ମାଲକାନଗିରି: ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ମୁଦୁଲିପଡା ଏବଂ ଅଣ୍ଡ୍ରାହାଲର ଅବସ୍ଥା ଯଥା ପୂର୍ବଂ, ତଥା ପରଂ କହିଲେ ଅତ୍ୟୁକ୍ତି ହେବ ନାହିଁ।ସ୍ବାଧୀନତା ପୂର୍ବରୁ ଯେପରି ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ଆଜି ବି ସମସ୍ତେ ସେହିଭଳି ରହୁଛନ୍ତି। ଏହି ଆଦିମ ଜନଜାତି ଆଜି ବି ବିକାଶ ସହ ଖାପଖୁଆଇ ଚଳିପାରୁନାହାନ୍ତି। ଆଧୁନିକ ସଭ୍ୟତା ସହ ଯୋଡି ହୋଇପାରୁନାହାନ୍ତି। ନିଜର ପାରଂପାରିକ ଚାଷ ଏବଂ ଜଂଗଲରୁ ମିଳୁଥିବା ଖାଦ୍ୟଦ୍ରବ୍ୟ ହିଁ ଏମାନଙ୍କ ପ୍ରମୁଖ ଖାଦ୍ୟ ଆଜି ବି ରହିଛି। ଏହି ଦୁଇ ପଞ୍ଚାୟତର ଲୋକେ ଆଜି ବି ଗରିବ ରେଖା ତଳେ ବାସ କରୁଛନ୍ତି। ତେଣୁ ରାଜ୍ୟ ସରକାର ଏମାନଙ୍କୁ ଅନ୍ତଃଦୟରେ ସାମିଲ କରି ରଖିଛନ୍ତି।
ମୁଦୁଲିପଡା ପଞ୍ଚାୟତର ୨୧ଟି ଗ୍ରାମର ୧୧୮୧ଟି ପରିବାର ଅନ୍ତଃଦୟରେ ସାମିଲ ହୋଇଥିବା ବେଳେ ଅଣ୍ଡ୍ରାହଲ ପଞ୍ଚାୟତର ୧୬ଟି ଗ୍ରାମର ୧୦୩୬ ଜଣ ଅନ୍ତଃଦୟରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ପରିବାରକୁ ୩୫ କିଲୋ ଲେଖାଏଁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି। ପରିବାରରେ ଜଣେ ଥିଲେ ବି ୩୫ କିଲୋ ଏବଂ ପରିବାରେ ୧୦ ଜଣ ଥିଲେ ବି ୩୫ କିଲୋ ଚାଉଳ ପ୍ରଦାନ କରାଯାଉଛି। ତେବେ ବଣ୍ଡା ସଂପ୍ରଦାୟରେ ଗୋଟିଏ ଗୋଟିଏ ପରିବାରରେ ୭ରୁ ଉର୍ଦ୍ଧ୍ବ ଲୋକ ରହୁଛନ୍ତି। ସରକାରଙ୍କ ତରଫରୁ ମିଳୁଥିବା ୩୫ କିଲୋ ଚାଉଳ ଏମାନଙ୍କ ପାଇଁ ବହୁ କମ୍।
/sambad/media/post_attachments/wp-content/uploads/2022/05/Mkg-Banda-aji-bi-BPLAntoyadaya-re-samil-1.jpg)
ଏନେଇ ବିଭାଗୀୟ ଅଧିକାରୀମାନେ ମଧ୍ୟ ଅବଗତ।ତେବେ ବିଭାଗ ତରଫରୁ ଏ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଥିବା କୁହାଯାଇଛି। ଆଜି ବି ଏହି ଆଦିମ ଜନଜାତି ସରକାରଙ୍କ ପ୍ରତ୍ସାହନକୁ ଅପେକ୍ଷା କରି ରହିଛନ୍ତି। ବଣ୍ଡାଘାଟିର ସ୍ଥିତି ଅତି ଗମ୍ଭୀର ରହିଛି। ରାଜନେତା ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କର ଉଚ୍ଚ ପଦାଧିକାରୀ ଏହି ଅଂଚଳକୁ ଗସ୍ତ କରିଥିଲେ ମଧ୍ୟ ଏମାନଙ୍କର କୌଣସି ପରିବର୍ତ୍ତନ ହୋଇପାରି ନାହିଁ। ଯେତେ ସବୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ହୋଇଛି। ଆଜି ବି ଏହି ଅଂଚଳର ଲୋକ ଚାଉଳ କିଣି ଖାଇବା ପାଇଁ ସକ୍ଷମ ହୋଇପାରିନାହାନ୍ତି। ତେଣୁ ରାଜ୍ୟ ସରକାର ଏମାନଙ୍କୁ ଅନ୍ତଃଦୟରେ ସାମିଲ କରି ମାଗଣାରେ ଚାଉଳ ପ୍ରଦାନ କରିଚାଲିଛନ୍ତି। ନିଜର ଜୀବନଶୈଳୀରେ ଧିରେ ଧିରେ ପରିବର୍ତ୍ତନ ଆଣିବାକୁ ଆଜିକାଲିର ପିଲାମାନେ ଚେଷ୍ଟା କରୁଥିଲେ ମଧ୍ୟ ଆର୍ଥିକ ସମ୍ବଳ ନଥିବାରୁ ଏମାନେ ବି ପଛରେ ପଡିଯାଉଛନ୍ତି।
ଏହି ଅଂଚଳର ଶତାଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରି ନାହାନ୍ତି। ବଣ୍ଡାଘାଟିରେ କାମଧନ୍ଦା ନଥିବାରୁ ବହୁ ବେକାର ଯୁବକଯୁବତୀ ଜିଲ୍ଲାର ବିଭିନ୍ନ ଅଂଚଳରେ କାମ କରୁଥିବା ସହ ଦଲାଲମାନଙ୍କ କବଳରେ ପଡି ବାହାରକୁ ଚାଲାଣ ହେଉଛନ୍ତି। ଏହାର ହିସାବ ନା ପ୍ରଶାସନ ନିକଟରେ ରହିଛି ନା ଶ୍ରମ ବିଭାଗ ନିକଟରେ।ସରକାର ପରିବାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ହିସାବରେ ଦଶ କିଲୋ ଲେଖାଏଁ ଚାଉଳ ପ୍ରଦାନ କରନ୍ତୁ ବୋଲି ଦାବି ହେଉଛି। ସରକାରଙ୍କ ଠାରୁ ମିଳିଥିବା ଚାଉଳ କିଛି ଦିନ ଗଲା ପରେ ବାଧ୍ୟ ହୋଇ ଜଂଗଲକୁ ଯାଇ ଜଂଗଲରୁ ଯାହା ସଂଗ୍ରହ କରନ୍ତି ତାକୁ ହାଟ ବଜାରରେ ବିକ୍ରି କରି ଚଳନ୍ତି।ଜିଲ୍ଲାର ଏହି ଦୁଇ ପଞ୍ଚାୟତର ଲୋକେ ଆଜି ବି ଅନ୍ତଃଦୟ ଯୋଜନାରୁ ଉପରକୁ ଉଠିପାରୁନଥିବାରୁ ଏହି ଅଂଚଳର ସ୍ଥିତି କେମିତି ଥିବ ସହଜରେ ଅନୁମେୟ। ତେଣୁ ସରକାର ଏମାନଙ୍କୁ ଅନ୍ତଃଦୟରେ ଅଧିକା ଚାଉଳ ପ୍ରଦାନ କରିବାକୁ ଦାବି ହୋଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-Banda-aji-bi-BPLAntoyadaya-re-samil-2.jpg)