି ରହିଛନ୍ତି ଏହି ତିନୋଟି ଗ୍ରାମବାସୀ।
ତାଡ଼ମା ଗ୍ରାମ ପଂଚାୟତର ଏହି ଦୁର୍ଗମ ଅଂଚଳ ହୁଲକି, ଉଜାଗୁଡା ଓ ପାଦକାପାଡୁ ଗ୍ରାମରୁ ହିର୍ସାମୁହିଁ ଗ୍ରାମ ଯାଏଁ ମନରେଗା ଯୋଜାନରେ ରାସ୍ତା ନିର୍ମାଣ ହୋଇଥିଲେ ହେଁ ତାହା ଯାତାୟାତ ଉପଯୋଗୀ ନ ଥିବା ବେଳେ ଆଗକୁ ବର୍ଷା ଦିନ ଥିବାରୁ ଏବେଠାରୁ ଲୋକେ ବିଚ୍ଛିନ୍ନାଚଂଳର ଭୟକୁ ମନରେ ସଂଚାରି ସାରିଲେଣି। ତାଡ଼ମା ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଭ୍ୟ ସମେତ ଗ୍ରାମବାସୀ ନୂତନ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିବା ସହ ରାସ୍ତା ନାହିଁତ ଭୋଟ ନାହିଁରେ ଅଟଳ ରହିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-No-road-No-vote.jpg)